କେତେଦିନ ତଳେ ମାସର ଦ୍ୱିତୀୟ ରବିବାର ସନ୍ଧ୍ୟାରେ ଆମ ରାଜ୍ୟର ସର୍ବପ୍ରାଚୀନ ସାରସ୍ୱତ ଅନୁଷ୍ଠାନ ଲେଖକ ସାମ୍ମୁଖ୍ୟ ଓଡ଼ିଶାର ମାସିକ ଅଧିବେଶନରେ ବୌଦ୍ଧିକ ଆଲୋଚନା ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଆଲୋଚନାର ଶୀର୍ଷକ ଥିଲା "ମଞ୍ଚନାଟକ ଏବେବି ବଞ୍ଚିଛି' ।
ବନ୍ଧୁଗଣ! ଶୀର୍ଷକଟି ଶୁଣିବା ପରେ ଯେକେହି ଭାବିବେ ମଞ୍ଚନାଟକ ତେବେ କ'ଣ ମରିଯାଇଛି ବୋଲି ଲୋକେ ଧରିନେଇଥିଲେ ଏବଂ ଏହା ମୁମୂର୍ଷୁ ଅବସ୍ଥାରେ ଅଛି ବା ଆଇସିୟୁ’ରେ ଭେଣ୍ଟିଲେଟରରେ ଅଛି । ଅନୁମାନଟି ଅନେକାଂଶରେ ସତ୍ୟ ଭଳି ପ୍ରତୀୟମାନ ହୁଏ । ଏହାର ଅନେକ କାରଣ ଥାଇପାରେ । ସେଥିମଧ୍ୟରୁ ଆମେ ଏହି ସ୍ତମ୍ଭରେ ସମ୍ୟକ ଆଲୋଚନା କରିବା । ଏଠାରେ ମଞ୍ଚନାଟକ ଭାବରେ ଯାତ୍ରା ବା ଅପେରାକୁ ସାମିଲ କରାଯାଇନାହିଁ । ମଞ୍ଚନାଟକ ବା ଥିଏଟର, ଯାହାକି ଅତୀତରେ କେବଳ ଏକ ମନୋରଞ୍ଜନର ମାଧ୍ୟମ ବା କଳାତ୍ମକ ନାଟ୍ୟଶୈଳୀ ଭାବେ ବିବେଚିତ ହେଉନଥିଲା, ବରଂ ମଞ୍ଚନାଟକ ଓଡ଼ିଶାର ସାମୂହିକ ଜୀବନଶୈଳୀ, ସଂସ୍କୃତି, ଜନସଚେତନତା, ସାମାଜିକ ଘଟଣାବଳୀର ପ୍ରତିଫଳନ ଓ ଆତ୍ମସ୍ୱରୂପର ଏକ ଜୀବନ୍ତ ଦସ୍ତାବିଜ ଭାବେ ପରିଗଣିତ ହେଉଥିଲା । ବିଭିନ୍ନ ସ୍ଥାନରେ ଥିବା ରଙ୍ଗମଞ୍ଚଗୁଡ଼ିକ, ବିଶେଷତଃ କଟକ ଏବଂ ପୁରୀରେ ଥିବା ଜନତା ଓ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ଦର୍ଶକମାନଙ୍କ ଦ୍ୱାରା ସନ୍ଧ୍ୟାରେ ଭରପୂର ହୋଇଯାଉଥିଲା, ଏପରିକି କାଳୀଚରଣ ପଟ୍ଟନାୟକଙ୍କ ନାଟକ "ଭାତ' ଜନତା ଓ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ଦୀର୍ଘ ଚାରି ମାସ ଧରି ପ୍ରଦର୍ଶିତ ହୋଇଥିଲା ।
