ପୁରୀ ୨୮/୮ : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇରେ ମା’ ସମଲାଇଙ୍କ ପାଖରେ ଲାଗି ହୋଇଛି ନବାହ୍ନ। ଆଉ ଏପଟେ ଶ୍ରୀକ୍ଷେତ୍ର ପୁରୀରେ ମା’ଲକ୍ଷ୍ମୀ ପାଳିଛନ୍ତି ଋଷି ପଞ୍ଚମୀ ବତ୍ର। ଭାରତୀୟ ଶାସ୍ତ୍ରରେ ‘ପଞ୍ଚଯଜ୍ଞ’ର ରହିଛି ଉଲ୍ଲେଖ । ଏହି ପଞ୍ଚ ଯଜ୍ଞ ମଧ୍ୟରୁ ଗୋଟିଏ ହେଉଛି ‘ଋଷିଯଜ୍ଞ’। ଏହାର ଅର୍ଥ, ଯେଉଁ ମୁନିଋଷିମାନେ ଆମକୁ ସୁନିୟନ୍ତ୍ରିତ ଜୀବନଯାପନ କରିବା ନିମିତ୍ତ ଶାସ୍ତ୍ରପୁରାଣମାନ ରଚନା କରିଛନ୍ତି, ସେମାନଙ୍କୁ ଶ୍ରଦ୍ଧା ଓ ସମ୍ମାନ ପ୍ରଦର୍ଶନ। ତାହାର ଏକ ସୁନ୍ଦର ଉଦାହରଣ ହେଉଛି ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିର ବ୍ରତପାଳନ। ଏହି ତିଥିରେ କଶ୍ୟପ, ଅତ୍ରି, ଭରଦ୍ୱାଜ, ବିଶ୍ୱାମିତ୍ର, ଗୌତମ, ଯମଦଗ୍ନି ଓ ବଶିଷ୍ଠ ଆଦି ସପ୍ତଋଷିଙ୍କୁ ପୂଜା କରାଯାଇଥାଏ।
ତେବେ ଆଜି ଭାଦ୍ରବ ଶୁକ୍ଳ ପଞ୍ଚମୀ ତିଥିରେ ଶ୍ରୀମନ୍ଦିରରେ ଋଷି ପଞ୍ଚମୀ ବ୍ରତ ନୀତି ପାଳିତ ହୋଇଯାଇଛି। ସ୍ବୟଂ ମହାଲକ୍ଷ୍ମୀ ଠାକୁରାଣୀ ଏହି ବ୍ରତ ପାଳନ କରିଥାନ୍ତି। ଏଥିପାଇଁ ଶ୍ରୀମନ୍ଦିରରେ ଆଜି ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହୋଇଥାଏ। ପରମ୍ପରା ଅନୁଯାୟୀ, ଋଷି ପଞ୍ଚମୀ ନୀତି ପାଳନ ପୂର୍ବକ ଆଜି ସକାଳ ଧୂପ ସରିବା ପରେ ପୂଜାପଣ୍ଡା ଶ୍ରୀଦେବୀଙ୍କୁ ଆଜ୍ଞାମାଳ ପ୍ରଦାନ କରିଥାନ୍ତି। ପରେ ମହାଜନ ସେବକମାନେ ଶ୍ରୀଦେବୀଙ୍କୁ ସିଂହାସନରେ ବିଜେ କରାଇ ମୁକ୍ତିମଣ୍ଡପ ନିକଟକୁ ନେଇଥାନ୍ତି। ସେଠାରେ ମୁକ୍ତିମଣ୍ଡପ ତଳେ ଥିବା ପାଲିଙ୍କିରେ ଶ୍ରୀଦେବୀଙ୍କୁ ବିଜେ କରାଯାଇଥାନ୍ତି । ପରେ ଶ୍ରୀଦେବୀ ଶ୍ରୀମନ୍ଦିରରୁ ବାହାରି ମାର୍କଣ୍ଡ ପୁଷ୍କରିଣୀଠାରେ ଥିବା ମାର୍କଣ୍ଡେୟ ମହାଦେବଙ୍କ ମନ୍ଦିରକୁ ବିଜେ କରିଥାନ୍ତି । ସେଠାରେ ଶ୍ରୀଦେବୀଙ୍କୁ ମାଜଣା କରାଯାଇଥାଏ। ତତ୍ପରେ ପୂଜାପଣ୍ଡା ମାର୍କଣ୍ଡେୟଙ୍କ ଉପସ୍ଥିତିରେ ସପ୍ତଋଷିଙ୍କୁ ଆବାହନପୂର୍ବକ ବରୁଣ ପୂଜା ଆଦି କରି ନୈବେଦ୍ୟ ସମର୍ପଣ କରିଥାନ୍ତି । ବ୍ରତବିଧାନ ପଦ୍ଧତି ଅନୁସାରେ ସପ୍ତଋଷିଙ୍କ ବର୍ଣ୍ଣନା ଏହିପରି ରହିଚି। ଯଥା-
ଗୌତମଶ୍ଚ ଭରଦ୍ୱାଜୋ ବିଶ୍ୱାମିତ୍ରସ୍ତଥା ମୁନିଃ
ଜଗଦଗ୍ନିର୍ବଶିଷ୍ଠଶ୍ଚ ଅଙ୍ଗିରା ଅତ୍ରିରେବଚ ॥
ଏହାପରେ ପୂଜାପଣ୍ତା ବ୍ରତକଥା ପଠନ କରନ୍ତି ! ଏହି ବ୍ରତ କଥାରେ ପୂର୍ବକାଳରେ ଏକ ବ୍ରାହ୍ମଣ ଦମ୍ପତ୍ତି ଙ୍କ କନ୍ୟା କିପରି ଦୋଷଯୁକ୍ତ ହୋଇ ପୋକରେ ଭରିଜାଇଥିଲେ ଏହାପରେ ସେ ଋଷିପଞ୍ଚମୀ ବ୍ରତ କରିବାରୁ ସେହି ଦୋଷରୁ ମୁକ୍ତିଲାଭ କରିଥିଲେ, ଏହା ବର୍ଣ୍ଣିତ ଅଛି। ବ୍ରତ କଥା ପାଠ ପରେ ଠାକୁରାଣୀଙ୍କୁ ଆଳତି କରାଯାଇଥାଏ। ପୂଜାନୀତି ଶେଷ ପରେ ଠାକୁରାଣୀ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି । ଏହାପରେ ମଧ୍ୟାହ୍ନ ଧୂପ ହୋଇଥାଏ। ଏହି ବ୍ରତରେ ଋଷି ମାନଙ୍କୁ କ୍ଷୀର , କଦଳୀ ଓ ଫଳ ଭୋଗ ହୋଇଥାଏ।
ସ୍ତ୍ରୀମାନେ ରଜସ୍ବଳା ସମୟରେ ନିଜର ଅଜ୍ଞାତରେ ଯଦି କିଛି ଦୋଷ କରିଥାନ୍ତି, ସେଥିରୁ ମୁକ୍ତି ପାଇବା ପାଇଁ ସପ୍ତଋଷିଙ୍କୁ ପୂଜାର୍ଚ୍ଚନା କରିବାର ବିଧି ରହିଛି। ଶ୍ରୀଦେବୀ ଏହିଦିନ ତାଙ୍କର ବ୍ରତ ଉପଲକ୍ଷେ ଶ୍ରୀମନ୍ଦିରରୁ ପୂଜାପଣ୍ଡାଙ୍କୁ ଛଞ୍ଚା ଦେଇଥାନ୍ତି। ବର୍ଷକୁ ଥରେ ମା’ଏହି ଦିନ ପୂଜାପଣ୍ଡାଙ୍କୁ ଛଞ୍ଚା ଦେଇଥାନ୍ତି।ମାନ୍ୟତା ଯାହାବି ରହିଥାଉ ପଛରେ, କିନ୍ତୁ ଏଭଳି ପର୍ବ ପାଳନ ଭାରତୀୟ ସନାତନ ପରମ୍ପରାରେ ଋଷିମାନଙ୍କ ପ୍ରତି ଆଦର, ଶ୍ରଦ୍ଧା ଓ ସମ୍ମାନର ନିଦର୍ଶନ ନିଶ୍ଚୟ।ଏହି ଦିନ ସପ୍ତଋଷି ଙ୍କୁ ପୂଜା କରାଯାଏ। ସେହି ସପ୍ତଋଷିଙ୍କ ବିଷୟରେ ଭଗବାନ ବିଷ୍ଣୁଙ୍କ ମତ୍ସ୍ୟ ଅବତାରରେ ଉଲ୍ଲେଖ ମିଳେ।
