ଭୁବନେଶ୍ବର, ୨୦।୫ : ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ୨ ପରୀକ୍ଷା ଫଳାଫଳ। କଳା, ବାଣିଜ୍ୟ , ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା  ପରୀକ୍ଷା ଫଳ ପ୍ରକାଶ ପାଇବ। ଅପରାହ୍ନ ୪ଟାରେ  ପ୍ରକାଶ ପାଇବ ପରୀକ୍ଷା ଫଳ। ଏ ନେଇ  ସୂଚନା ଦେଇଛନ୍ତି  ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ  । https://results.odisha.gov.in  ରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଫଳ ଜାଣିପାରିବେ ।

ତେବେ ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ଦେଇଛନ୍ତି ୩ ଲକ୍ଷ ୬୪ ହଜାର ୫୨୭ ଜଣ ରେଗୁଲାର ଛାତ୍ରଛାତ୍ରୀ । ସେମାନଙ୍କ ମଧ୍ୟରୁ କଳାରେ ୨ ଲକ୍ଷ ୨୯ ହଜାର ୬୦୪ ଜଣ ରହିଥିବା ବେଳେ ବାଣିଜ୍ୟର ୨୩ ହଜାର ୫୬୦, ବିଜ୍ଞାନର ୧ ଲକ୍ଷ ୬ ହଜାର ୩୨୫ ଓ ଧନ୍ଦାମୂଳକ ଶିକ୍ଷାର ୫୦୩୮ ଜଣ ଛାତ୍ରଛାତ୍ରୀ ରହିଛନ୍ତି । ସେହିଭଳି ୨୭ ହଜାର ୨୮୨ ଜଣ ଏକ୍ସ ରେଗୁଲାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। 

ତେବେ ଚାଳିତ ଥର ଯୁକ୍ତ ଦୁଇରେ ୪୨୯ ଜଣ କପି କରି ଧରା ପଡ଼ିଥିଲେ । ସେମାନଙ୍କୁ ଏକ୍ସପର୍ଟଙ୍କ ଦ୍ୱାରା କାଉନସେଲିଂ କରାଯିବା ସହ ସେମାନଙ୍କୁ ପକ୍ଷ ରଖିବାକୁ ସୁଯୋଗ ଦିଆଯାଇଥିଲା । ଯେଉଁଥିରୁ ଜଣାପଡିଲା ଯେ ୩୭୨ ଜଣ କପି କରି ନାହାଁନ୍ତି । ସେମାନଙ୍କ ପରୀକ୍ଷା ଫଳ ପ୍ରକାଶ ପାଇବ । ହେଲେ ବାକି ୫୭ ଜଣ କପି କରିଛନ୍ତି ।

ଅନ୍ୟପଟେ ଯେହେତୁ ଯୁକ୍ତ ତିନି ନାମଲେଖା ଆବେଦନର ଆଜି ଶେଷ ତାରିଖ ରହିଛି। ତେଣୁ  ଉଚ୍ଚ ଶିକ୍ଷା ବିଭାଗକୁ ସମୟସୀମା ବୃଦ୍ଧି କରିବାକୁ ନିବେଦନ କରାଯାଇଛି।  ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ଗଣଶିକ୍ଷା ମନ୍ତ୍ରୀ। ଏଥିରେ ଯୁକ୍ତ ୩ ନାମଲେଖା ଆବେଦନ ସମୟ ସୀମା ବୃଦ୍ଧି କରିବାକୁ ଆଲୋଚନା କରାଯାଇଛି। ତେବେ ସମୟସୀମା ବୃଦ୍ଧି କରିବାକୁ ଉଚ୍ଚଶିକ୍ଷା ମନ୍ତ୍ରୀ ଗଣଶିକ୍ଷା ମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।