ନାଟ୍ୟକାରମାନେ ମଧ୍ୟ ବଳିଷ୍ଠ ପଟ୍ଟଭୂମି ବା ପ୍ଲଟ୍, ପ୍ରଭାବଶାଳୀ ଚରିତ୍ର ଚିତ୍ରଣ ଏବଂ ସ୍ମରଣୀୟ ସଂଳାପ ମାଧ୍ୟମରେ ଦର୍ଶକମାନଙ୍କୁ ଆକୃଷ୍ଟ କରୁଥିଲେ । ନାଟକଗୁଡ଼ିକ ସାମାଜିକ ସମସ୍ୟା, ବ୍ୟକ୍ତିଧର୍ମ, ଦେଶପ୍ରେମ, ନୈତିକତା, ରାଜନୈତିକ ସମସ୍ୟା, ତ୍ୟାଗ ଭକ୍ତି, ସେବା ଉପରେ ପର୍ଯ୍ୟବେସିତ ହୋଇ ଦର୍ଶକମାନଙ୍କ ମନ ଜିଣିପାରୁଥିଲା । ବିଶେଷତଃ, ଷାଠିଏ ଓ ସତୁରି ଦଶକରେ ମଞ୍ଚନାଟକର ଖୁବ୍ ଲୋକପ୍ରିୟତା ପରିଲକ୍ଷିତ ହେଉଥିଲା ।
ଏଥର ଆସନ୍ତୁ ବିଷୟବସ୍ତୁଟିର ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା । ସର୍ବପ୍ରଥମେ ଆମକୁ ମନେରଖିବାକୁ ହେବ ଯେ ଓଡ଼ିଆ ମଞ୍ଚନାଟକର ମୂଳ ଉତ୍ସ ହେଉଛି ଲୋକନାଟ୍ୟ ପରମ୍ପରା, ଯେଉଁଥିରେ କି ଆମେ ପାଇଥାଉ ମଞ୍ଚନାଟକ, ଯାତ୍ରା, ପାଲା, ଦାସକାଠିଆ, ଭାରତ ଲୀଳା, ସୁଆଙ୍ଗ ଓ ଆହୁରି ଅନେକ କିଛି । ଏହି ନାଟ୍ୟ ପରମ୍ପରା ମାଧ୍ୟମରେ ପୌରାଣିକ କଥା, ଭକ୍ତିରସ, ସାମାଜିକ ପ୍ରଥା ଇତ୍ୟାଦି ସଙ୍ଗୀତ ନୃତ୍ୟ ଓ ସରଳ ମନଛୁଆଁ ସଂଳାପ ମାଧ୍ୟମରେ ପର୍ଯ୍ୟବେସିତ ହୋଇ ଦର୍ଶକମାନଙ୍କୁ ଆକୃଷ୍ଟ କରୁଥିଲା । ଗଭୀର ଭାବନା, ପ୍ରଭାବୀ ସଂଳାପ, ଆକର୍ଷଣୀୟ ପରିପାଟୀ, ଆଲୋକ ଓ ମଞ୍ଚସଜ୍ଜା ଇତ୍ୟାଦି ଦର୍ଶକମାନଙ୍କୁ ବାନ୍ଧିରଖିବାରେ ସହାୟକ ହେଉଥିଲା ।
ଊନବିଂଶ ଶତାବ୍ଦୀର ମଧ୍ୟଭାଗରେ ଓଡ଼ିଶାରେ ମଞ୍ଚନାଟକର ଲୋକପ୍ରିୟତା ଅନୁଭୂତ ହୋଇଥିଲା ପ୍ରଥମ ଓଡ଼ିଆ ନାଟକ ‘ବାବାଜୀ’ ମାଧ୍ୟମରେ । ଜଗମୋହନ ଲାଲାଙ୍କ "ବାବାଜୀ' ନାଟକ ୧୮୭୭ ମସିହାରେ ରଚିତ ହୋଇ ମଞ୍ଚସ୍ଥ ହୋଇଥିଲା ଏବଂ ଦର୍ଶକମାନଙ୍କ ମଧ୍ୟରେ ଖୁବ୍ ଆଦୃତି ଲାଭ କରିଥିଲା । ଦେଶ ସ୍ୱାଧୀନତାର ପୂର୍ବବର୍ତ୍ତି ଅବସ୍ଥାରେ ମଞ୍ଚନାଟକ ଅନେକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ପ୍ରଦାନ କରି ଦେଶପ୍ରେମ, ଜାଗ୍ରତ କରିବା ସହ ସମାଜରେ ସଂସ୍କାର ଆଣିବାରେ ସାମର୍ଥ୍ୟ ପ୍ରଦର୍ଶନ କରୁଥିଲା । ସାମାଜିକ କୁସଂସ୍କାର, ଅନ୍ଧବିଶ୍ୱାସ, ନାରୀ ସ୍ୱାଧୀନତା, ଯୌତୁକ ନିରୋଧ, ନିରକ୍ଷରତା ଓ ଜମିଦାର ଉଚ୍ଛେଦ, ଶୋଷଣ, ବିରୋଧ ଆଦି ବିଷୟବସ୍ତୁକୁ ମଞ୍ଚନାଟକରେ ପରିବେଷଣ କରାଯାଉଥିଲା ।
