ରାୟଗଡ଼ା, ୩୦/୦୫: ରାୟଗଡ଼ା ସହରର ନିୟୁ କଲୋନୀରେ ରହୁଥିବା ହୋଟେଲ କୈଳାଶ ମାଲିକ ତଥା ଯୁବ ବ୍ୟବସାୟୀ ସୁବ୍ରତ ପତିଙ୍କ ଘରୁ ଗୁରୁବାର ବିଳମ୍ୱିତ ରାତିରେ ଲୁଟ୍ ହୋଇଛି । ପଛ ଘର ମୁଖ୍ୟ କବାଟ କାଟି ଦୁଇଟି ଆଲମିରା ଭାଙ୍ଗି ନଗଦ ୧୦ ଲକ୍ଷ ଟଙ୍କା, ପ୍ରାୟ ୨୦ ଭରି ସୁନା ଗହଣା ଏବଂ ୧ କେଜିରୁ ଉର୍ଦ୍ଧ୍ୱ ରୁପା ସାମଗ୍ରୀ ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଖବର ପାଇ ଘଟଣାସ୍ଥଳରେ ଏସଡିପିଓ ଗୌରହରି ସାହୁ, ଆଇଆଇସି କେକେବିକେ କହଁରଙ୍କ ସମେତ ସାଇଣ୍ଟିଫିକ ଟିମ୍ ଓ ଡଗ୍ ସ୍କ୍ୱାର୍ଡ ପହଞ୍ଚି ତଦନ୍ତ କରୁଛନ୍ତି ।
ସୂଚନା ମୁତାବକ, ରାୟଗଡ଼ା ସହରର ନିୟୁ କଲୋନୀରେ ସୁବ୍ରତ ପତି ଏବଂ ତାଙ୍କ ମାଆ ନିଶାମଣି ରୁହନ୍ତି । ମାଆ ପୁଅ ଘରର ଆଗପଟେ ରହୁଥିବା ବେଳେ ପଛ ଭାଗ ତାଲା ପଡ଼ିଥିଲା । ଅନ୍ୟ ଏକ ସ୍ଥାନରେ ଘର କାମ ଚାଲି ଥିବାରୁ ଘର ମାଲିକ ସୁବ୍ରତ ଘରେ ନଗଦ ଟଙ୍କା ରଖିଥିଲେ । ତେବେ ଗୁରୁବାର ବିଳମ୍ୱିତ ରାତିରେ ପଛ ଘରର ମୁଖ୍ୟ କବାଟ କାଟି ଦୁର୍ବୃତ୍ତମାନେ ଘର ଭିତରକୁ ପିଶିଥିଲେ । ଘରେ ଥିବା ଦୁଇଟି ଆଲମିରା ଭାଙ୍ଗି ନଗଦ ୧୦ ଲକ୍ଷ ଟଙ୍କା, ପ୍ରାୟ ୨୦ ଭରି ସୁନା ଅଳଙ୍କାର ଏବଂ ୧ କେଜିରୁ ଉର୍ଦ୍ଧ୍ୱ ରୁପା ସାମଗ୍ରୀ ଚୋରି କରି ନେଇ ଯାଇଥିଲେ।
ଶୁକ୍ରବାର ସକାଳୁ ପଛ ଘରକୁ ଯିବା ସମୟରେ ଘର କବାଟ ଖୋଲା ଥିବା ଦେଖିବାକୁ ପାଇଥିଲେ ସୁବ୍ରତ ଓ ତାଙ୍କ ମାଆ । ଏ ନେଇ ତୁରନ୍ତ ସ୍ଥାନୀୟ ପୁଲିସକୁ ଖବର ଦେବା ପରେ ଘଟଣା ସ୍ଥଳରେ ଏସଡିପିଓ ଗୌରହରି ସାହୁ, ଆଇଆଇସି କେକେବିକେ କହଁରଙ୍କ ସମେତ ସାଇଣ୍ଟିଫିକ ଟିମ୍ ଓ ଡଗ୍ ସ୍କ୍ୱାର୍ଡ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଦୁର୍ବୃତ୍ତମାନେ ଘର ପଛପଟରୁ ଆସିଥିବା ନେଇ ପୁଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରିଥିବା ବେଳେ ଘରେ ଲାଗିଥିବା ସିସିଟିଭିରେ ଦୁର୍ବୁତ୍ତମାନଙ୍କ କିଛି ଦୃଶ୍ୟ କଏଦ ହୋଇଥିବା ଜଣାପଡିଛି।