ଭୁବନେଶ୍ୱର,୨୪/୦୩ : ୨୦୨୫ରେ ଯକ୍ଷ୍ମା (ଟିବି) ମୁକ୍ତ ଓଡ଼ିଶା ଗଠନ ପାଇଁ ଅଣ୍ଟା ଭିଡ଼ିଥିଲେ ରାଜ୍ୟ ସରକାର । ଏହାପୂର୍ବରୁ ୨୦୨୪ରେ ଆରମ୍ଭ ହୋଇଥିଲା ସ୍ୱତନ୍ତ୍ର ୧୦୦ଦିନିଆ ଅଭିଯାନ । ରାଜ୍ୟର କୋଣ ଅନୁକୋଣକୁ ଯାଇ ରୋଗୀ ଚିହ୍ନଟ କରିଥିଲେ ସ୍ୱାସ୍ଥ୍ୟକର୍ମୀ । ଗତବର୍ଷ ମାର୍ଚ୍ଚରେ ଏହି ଅଭିଯାନ ସରୁସରୁ ଚିହ୍ନଟ ହୋଇଥିଲେ ମୋଟ ୧୨ ହଜାର ୨୪୫ । ହେଲେ ଏହି ସଂଖ୍ୟା ଆହୁରି ବଢିଚାଲିଥିଲା । ୨୦୨୫ ଶେଷରେ ଅର୍ଥାତ ୨୦୨୫-୨୬ରେ ରାଜ୍ୟରେ ୬୦ହଜାର ୪୨୩ ଜଣ ଯକ୍ଷ୍ମା ରୋଗୀ ଚିହ୍ନଟ ହୋଇସାରିଛନ୍ତି । ତେଣୁ ଏଠି ପ୍ରଶ୍ନ ଉଠୁଛି, ରାଜ୍ୟକୁ ଯକ୍ଷ୍ମା ମୁକ୍ତ କିଭଳି କରାଯିବ ?
ରାଜ୍ୟରେ ମାଳ ମାଳ ଯକ୍ଷ୍ମୀ ରୋଗୀ ଚିହ୍ନଟ ହେଉଥିବା ବେଳେ ସରକାର ମଧ୍ୟ ଏହାକୁ ପ୍ରତିହତ କରିବାକୁ ଲାଗି ପଡ଼ିଛନ୍ତି । ସଚେତନତା ସହ ଅଧିକରୁ ଅଧିକ ଯାଞ୍ଚ ବି ଚାଲିଛି । ସରକାରୀ ସ୍ତରରେ ଜାତୀୟ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେବା ସହ ରୋଗୀଙ୍କୁ ପୋଷଣଯୁକ୍ତ ଖାଦ୍ୟ ପ୍ରଦାନ (କିଟ୍) କରାଯାଉଛି । ହେଲେ ରୋଗୀଙ୍କ ସଂଖ୍ୟା ହ୍ରାସ ପାଉନଥିବାରୁ ଏବେ ଚିନ୍ତା ବଢିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା କଥା, ଅଧିକ ପ୍ରଦୂଷଣ ଅଞ୍ଚଳରେ ଯକ୍ଷ୍ମା ବଢୁଛି । ସେହିପରି ଅପପୁଷ୍ଟି ମଧ୍ୟ ଅନ୍ୟ ଏକ ପ୍ରମୁଖ କାରଣ । ତେଣୁ ନିକଟ ଭବିଷ୍ୟତରେ ଯକ୍ଷ୍ମା ମୁକ୍ତ ଓଡ଼ିଶା ଗଠନ ଅସମ୍ଭବ ଭଳି ଲାଗୁଛି । କରୋନା ଯିବା ପରେ ରାଜ୍ୟରେ ବଢିଚାଲିଛି ଯକ୍ଷ୍ମା ।
ସ୍ୱାସ୍ଥ୍ୟ ବିଭାଗର ତଥ୍ୟ କହୁଛି, ୨୦୨୦ରେ ରାଜ୍ୟରେ ୪୫ ହଜାର ୩୩୦ ରୋଗୀ ଚିହ୍ନଟ ହୋଇଥିଲେ । ୨୦୨୧ରେ ଯକ୍ଷ୍ମା ରୋଗୀଙ୍କ ସଂଖ୍ୟା ଥିଲା ୫୨ ହଜାର ୨୨୫ । ୨୦୨୨ରେ ୬୦ ହଜାର ୧୮୫ ଓ ୨୦୨୩ରେ ୬୧ ହଜାର ୧୮୫, ୨୦୨୪ରେ ୬୦ହଜାର ୧୭୯ଜଣ ରୋଗୀ ଚିହ୍ନଟ ହୋଇଥିଲେ । ୨୦୨୫ରେ ମଧ୍ୟ ସେହି ୬୦ହଜାର ରୋଗୀ ଚିହ୍ନଟ ହୋଇସାରିଛନ୍ତି । ଏଥିମଧ୍ୟରୁ ୭୦ ପ୍ରତିଶତରୁ ଅଧିକ ରୋଗୀ ସମ୍ବଲପୁର, ଝାରସୁଗୁଡ଼ା, କେନ୍ଦୁଝର, ସୁନ୍ଦରଗଡ଼ ଓ ଅନୁଗୁଳ ଭଳି ଜିଲ୍ଲାରେ ରହିଛନ୍ତି । ଅପରପକ୍ଷେ, ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଯକ୍ଷ୍ମା ସ୍ଥିତି ସଙ୍ଗୀନ । ପ୍ରତିବର୍ଷ ରୋଗୀ ସଂଖ୍ୟା ୪ ହଜାରକୁ ଛୁଇଁଲାଣି । ନ୍ୟାସନାଲ୍ ଟ୍ୟୁବର୍କୁଲେସିସ୍ ଏଲିମିନେସନ ପ୍ରୋଗ୍ରାମର ତଥ୍ୟ ଅନୁସାରେ ୨୦୨୦ରେ ଭୁବନେଶ୍ୱରରେ ୨୩୫୭ ଜଣ ଯକ୍ଷ୍ମାରୋଗୀ ଚିହ୍ନଟ ହୋଇଥିଲେ । ୨୦୨୧ରେ ୨୯୨୬ ଜଣ, ୨୦୨୨ରେ ୩୯୦୪, ୨୦୨୩ରେ ୪୨୪୨ ଓ ୨୦୨୪ରେ ୪୩୬୬ ଜଣ ଯକ୍ଷ୍ମାରୋଗୀ ଚିହ୍ନଟ ହୋଇଥିଲେ । ଦିନକୁ କ୍ୟାପିଟାଲ ହସ୍ପିଟାଲକୁ ୨୦୦ରୁ ୩୦୦ ରୋଗୀ ଆସୁଛନ୍ତି । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଡାକ୍ତର ।
କ୍ୟାପିଟାଲ ହସ୍ପିଟାଲର ଟିବି ବିଶେଷଜ୍ଞ ଡାକ୍ତର ସୁଦାମ ଚନ୍ଦ୍ର ସାହୁ କହିଛନ୍ତି, ଏ ଦିଗରେ ବ୍ୟାପକ ସଚେତନ ଦରକାର । ଡାକ୍ତରଙ୍କ ଠାରୁ ନେଇ ଆଶାକର୍ମୀମାନେ ନିଷ୍ଠାର ସହ କାମ କରିବାକୁ ହେବ । ପ୍ରଥମେ ଯକ୍ଷ୍ମାରୋଗ ଜଣାପଡ଼ି ନ ଥାଏ । ୩ ସପ୍ତାହରୁ ଅଧିକ ସମୟ ଧରି କଫ ଜମି ରହିଲେ ଅଧିକାଂଶ ସାଧାରଣ ଲୋକମାନେ ଏହାକୁ ଥଣ୍ଡା କାଶ ଭାବି ହେୟଜ୍ଞାନ କରନ୍ତି । ଡାକ୍ତରଖାନା ନଯାଇ ଔଷଧ ଖାଇ ଦେଇଥାନ୍ତି । ବସ୍ତି ଅଞ୍ଚଳରେ ଛୋଟ ଘରେ ଅଧିକ ଲୋକ ରହିବା ଓ ଖୋଲା ପବନ ମିଳୁ ନଥିବା କାରଣରୁ ଏହା ବ୍ୟାପିବା ସହଜ ହୋଇଥାଏ । ତେଣୁ ଲୋକେ ରୋଗ ବିଷୟରେ ଜାଣନ୍ତୁ । ଅଧିକ ପରିବା, ସୋୟାବିନ, ଅଣ୍ଡା ଭଳି ପ୍ରୋଟିନ୍ ଖାଆନ୍ତୁ । ପ୍ରଦୂଷଣ ଅଞ୍ଚଳରେ ମାସ୍କ ପିନ୍ଧନ୍ତୁ । ରୋଗୀଙ୍କୁ ପୋଷଣଯୁକ୍ତ ଖାଦ୍ୟ ଖାଇବା ଲାଗି କେନ୍ଦ୍ର ସରକାର "ନିକ୍ଷୟ' ପୋଷଣ ଯୋଜନାରେ ମାସିକ ହଜାର ଟଙ୍କା ଲେଖାଏ ପ୍ରଦାନ କରୁଛନ୍ତି ।