ଏହି ପରିପ୍ରେକ୍ଷୀରେ ଜଗମୋହନ ଲାଲାଙ୍କ ନାଟକ ‘ବାବାଜୀ’, ରାମଶଙ୍କର ରାୟଙ୍କ "କାଞ୍ଚି କାବେରୀ', କାଳୀ ଚରଣ ପଟ୍ଟନାୟକଙ୍କ "ଭାତ' ମଞ୍ଚରେ ଅନେକ ଦିନ ଚାଲି ଦର୍ଶକଙ୍କୁ ମନୋରଞ୍ଜନ ପ୍ରଦାନ କରିବା ସହ ସାମାଜିକ ବ୍ୟବସ୍ଥାର ବାସ୍ତବତା ବିଷୟରେ ମଧ୍ୟ ସଚେତନ କରାଇଥିଲା । ଏହା କରିବା ଦ୍ୱାରା ସାହିତ୍ୟର ଯେଉଁ ଦ୍ୱୈତ ଧର୍ମ ଯଥା- ନାନ୍ଦନିକତା ଓ ନୈତିକତା ପ୍ରଦାନ କରିବାରେ ଅପାର ସଫଳତା ହାସଲ କରିଥିଲା । ସ୍ୱାଧୀନତା ପରବର୍ତ୍ତୀ କାଳରେ କାଳୀ ଚରଣ ପଟ୍ଟନାୟକଙ୍କ ପ୍ରଭାବଶାଳୀ ନାଟକ "ମୃଗୟା, ଶକୁନ୍ତଳା, ଚକ୍ରୀ, ରକ୍ତ ମନ୍ଦାର’³ ଭଞ୍ଜ କିଶୋର ପଟ୍ଟନାୟକଙ୍କ ନାଟକ "ମାଣିକ ଯୋଡ଼ି, ଅଗ୍ନି ପରୀକ୍ଷା' ମଞ୍ଚନାଟକକୁ ଲୋକପ୍ରିୟତାର ଶିଖର ଦେଶରେ ପହଞ୍ଚାଇବାରେ ସଫଳ ହୋଇଥିଲେ ।
ବିଶ୍ୱଯୁଦ୍ଧ ପରବର୍ତ୍ତୀ କାଳରେ ମଣିଷ ଯେତେବେଳେ ପରିଚୟ ସଙ୍କଟ ଓ ସ୍ଥିତିବାଦ ସମସ୍ୟାର ସାମ୍ନା କଲା ସେତେବେଳେ ପାଶ୍ଚାତ୍ୟ ନାଟ୍ୟକାର ଉଦ୍ଭଟ ନାଟକ ରଚନା କଲେ ଏବଂ ପରିଚୟ ସଙ୍କଟ, ଜୀବନର ଅର୍ଥହୀନତା ବିଷୟବସ୍ତୁ ଉପରେ ଅଧିକ ଗୁରୁତ୍ୱ ଦେଲେ । ପାଶ୍ଚାତ୍ୟ ନାଟକମାନଙ୍କ ମଧ୍ୟରୁ ଜାଁ ପଲ୍ ସାର୍ତଙ୍କ "ନୋ ଏକଜିଟ୍’, ଆଲ୍ବଟ କ୍ୟାମୁଙ୍କ "କାଲିଗୁଲା', କାଫକାଙ୍କ "ୱାଡେନ', ଅଫ ଦି ଟୁମ୍ବ ଓ ସାମୁଏଲ ବେକେଟଙ୍କର "ୱେଟିଂ ଫର ଗୋଦୋ', ଇଉଜିନ୍ ଆୟନେସକୋଙ୍କ "ଦି ଚେୟାରସ୍', ଆର୍ଥର ଆଡାମୋଭଙ୍କ "ପିଙ୍ଗ୍ପଙ୍ଗ୍', ହାରୋଲଡ ପିଣ୍ଟରଙ୍କ "ଦି ବାର୍ଥଡେ ପାର୍ଟି', ଜାଁ ଜେନେଟଙ୍କ "ଦି ମେଡସ୍’, ଏଡୱାତ ଆଲବିଙ୍କ "ଜୁ ଷ୍ଟୋରୀ' ଦର୍ଶକମାନଙ୍କୁ ଖୁବ୍ ପ୍ରଭାବିତ କରିଥିଲା ।
