କୁଆଖିଆ,୦୭/୦୧: ଭାରସାମ୍ୟ ହରାଇ ଅଫିସ୍ ଗୃହକୁ ଧକ୍କା ଦେଲା ସ୍କର୍ପିଓ। ଫଳରେ ଅଫିସ୍ ଭିତରେ ଶୋଇଥିବା ୬ଜଣ କର୍ମଚାରୀ ଆହତ। ଯାଜପୁର ଜିଲ୍ଲା ମୁଗୁପାଳ-କୁଆଖିଆ ଜାତୀୟ ରାଜପଥ–୨୦ରେ ଥିବା ଜଗନ୍ନାଥ ସିମେଟ୍ ୱାର୍କ ଅଫିସରେ ଏହି ଘଟଣା ଘଟିଛି। ଆହତଙ୍କୁ ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ପ୍ରାଥମିକ ଚିକିତ୍ସା ପରେ ୪ଜଣ ଘରକୁ ଫେରିଥିବା ବେଳେ ୨ଜଣ ଗୁରୁତର ଆହତ ବର୍ତ୍ତମାନ ଯାଜପୁର ସରକାରୀ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।

ସୂଚନା ମୁତାବକ, ଗତକାଲି ନିଶାସକ୍ତ ଅବସ୍ଥାରେ ଦୃତ୍ତ ଗତିରେ ଗାଡି ଚଳାଇ ଯାଜପୁର ଟାଉନରୁ କୁଆଖିଆ ଅଭିମୁଖେ ଆସୁଥିଲା ଏହି ସ୍କର୍ପିଓ। ହେଲେ ମୁଗୁପାଳ-କୁଆଖିଆରେ ଥିବା ମୁଗୁପାଳ ଛକର ଜଗନ୍ନାଥ ସିମେଟ୍ ୱାର୍କ ଅଫିସ୍ ଗୃହ ଭିତରକୁ ଭାରସାମ୍ୟ ହରାଇ ଖୁବ୍ ଜୋରରେ ଧକ୍କା ଦେଇଥିଲା । ଫଳରେ ଅଫିସ୍ ଭିତରେ ଶୋଇଥିବା ୬ଜଣ କର୍ମଚାରୀ ଆହତ ହୋଇଥିଲେ। ଅଫିସ୍ ଘରଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ସେମାନେ ଚିତ୍କାର କରିବାରୁ ଶୋଇଥିବା ସ୍ଥାନୀୟ ଦୋକାନୀମାନେ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ମଧୂବନ ମେଡିକାଲକୁ ପଠାଇଥିଲେ। ମିଥୁନ୍ ବାଲରୁମ୍ ଓ କୈଳାସ ବେହେରା ଗୁରୁତର ଥିବାରୁ ଯାଜପୁର ମେଡିକାଲରେ ଚିକିତ୍ସାଧନ ଅଛନ୍ତି। ଦୁର୍ଘଟଣାଗ୍ରସ୍ତ ଗାଡିଟି ଘଟଣାସ୍ଥଳରେ ପଡିରହିଛି। ଖବରପାଇ କୁଆଖୁଆ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବାବେଳେ ଗାଡିରେ ଥିବା ଚାଳକ ଓ ଯାତ୍ରୀମାନେ ଫେରାର୍ ହୋଇଯାଇଥିବା ଜଣାଯାଇଛି ।