ଭୁବନେଶ୍ୱର,୩୧/୦୭: କୌଣସି ସରକାରୀ ଅଫିସରେ ସିଙ୍ଗଲ  ୟୁଜ୍‌ ପ୍ଲାଷ୍ଟିକ ବା ଏକକ ବ୍ୟବହାରକାରୀ ପ୍ଲାଷ୍ଟିକ ବ୍ୟବହାର ହେବନି । ରାଜ୍ୟ  ସରକାର ଏ ନେଇ ସାନି ନିର୍ଦ୍ଦେଶନାମା ଜାରି କରିଛନ୍ତି । ସବୁ ସରକାରୀ ଅଫିସକୁ  ଏହି ନିର୍ଦ୍ଦେଶ ଦେଇଛି ଜଙ୍ଗଲ ଓ ପରିବେଶ ବିଭାଗ । ସରକାରୀ ବୈଠକ, ସମ୍ମିଳନୀ, କର୍ମଶାଳା ଓ ଅନ୍ୟ କାର୍ଯ୍ୟକ୍ରମରେ ପ୍ଲାଷ୍ଟିକ ପାଣି ବୋତଲ ବ୍ୟବହାର ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ବଦଳରେ ଷ୍ଟିଲ, ତମ୍ବା ଓ କାଚରେ ତିଆରି ପାଣି ବୋତଲ ବ୍ୟବହାର କରିବାକୁ କୁହାଯାଇଛି । 

ସେହିଭଳି ପ୍ଲାଷ୍ଟିକ ଓ  ଥର୍ମୋକୁଲ ପ୍ଲେଟ୍‌, ଟ୍ରେ, କପ୍‌, ଗ୍ଲାସ, ଚାମଚ ବଦଳରେ ଷ୍ଟିଲ, ପିତ୍ତଳ, କାଚ,  ମାଟି ଓ ପତ୍ରରେ ତିଆରି ପ୍ଲେଟ୍‌ ବ୍ୟବହାର କରିବାକୁ କୁହାଯାଇଛି । ଅଫିସରେ ପଲିଥିନ୍‌ କ୍ୟାରି ବ୍ୟାଗ୍‌ ବଦଳରେ ପେପର, ଝୋଟ ଓ କପଡ଼ାରେ ତିଆରି ବ୍ୟାଗ୍‌  ବ୍ୟବହାର କରିବାକୁ ସବୁ ବିଭାଗକୁ କୁହାଯାଇଛି । ଫୁଲ ତୋଡ଼ା, ଉପହାର ଓ  ଫଳକରେ ପ୍ଲାଷ୍ଟିକ୍‌ ଗୁଡ଼ାଇବା ବଦଳରେ କାଗଜ ବ୍ୟବହାର କରିବାକୁ ନିର୍ଦ୍ଦେଶ  ଦିଆଯାଇଛି । 

୨୦୧୯ ମସିହା ଗାନ୍ଧୀ ଜୟନ୍ତୀରୁ ରାଜ୍ୟରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ  ବ୍ୟବହାରକୁ ନିଷିଦ୍ଧ ଘୋଷଣା କରାଯାଇଥିଲା । ଏ ନେଇ ସ୍ୱତନ୍ତ୍ର ନିର୍ଦ୍ଦେଶନାମା  ଲାଗୁ ହୋଇଥିଲା । ୨୦୨୨ରେ କେନ୍ଦ୍ର ସରକାର ଏହାକୁ ଲାଗୁ କରିଥିଲେ । କିନ୍ତୁ  କୌଣସି ସ୍ଥାନରେ ଏହା କାର୍ଯ୍ୟକାରୀ ହେଉନି । ଏବେ ଏହାକୁ କଡ଼ାକଡ଼ି ଲାଗୁ  ପାଇଁ ଜଙ୍ଗଲ ବିଭାଗ ସାନି ନିର୍ଦ୍ଦେଶନାମା ଜାରି କରିଛି ।