ଓଡ଼ିଶାରେ ମଧ୍ୟ ସ୍ଥିତିବାଦୀ ପ୍ରୟୋଗାତ୍ମକ ନାଟକର ଆୟମାରମ୍ଭ ହେଲା । ମନୋରଞ୍ଜନ ଦାସଙ୍କ "କାଠଘୋଡ଼ା, ଅରଣ୍ୟ ଫସଲ’, ବିଜୟ ମିଶ୍ରଙ୍କ "ଶବବାହକମାନେ, ହେ ସ୍ୱର୍ଗ ବିଦାୟ’ ଇତ୍ୟାଦି ରଚିତ ହୋଇ ସଫଳ ଭାବେ ମଞ୍ଚସ୍ଥ ହୋଇଥିଲା ଏବଂ ଦର୍ଶକୀୟ ଆଦୃତି ମଧ୍ୟ ସାଉଣ୍ଟିବାରେ ସଫଳ ହୋଇଥିଲା । ମୋଟ୍ ଉପରେ ମଞ୍ଚନାଟକର କ୍ରମବିକାଶ ଏବଂ ଉତ୍ତରଣ ଉପରେ ଯଦି ନଜର ପକାଇବା, ତେବେ ଏହି ବିକାଶଧାରାକୁ ତିନିଗୋଟି ପର୍ଯ୍ୟାୟଭୁକ୍ତ କରାଯାଇପାରେ । ପ୍ରଥମ ପର୍ଯ୍ୟାୟ ହେଲା ପ୍ରାକ୍ ସ୍ୱାଧୀନତା ଯୁଗ ଯେତେବେଳେ ମଞ୍ଚନାଟକଗୁଡ଼ିକ ମୁଖ୍ୟତଃ ଦେଶପ୍ରେମ, ସାମାଜିକ କୁସଂସ୍କାର, ନାରୀ ସ୍ୱାଧୀନତା, ଅର୍ଥନୈତିକ ବୈଷମ୍ୟ ଓ ଶୋଷଣ ଉପରେ ପର୍ଯ୍ୟବେସିତ ଥିଲା ଓ ସମାଜକୁ ସଂସ୍କାର ନିମିତ୍ତ ଏକ ସକାରାତ୍ମକ ବାର୍ତ୍ତା ପ୍ରଦାନ କରିବାରେ ସଫଳ ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ମଞ୍ଚନାଟକଗୁଡ଼ିକ ଗଭୀର ଚରିତ୍ର ଚିତ୍ରଣ, ବଳିଷ୍ଠ ନିର୍ଦ୍ଦେଶନା ଓ ବାସ୍ତବଧର୍ମୀ ବିଷୟବସ୍ତୁ ଉପରେ ପର୍ଯ୍ୟବେସିତ ଥିଲା । ତୃତୀୟ ପର୍ଯ୍ୟାୟ ଆଧୁନିକ ଯୁଗରେ ପରୀକ୍ଷାମୂଳକ, ପ୍ରୟୋଗଧର୍ମୀ ନାଟକ ପ୍ରଦର୍ଶିତ ହେଲା । ଏହି ନାଟକଗୁଡ଼ିକ ଜଗତୀକରଣ, ପରିଚୟ ସଙ୍କଟ, ସ୍ଥିତିବାଦ ସମସ୍ୟା, ଏକାକୀପଣ, ନାରୀ ନିର୍ଯାତନା, ରାଜନୈତିକ ଅପରାଧ, ଦୁର୍ନୀତି, ଭ୍ରଷ୍ଟାଚାର ଭଳି ବିଷୟବସ୍ତୁ ଉପରେ କେନ୍ଦ୍ରୀଭୂତ ହେଲା । ଏହି ତିନିଗୋଟି ପର୍ଯ୍ୟାୟକୁ ଅବଲୋକନ କଲେ ଦେଖାଯାଏ ଯେ, ତୃତୀୟ ପର୍ଯ୍ୟାୟ ବେଳକୁ ଆସ୍ତେ ଆସ୍ତେ ମଞ୍ଚନାଟକର ଲୋକପ୍ରିୟତା ହ୍ରାସ ହେବାରେ ଲାଗିଲା । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ମଞ୍ଚନାଟକ ମନୋରଞ୍ଜନର ଏକ ପ୍ରମୁଖ ମାଧ୍ୟମ ଥିବାବେଳେ ନବେଦଶକ ବେଳକୁ ଏହା ନିଷ୍ପ୍ରଭ ହେବାରେ ଲାଗିଲା ।
ଏହି ଯେଉଁ ପରିସ୍ଥିତି ସୃଷ୍ଟି ହେଲା, ଏହାର କାରଣ ସମ୍ବନ୍ଧରେ ସମ୍ୟକ ଆଲୋଚନା ହେବା ଆବଶ୍ୟକ । ଜଗତୀକରଣ ପଶ୍ଚାତ୍ ଇଣ୍ଟରନେଟ, ଓଟିଟି ମାଧ୍ୟମରେ ଘରେ ବୈଠକଖାନାରେ ବସି ନିଜର ମନୋରଞ୍ଜନ କରିବାକୁ ଲୋକେ ବେଶି ପସନ୍ଦ କଲେ । ଯେଉଁ କେତେଗୋଟି ପେସାଦାର ମଞ୍ଚନାଟକ ଅନୁଷ୍ଠାନ ଥିଲା ସେସବୁ ଆର୍ôଥକ ସମସ୍ୟା, ସରକାରୀ ଉଦାସୀନତା, ପ୍ରୋତ୍ସାହନ ଅଭାବରୁ ଶିଥିଳ ହୋଇଗଲେ ଏବଂ ନାଟକ ପ୍ରଦର୍ଶନ କରିବା ପାଇଁ ପ୍ରେକ୍ଷାଳୟ ଖର୍ଚ୍ଚ ବହନ କରିବାକୁ ମଧ୍ୟ ସେମାନେ ସାମର୍ଥ୍ୟ ହରାଇଲେ । ଆଜିର ଦିନରେ ଯେଉଁ ନାଟକ ସବୁ ଲେଖାହେଉଛି, ସେଗୁଡ଼ିକର ପ୍ଲଟ୍ ପ୍ରାୟତଃ ଦୁର୍ବଳ ହୋଇଥିବାରୁ ଦର୍ଶକମାନଙ୍କୁ ସେତେଟା ଆକୃଷ୍ଟ କରିପାରୁନାହିଁ । କେତେକ କ୍ଷେତ୍ରରେ ଆକର୍ଷଣୀୟ ମଞ୍ଚସଜ୍ଜା ଓ ବଳିଷ୍ଠ ନିର୍ଦ୍ଦେଶନାର ମଧ୍ୟ ଅଭାବ ପରିଲକ୍ଷିତ ହେଉଛି । ଅତୀତରେ ଯେଉଁ ମଞ୍ଚ ସମାଜ ଓ ସଂସ୍କୃତିର ସ୍ପନ୍ଦନ ରୂପେ ବିବେଚିତ ହେଉଥିଲା ଆଜି କେତେକ ପେସାଦାର ମଞ୍ଚ ବନ୍ଦ ହୋଇଯାଇଛି । ମଞ୍ଚ କଳାକାରମାନେ ଆର୍ôଥକ ଦୁଃସ୍ଥିତି ଦେଇ ଗତି କରୁଛନ୍ତି । ତେବେ ସ୍ଥିତି ସୁଧାରିବା ନିହାତି ଆବଶ୍ୟକ ।
ଆସନ୍ତୁ, ଆଜି ମଞ୍ଚନାଟକକୁ ଉଜ୍ଜୀବିତ ଏବଂ କ୍ରିୟାଶୀଳ କରିବାର ବିକଳ୍ପ ବିଷୟରେ ଆଲୋଚନା କରିବା । ଏକ ସୁସ୍ଥ ସମାଜ ଗଠନ ଦିଗରେ କଳା ଏବଂ ସାହିତ୍ୟର ଯେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଏହା ଅନସ୍ୱୀକାର୍ଯ୍ୟ । ସୁତରାଂ, ସାହିତ୍ୟ ଓ କଳାକୁ ବଞ୍ଚାଇ ରଖିବାକୁ ବେସରକାରୀ ଏବଂ ସରକାରୀ ସ୍ତରରେ ନିରବଚ୍ଛିନ୍ନ ଉଦ୍ୟମ ହେବା ଆବଶ୍ୟକ ।
