କୋକସରା,୨୨/୦୫ : କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଟେମରା ଗ୍ରାମର ଈଶ୍ୱର ଚନ୍ଦ୍ର ସାହୁଙ୍କ ଘରେ ବିଳମ୍ବିତ ରାତିରେ ଡକାୟତି ଉଦ୍ୟମ ବିଫଳ ହୋଇଛି। ଡକାୟତମାନେ ଘରକୁ ପଶିବାକୁ ଉଦ୍ୟମ କରୁଥିବା ବେଳେ ଗୃହକର୍ତ୍ତା ଉଠି ପଡିବାରୁ ଡକାୟତମାନେ ଚମ୍ପଟ ମାରିଥିଲେ ।
ଟେମରା ଗ୍ରାମର ଈଶ୍ୱର ଚନ୍ଦ୍ର ସାହୁ ଓ ତାଙ୍କ ସାନ ପୁଅ ସୁଶାନ୍ତ କୁମାର ସାହୁଙ୍କ ପରିବାର ଦୁଇ ତାଲା କୋଠାରେ ରହୁଛନ୍ତି। ତେବେ ବୁଧବାର ବିଳମ୍ବିତ ରାତିରେ ସାହୁଙ୍କ ଘର ପଛ ପଟକୁ ଥିବା ପାଚେରୀକୁ ଡକାୟତମାନେ ସିନ୍ଧି କରି ପଶିଥିଲେ। କୋଠାରେ ଲାଗିଥିବା ପ୍ରାୟ ୬ ଟି ସିସିଟିଭି କ୍ୟାମେରାକୁ ଭାଙ୍ଗି ଡକାୟତି ପାଇଁ ଯୋଜନା ଆରମ୍ଭ କରିଥିଲେ। ଗୃହକର୍ତ୍ତା ଉଠି ପଡିବା ଜାଣି ଡକାୟତି ଦଳ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ଏନେଇ ଘଟଣା ସମ୍ପର୍କରେ କୋକସରା ପୁଲିସକୁ ଶ୍ରୀ ସାହୁଙ୍କ ବଡ ପୁଅ ପ୍ରଶାନ୍ତ କୁମାର ସାହୁ ଅଭିଯୋଗ କରିଥିଲେ। ଗୁରୁବାର ସକାଳେ କୋକସରା ପୁଲିସ ଏଏସଆଇ ସନ୍ତୋଷ ନାୟକ ସହିତ ପୁଲିସ ଟିମ ପହଞ୍ଚି ପାରିପାର୍ଶ୍ବିକ ଅବସ୍ଥା ଅନୁଧ୍ୟାନ କରିବା ସହ ଭଙ୍ଗାରୁଜା ହୋଇଥିବା ସିସିଟିଭି କ୍ୟାମେରା ଜବତ କରିଥିଲେ। ସନ୍ଧ୍ୟାରେ ପୁଲିସ ପକ୍ଷରୁ ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି।ଏନେଇ କୋକସରା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ତେବେ କୋକସରା ଥାନାଞ୍ଚଳରେ କିଛି ମାସର ବ୍ୟବଧାନ ପରେ ପୁଣି ଡକାୟତ ଦଳ ସକ୍ରିୟ ହୋଇଛନ୍ତି। ପୁଲିସ ପକ୍ଷରୁ ବ୍ୟାପକ ପାଟ୍ରୋଲିଂ କରିବାକୁ ଟେମରା ଅଞ୍ଚଳର ଜନ ସାଧାରଣ ଦାବି କରିଛନ୍ତି।