ନୂଆଦିଲ୍ଲୀ: ସୌରାଷ୍ଟ୍ର ବିପକ୍ଷରେ ଥିବା ରଣଜୀ ଟ୍ରଫି ମ୍ୟାଚ୍‌ ଲାଗି ଦିଲ୍ଲୀ ଟିମରେ ସାମିଲ ହେବେ ରିଷଭ ପନ୍ତ । ଜାନୁଆରୀ ୨୩ରେ ରାଜକୋଟରେ ହେବାକୁ ଥିବା ଏହି ମ୍ୟାଚ୍‌ରେ ରିଷଭ ପନ୍ତ ଖେଳିବେ ବୋଲି ଡିଡିସିଏ ସଚିବ ଅଶୋକ ଶର୍ମା ସୂଚନା ଦେଇଛନ୍ତି । ଏହା ପୂର୍ବରୁ ୨୦୧୭-୧୮ ସିଜିନ୍‌ରେ ରଣଜୀ ଖେଳିଥିଲେ ପନ୍ତ । ସେପଟେ ବିରାଟ କୋହଲି ରଣଜୀ ଖେଳିବେ କି ନାହିଁ ସ୍ପଷ୍ଟ ହୋଇପାରି ନାହିଁ । ସେ ଶେଷ ଥର ଲାଗି ୨୦୧୨ରେ ରଣଜୀ ମ୍ୟାଚ୍‌ ଖେଳିଥିଲେ । ତେବେ ଏହି ସିଜିନ୍‌ରେ ସମ୍ଭାବ୍ୟ ଦିଲ୍ଲୀ ଟିମ୍‌ରେ ବିରାଟ କୋହଲିଙ୍କୁ ସାମିଲ କରାଯାଇଛି । 

ଅଶୋକ ଶର୍ମା କହିଛନ୍ତି, ହଁ, ପନ୍ତ ପରବର୍ତ୍ତୀ ମ୍ୟାଚ୍‌ରେ ସାମିଲ ହେବେ ଏବଂ ସେ ସିଧାସଳଖ ରାଜକୋଟ୍‌ରେ ପହଞ୍ଚିବେ ।   ବିରାଟ କୋହଲିଙ୍କୁ ନେଇ ସେ କହିଛନ୍ତି, ଆମ ଚାହୁଁଛୁ ସେ ଖେଳନ୍ତୁ । କିନ୍ତୁ ତାଙ୍କ ପାଖରୁ କୌଣସି ଜବାବ ମିଳିନାହିଁ । ସେହିଭଳି ହର୍ଷିତ ରାଣା ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ ଲାଗି ଚୟନ ହୋଇଥିବାରୁ ସେ ରଣଜୀ ଟିମ୍‌ରେ ସାମିଲ ହୋଇପାରିବେ ନାହିଁ । ସୁନୀଲ ଗାଭାସ୍କର ଏବଂ ରବି ଶାସ୍ତ୍ରୀଙ୍କ ଭଳି ପୂର୍ବତନ ଭାରତୀୟ କ୍ରିକେଟରଙ୍କ ମତରେ ରୋହିତ ଶର୍ମା ଏବଂ ବିରାଟ କୋହଲି ରଣଜୀ ଟ୍ରଫି ଖେଳିବାର ଆବଶ୍ୟକତା ରହିଛି । 
 ଏହାରି ମଧ୍ୟରେ ରୋହିତ ଶର୍ମା ମୁମ୍ବାଇ ଟିମ୍‌ର ଟ୍ରେନିଂ କ୍ୟାମ୍ପରେ ସାମିଲ ହୋଇସାରିଛନ୍ତି ।  ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର ଗାଭାସ୍କର ଟ୍ରଫିରେ ଖରାପ ପ୍ରଦର୍ଶନ ପାଇଁ ଉଭୟ ରୋହିତ ଏବଂ ବିରାଟଙ୍କ ରଣଜୀ ଖେଳିବାର ଗୁରୁତ୍ବ ବଢ଼ିଯାଇଛି । ସେପଟେ ମଙ୍ଗଳବାର ରୋହିତ ଶର୍ମା ମୁମ୍ବାଇ ଟିମ୍‌ରେ ସାମିଲ ହୋଇଥିଲେ ହେଁ ଆଗାମୀ ମ୍ୟାଚ୍‌ରେ ଖେଳିବେ କି ନାହିଁ ତାହା ସ୍ପଷ୍ଟ ହୋଇପାରି ନାହିଁ । ରୋହିତ ଶର୍ମାଙ୍କ ଭଳି ବିରାଟ କୋହଲି ରଣଜୀ ଟ୍ରଫି ଖେଳିପାରନ୍ତି ବୋଲି ଚର୍ଚ୍ଚା ଲାଗି ରହିଛି । 

ଡିଡିସିଏ ଷ୍ଟାର କ୍ରିକେଟରଙ୍କୁ  ନିଜର ସମ୍ଭାବ୍ୟ ଟିମ୍‌ରେ ସାମିଲ କରିଥିଲେ ବି ସେମାନଙ୍କ ଉପଲବ୍ଧତା ଉପରେ ସବୁକିଛି ନିର୍ଭର କରିବ । କୋହଲି, ପନ୍ତ ଏବଂ ହର୍ଷିତ ରାଣାଙ୍କ ବ୍ୟତୀତ ନିଜର ସମ୍ଭାବ୍ୟ ସ୍କ୍ବାଡ୍‌ରେ ୩୮ ଖେଳାଳିଙ୍କ ନାଁ ସାମିଲ କରିଛି ଦିଲ୍ଲୀ । ସେପଟେ ଗ୍ରୁପ୍‌-ଡିରେ ୧୪ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛି ଦିଲ୍ଲୀ ଟିମ୍‌ ।