ମଞ୍ଚନାଟକର ପୁନରୁଦ୍ଧାର ସହ ଏହାକୁ ଦର୍ଶକମାନଙ୍କ ଶ୍ରଦ୍ଧା, ଆଦୃତି ପ୍ରଦାନ କରିବା ଏବଂ ସେମାନଙ୍କ ନିକଟତର କରିବା ପାଇଁ ନିମ୍ନଲିଖିତ ଦିଗଗୁଡ଼ିକ ଉପରେ ବିଚାର କରାଯାଇପାରେ । ନାଟ୍ୟକାର, ନିର୍ଦ୍ଦେଶକ, ପ୍ରଯୋଜକ, ଅଭିନେତାମାନଙ୍କୁ ନେଇ ଜିଲ୍ଲା ପ୍ରଶାସନର ସହାୟତା ଓ ପୃଷ୍ଠପୋଷକତାରେ ପ୍ରତି ଜିଲ୍ଲାରେ ପ୍ରତି ମାସରେ କର୍ମଶାଳା ଆୟୋଜନ କରାଗଲେ ସାଧାରଣ ଦର୍ଶକଙ୍କର ଆଗ୍ରହ ବୃଦ୍ଧିପାଇବ । ନାଟ୍ୟକାରମାନେ ଆତ୍ମବିଶ୍ଳେଷଣ କରି ଯୁଗୋପଯୋଗୀ କାଳଜୟୀ ନାଟକ ରଚନା କରି ନିଜ ଉଦ୍ୟମରେ ନାଟ୍ୟ ସଂସ୍ଥା ଗଠନ କରି ନାଟକ ନିୟମିତ ଭାବେ ମଞ୍ଚସ୍ଥ କରିବାର ଆବଶ୍ୟକତା ରହିଛି । ରାଜ୍ୟର ସଙ୍ଗୀତ ନାଟକ ଏକାଡେମୀ କଳାକାର ଭତ୍ତା ବୃଦ୍ଧି ସାଙ୍ଗକୁ ନିୟମିତ ନାଟକ ମଞ୍ଚସ୍ଥ କରିବା ପାଇଁ ରିହାତି ଦରରେ ବା ମାଗଣାରେ ରବୀନ୍ଦ୍ରମଣ୍ଡପ, ଭଞ୍ଜକଳା ମଣ୍ଡପ ଇତ୍ୟାଦି ପ୍ରେକ୍ଷାଳୟ ଯୋଗାଇ ଦେବାର ପ୍ରାବଧାନ କରିବା ଆବଶ୍ୟକ । ରାଜ୍ୟରେ ଅଭିନୟ ଓ ନିର୍ଦ୍ଦେଶନାର ତାଲିମ ନେବାପାଇଁ ଏକ ଅନୁଷ୍ଠାନ ଗଠନ କରାଯାଉ । ରାଜ୍ୟରେ ଜାତୀୟ ଓ ଅନ୍ତର୍ଜାତୀୟ ମଞ୍ଚନାଟକ ମହୋତ୍ସବର ଆୟୋଜନ କରାଯାଇ ରିହାତି ଦରରେ ଟିକେଟ ଯୋଗାଇ ଦିଆଯାଉ । ଶ୍ରେଷ୍ଠ ମଞ୍ଚ ସଂଯୋଜକ, ନିର୍ଦ୍ଦେଶକ, ପ୍ରଯୋଜକ ଓ କଳାକାର ପୁରସ୍କାର ବିତରଣ ବ୍ୟବସ୍ଥା କରାଯାଉ । ଭାଗବତ ଟୁଙ୍ଗୀ ଭଳି ପ୍ରତି ଗ୍ରାମରେ ନାଟ୍ୟଶାଳା ବା ଆଖଡ଼ାଘରର ପୁନରୁତ୍ଥାନ କରାଯାଉ । ସେହି ଆଖଡ଼ାଘର ମାଧ୍ୟମରେ ଅଭିନେତା ଅଭିନେତ୍ରୀମାନେ ତାଲିମ ନେବାର ସୁଯୋଗ ପାଇ ନିଜର ବଳିଷ୍ଠ ଅଭିନୟ ପ୍ରଦର୍ଶନ କରିପାରିବେ ।
ଉପସଂହାରକୁ ଆସିବା । ଓଡ଼ିଶା ଲେଖକ ସାମ୍ମୁଖ୍ୟ ସାରସ୍ୱତ ଆଲୋଚନାଚକ୍ରରେ ମୁଁ ଉପରୋକ୍ତ ବକ୍ତବ୍ୟ ରଖିବା ସହ ବକ୍ତାମାନଙ୍କ ଆଲୋଚନା ସହ ମଧ୍ୟ ଏକମତ ହେଲି । ପରିଶେଷରେ ମଞ୍ଚନାଟକ ଏବେ ବି ବଞ୍ଚିଛି ଓ ଆଗାମୀ ଦିନରେ ବଞ୍ଚିରହିବ ବୋଲି ସର୍ବସମ୍ମତିକ୍ରମେ ମତ ପ୍ରକାଶ ପାଇଥିଲା ।