ଭୁବନେଶ୍ୱର,୦୭/୦୩: ରାଜସ୍ୱ ବିଭାଗର ବଡ଼ ନିଷ୍ପତ୍ତି । ଏପ୍ରିଲରୁ ଆରମ୍ଭ ହେବ ନୂଆ ଆପ୍ । ଲୋକଙ୍କୁ ଆଉ ତହସିଲ ଯିବାକୁ ପଡ଼ିବ ନାହିଁ । ଆପ୍ ଜରିଆରେ ବିଭିନ୍ନ ପ୍ରମାଣପତ୍ର ପାଇଁ ଆବେଦନ କରିପାରିବେ । ଆଣ୍ଡ୍ରଏଡ୍ ମୋବାଇଲ୍ ବ୍ୟବହାରକାରୀ ଏହି ସୁବିଧା ପାଇପାରିବେ । ଅବହେଳା କଲେ ଅଧିକାରୀମାନେ ଧରାପଡ଼ିବେ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।
ମନ୍ତ୍ରୀ କହିଛନ୍ତି, ପୂର୍ବରୁ ଲୋକମାନେ ଜାତି ପ୍ରମାଣପତ୍ର, ଆୟ ପ୍ରମାଣପତ୍ର, ଆବାସିକ ପ୍ରମାଣପତ୍ର ପାଇଁ ତହସିଲ ଅଫିସକୁ ଯାଉଥିଲେ । ତହସିଲଦାରଙ୍କ ପାଖରେ ଘଣ୍ଟା ଘଣ୍ଟା ଛିଡ଼ା ହେଉଥିଲେ । ଆପ୍ ଆସିବା ପରେ ଲୋକଙ୍କୁ ଆଉ ତହସିଲ ଅଫିସକୁ ଯିବାକୁ ପଡ଼ିବ ନାହିଁ । ଘରେ ବସି ମୋବାଇଲରେ ବିଭିନ୍ନ ପ୍ରମାଣପତ୍ର ପାଇଁ ଆବେଦନ କରିପାରିବେ । ମୋବାଇଲରେ କେଉଁ ବ୍ୟକ୍ତି, କେଉଁ ସମୟ, କେଉଁଠାରୁ ଓ କେଉଁ ଯୋଜନା ପାଇଁ ଆବେଦନ କରୁଛନ୍ତି, ଏ ସମସ୍ତ ତଥ୍ୟ ପଞ୍ଜିକୃତ ହୋଇ ରହିବ । କେଉଁ ପ୍ରମାଣପତ୍ର କେତେ ସମୟରେ ମିଳିବ, ସେଥିପାଇଁ ସମୟ ଧାର୍ଯ୍ୟ ହେବ । ନିର୍ଦ୍ଦିଷ୍ଟ ସମୟରେ ପ୍ରମାଣପତ୍ର ମିଳିଲେ ରାଜସ୍ୱ ବିଭାଗକୁ ସୂଚନା ଆସିଯିବ । କେଉଁ ତହସିଲଦାରଙ୍କ ଦ୍ୱାରା କେଉଁ ତହସିଲରେ ଏହି ସେବା ଠିକ ସମୟରେ ମିଳିଲା ନାହିଁ, ଉପଭୋକ୍ତା ମାଗିଥିବା ସେବା ପାଇବା ପ୍ରକ୍ରିୟା ଶେଷ ହେବା ପରେ ଏ ବାବଦରେ ତହସିଲଦାର ଆପରେ ଅପଲୋଡ଼ କରିବେ । ଏହି ତଥ୍ୟ ଆବେଦନକାରୀ ଘରେ ବସି ଡାଉନଲୋଡ୍ କରିପାରିବେ । ପ୍ରମାଣପତ୍ରକୁ ବ୍ୟବହାର କରିପାରିବେ । ସାଧାରଣ ଲୋକ ଓ ରାଜସ୍ୱ ସେବା ମଧ୍ୟରେ ଥିବା ବାଧକ ଦୂର ହେବ । ରାଜସ୍ୱ ସେବା ପାଇଁ ଆଉ ସରକାରୀ କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ିବ ନାହିଁ । ରାଜସ୍ୱ ସେବା ହୋମ ଡେଲିଭରୀ କରିବୁ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ।
ଉଲ୍ଲେଖଯୋଗ୍ୟ, ଏବେ ଏହି ସସସ୍ତ ସେବା ଅନଲାଇନ୍ରେ ଇ-ଡିଷ୍ଟ୍ରିକ୍ଟରେ ମିଳୁଛି । ମାତ୍ର ଲୋକଙ୍କୁ ଆହୁରି ଅଧିକ ସୁବିଧା କରିବା ପାଇଁ ଏହି ଆପ୍ ଆସିବ । ଉନ୍ମୋଚନ ହେବା ସମୟରେ ହିଁ ଆପ୍ର ନାମ ଘୋଷଣା କରାଯିବ ।