ଖଲ୍ଲିକୋଟ,୩୦।୧୧; ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚଣ୍ଡୀପୀଠ ଗ୍ରାମରେ ମର୍ମନ୍ତୁଦ ଦୁର୍ଘଟଣା । ବିଲରୁ ଫେରୁଥିବା ଚାଷୀଙ୍କୁ ଧକ୍କା ଦେଲା ଟ୍ରକ। ଫଳରେ ଘଟଣାସ୍ଥଳରେ ଚାଲିଗଲା ବୃଦ୍ଧ ଚାଷୀଙ୍କ ଜୀବନ। ମୃତ ଚାଷୀ ଜଣକ ଚଣ୍ଡୀପୀଠ ଗ୍ରାମର ୬୦ ବର୍ଷୀୟ ସନ୍ତୋଷ ପାହାନ ବୋଲି ଜଣାପଡିଛି।
ସୂଚନା ମୁତାବକ, ସନ୍ତୋଷ ଆଜି ସକାଳ ପ୍ରାୟ ୯ ଟାରେ ବିଲ କାମ ସାରି ଘରକୁ ସାଇକେଲ ଯୋଗେ ଫେରୁଥିଲେ। ସେହି ସମୟରେ ଏକ ଟ୍ରକ ଦଣ୍ଡ କାଳୀ ମନ୍ଦିର ନିକଟରେ ତାଙ୍କ ସାଇକେଲକୁ ଧକ୍କା ଦେଇଥିଲା। ଫଳରେ ସନ୍ତୋଷ ପାହାନ ସାଇକେଲରୁ ଛିଟିକି ଯାଇ ଗାଡି ଚକା ତଳେ ପଡି ଯାଇଥିଲେ। ପଛ ଚକା ମାଡି ଯିବାରୁ ଦୁର୍ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ସେଠାରୁ ତାଙ୍କ ମୃତଦେହକୁ ଖଲ୍ଲିକୋଟ ମେଡିକାଲକୁ ଅଣାଯାଇଥିଲା। ସେପଟେ ଖଲ୍ଲିକୋଟ ପୁଲିସ ଦୁର୍ଘଟଣା ଘଟାଇଥିବା ଗାଡିକୁ ଜବତ କରିଥିବା ଜଣାପଡିଛି।