ପୌରାଣିକ କିମ୍ବଦନ୍ତୀ :-
ବିଦର୍ଭ ଦେଶରେ ଉତ୍ତଙ୍କ ନାମକ ଜଣେ ସଦାଚାରୀ ବ୍ରାହ୍ମଣ ରହୁଥିଲେ। ତାଙ୍କ ପତ୍ନୀ ପତିବ୍ରତା ଥିଲେ। ତାଙ୍କର ଗୋଟିଏ କନ୍ୟା। କନ୍ୟାର ବିବାହ ତାଙ୍କ ସମକକ୍ଷ ଏକ କୁଳଶୀଳ ବର ସହିତ କଲେ। ଦୁର୍ଭାଗ୍ୟବଶତଃ କିଛି ଦିନ ପରେ ତାଙ୍କ କନ୍ୟା ବିଧବା ହୋଇଗଲେ। ଉତ୍ତଙ୍କ ମନଦୁଃଖରେ ନିଜ କନ୍ୟାକୁ ଆଣି ଗଙ୍ଗା ତଟରେ ଏକ କୁଡ଼ିଆ ଘର ତିଆରି କରି ରହିବାକୁ ଲାଗିଲେ। ଥରେ ବ୍ରାହ୍ମଣ କନ୍ୟା ଶୋଇଥିବା ସମୟରେ ହଠାତ୍ ତାଙ୍କ ଶରୀର ପୋକରେ ଭରିଗଲା। ବ୍ରାହ୍ମଣ କନ୍ୟା ତାଙ୍କ ମା’ଙ୍କୁ ସମସ୍ତ କଥା ଶୁଣାଇଲେ। ପତ୍ନୀ ସ୍ୱାମୀ ଉତ୍ତଙ୍କକୁ କହିଲେ- ମୋ ସାଧ୍ୱୀ କନ୍ୟାର ଏପରି ଦଶା ହେବାର କାରଣ କ’ଣ ? ଉତ୍ତଙ୍କ ସାଧନା ବଳରେ ଜାଣିବାକୁ ପାଇଲେ ଯେ ପୂର୍ବଜନ୍ମରେ ତାଙ୍କ କନ୍ୟା ବ୍ରାହ୍ମଣୀ ଥିଲେ। ସେ ରଜସ୍ୱଳା ହୋଇଥିବା ବେଳେ ବାସନ ସ୍ପର୍ଶ କରିଦେଇଥିଲେ ।ଯାହା ଫଳରେ ଏହି ଜନ୍ମରେ ତା’ ଶରୀରରେ ପୋକ ହୋଇଯାଇଛି।
ଧର୍ମ ଶାସ୍ତ୍ର ମାନ୍ୟତାନୁସାରେ ରଜସ୍ୱଳା ସ୍ତ୍ରୀ ପ୍ରଥମ ଦିନରେ ଚଣ୍ଡାଳୁଣୀ, ଦ୍ୱିତୀୟ ଦିନରେ ବ୍ରହ୍ମଘାତିନୀ ଏବଂ ତୃତୀୟ ଦିନରେ ଧୋବଣୀ ସହ ସମାନ ଅପବିତ୍ର ହୋଇଥାଏ । ସେ ଚତୁର୍ଥ ଦିନରେ ସ୍ନାନ କରି ଶୁଦ୍ଧ ହୋଇଥାଏ। ଯଦି ସେ ଶୁଦ୍ଧ ମନରେ ଋଷି ପଞ୍ଚମୀ ବ୍ରତ କରିବ ତା’ର ସମସ୍ତ ଦୁଃଖ ଦୂର ହୋଇଯିବ ଏବଂ ପରବର୍ତ୍ତୀ ଜନ୍ମରେ ସେ ସୌଭାଗ୍ୟପ୍ରାପ୍ତ କରିପାରିବ। ପିତା ଉତ୍ତଙ୍କ ଆଜ୍ଞା ପାଇଁ ସାଧ୍ୱୀ କନ୍ୟା ଋଷି ପଞ୍ଚମୀ ବ୍ରତ ପାଳନ କରିଥିଲେ। ଏହା କରିବାଦ୍ୱାରା ସାଧ୍ୱୀ କନ୍ୟାଙ୍କ ସମସ୍ତ ଦୁଃଖ କଷ୍ଟ ଦୂର ହେବା ସହ ଅକ୍ଷୟ ପ୍ରାପ୍ତ କଲେ ।