. ୯୬ ଟି ରେଲୱେ ଓଭର ବ୍ରିଜକୁ  ନିଜ ଖର୍ଚ୍ଚରେ ନିର୍ମାଣ କରିବ ରେଳବାଇ

. ଆପ୍ରୋଚ୍ ରାସ୍ତା ଜମି ଅଧିଗ୍ରହଣ ପାଇଁ ଭାରପ୍ରାପ୍ତ ଅଧିକାରୀ ମନୋନୀତ

ଭୁବନେଶ୍ୱର,୨୦/୧ : ରାଜ୍ୟର ସଡ଼କ ନେଟ୍ୱାର୍କର ସୁଦୃଢ଼ୀକରଣ କ୍ଷେତ୍ରରେ ରେଲୱେ ଓଭର ବ୍ରିଜର ପ୍ରମୁଖ ଭୂମିକା ରହିଛି । ରେଲୱେ ଫାଟକ ବଦଳରେ ରେଲୱେ ଓଭର ବ୍ରିଜ୍ ନିର୍ମାଣ ଦ୍ୱାରା ଯାତ୍ରା ସମୟରେ ହେଉଥିବା ଅତିରିକ୍ତ ଭିଡ଼ ହ୍ରାସ ସହ ସମୟ ଅବଧି କମିବା ଏବଂ ଧନଜୀବନକୁ ସୁରକ୍ଷା କରି ହେବ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ମାଣ ବିଭାଗ ରାସ୍ତା ଉପରେ ହେବାକୁ ଥିବା ୧୬୬ଟି ରେଲୱେ ଓଭରବ୍ରିଜ୍ ପାଇଁ ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ପୂର୍ବତଟ ରେଳବାଇ ଓ ନିର୍ମାଣ ବିଭାଗର ବରିଷ୍ଠ ଅଧିକାରୀ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ସୂଚନାଯୋଗ୍ୟ ଯେ, ଏହି ୧୬୬ଟି ରେଲୱେ ଓଭର ବ୍ରିଜ୍ ଗୁଡ଼ିକର ନିର୍ମାଣ ଅଗ୍ରଗତି ଗତ କିଛି ବର୍ଷ ହେବ ମନ୍ଥର ସ୍ଥିତିରେ ଥିଲା । ରାଜ୍ୟ ସରକାରଙ୍କ ନିର୍ମାଣ ବିଭାଗର ସକ୍ରିୟ ପଦକ୍ଷେପ ସ୍ୱରୂପ ଭାରତ ସରକାରଙ୍କ ରେଳବାଇ ମନ୍ତ୍ରଣାଳୟର ନୂତନ ନୀତି-୨୦୨୪କୁ ଉପଯୋଗ କରି ପୂର୍ବତଟ ରେଳବାଇ ୯୬ଟି ରେଲୱେ ଓଭର ବ୍ରିଜକୁ ଶତପ୍ରତିଶତ ନିଜ ଖର୍ଚ୍ଚରେ ନିର୍ମାଣ କରିବା ନେଇ ବୁଝାମଣାପତ୍ର ସ୍ବାକ୍ଷର ପାଇଁ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର ସରକାରଙ୍କ ନୂତନ ରେଳବାଇ ନୀତିର ସଦୁପଯୋଗ କରି ଏତେ ସଂଖ୍ୟକ ରେଳ ଓଭରବ୍ରିଜ୍ ପ୍ରକଳ୍ପ କାର୍ଯ୍ୟକାରୀ କରି ଓଡ଼ିଶା ସମଗ୍ର ଦେଶରେ ଏକ ସ୍ବତନ୍ତ୍ର ମାଇଲ ସ୍ତମ୍ବ ସ୍ଥାପନ କରିପାରିଛି ।

ବୈଠକରେ ରେଲୱେ ଓଭରବ୍ରିଜ୍ ଗୁଡ଼ିକ ଲାଗି ଜମି ଅଧିଗ୍ରହଣ, ବ୍ରିଜ୍ ନିର୍ମାଣରେ ଗୁଣବତ୍ତା, ସମୟସୀମା ମଧ୍ୟରେ କାର୍ଯ୍ୟ ସମାପ୍ତ ଏବଂ ଆବଶ୍ୟକ ସ୍ଥଳେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ଯୋଗସୂତ୍ର ସ୍ଥାପନ କରି ନିର୍ମାଣ କାର୍ଯ୍ୟ ଆଗେଇ ନେବା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଏଥିରେ ୧୧୨ଟି ରେଲୱେ ଓଭରବ୍ରିଜ୍ ଆପ୍ରୋଚ୍ ରାସ୍ତା ପାଇଁ ଜମି ଅଧିଗ୍ରହଣ ପାଇଁ ଭାରପ୍ରାପ୍ତ ଅଧିକାରୀଙ୍କୁ ମନୋନୀତ କରାଯାଇଛି । ବୈଠକରେ ନିର୍ମାଣ ବିଭାଗ ସର୍ବୋଚ୍ଛ ଯନ୍ତ୍ରୀ ତଥା ସ୍ୱତନ୍ତ୍ର ଶାସନ ସଚିବ ଲକ୍ଷ୍ମୀକାନ୍ତ ପାଢ଼ୀ ସମେତ ନିର୍ମାଣ ବିଭାଗ ଓ ପୂର୍ବତଟ ରେଳବାଇର ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ ।