ନୂଆଦିଲ୍ଲୀ ୨୧/୦୪: ଚୀନ୍‌ର ରାଜଧାନୀ ବେଜିଂରେ ରବିବାର ଏକ ଚକିତ କଲାଭଳି ଘଟଣା ଘଟିଛି । ଚାଇନିଜ୍ ସ୍ମାର୍ଟଫୋନ୍ କମ୍ପାନି ଅନର ପକ୍ଷରୁ ପ୍ରସ୍ତୁତ ରୋବୋ ଲାଇଟନିଙ୍ଗ ୨୧.୧ କିମିର ହାଫ୍ ମାରାଥନ୍ ଦୌଡ଼କୁ ମାତ୍ର ୫୦ ମିନିଟ୍ ୨୬ ସେକେଣ୍ଡରେ ପୂରା କରିଛି । ପୂର୍ବରୁ ଉଗାଣ୍ଡାର ଧାବକ ଜ୍ୟାକବ୍ କିପ୍ଲିମୋ ସମାନ ଦୂରତାକୁ ୫୭ ମିନିଟ୍ ୨୦ ସେକେଣ୍ଡରେ ଅତିକ୍ରମ କରିଥିଲେ । ଲାଇଟନିଙ୍ଗ ତାଙ୍କଠାରୁ ୬ ମିନିଟ୍ ୫୪ ସେକେଣ୍ଡ ପୂର୍ବରୁ ଦୌଡ଼ ଶେଷ କରି ମନୁଷ୍ୟଦ୍ୱାରା ସ୍ଥାପିତ ବିଶ୍ୱରେକର୍ଡକୁ ଭଙ୍ଗ କରିଛି । ଏହି ଉପଲବ୍ଧିକୁ ଚୀନ୍‌ର ରୋବୋଟିକ୍ସ ଟେକ୍ନୋଲୋଜି କ୍ଷେତ୍ରରେ ଏକ ବିଶାଳ ଲମ୍ପ ବୋଲି ମନେ କରାଯାଉଛି । ଅନରର ରୋବୋ ମଧ୍ୟ ଏହି ପ୍ରତିଯୋଗିତାରେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହି ରୋବୋ ଦୁଇଟି ଯଥାକ୍ରମେ ୫୧ ଏବଂ ୫୩ ମିନିଟ୍‌ରେ ଦୌଡ଼କୁ ପୂରା କରିଥିଲେ । ଏହି ଘଟଣାର ଏକ ଭିଡିଓ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।

ଲାଇଟନିଙ୍ଗ ଏକ ଗାଢ଼ ଲାଲ୍ ଏବଂ କଳା ରଙ୍ଗର ହ୍ୟୁମାନଏଡ୍ ରୋବୋ । ତାର ଉଚ୍ଚତା ୧୬୯ ସେମି । ଦୌଡ଼ିବା ସମୟରେ ଗତକାଲି ନିୟନ୍ତ୍ରଣ ରଖିବା ଲାଗି ଏହି ରୋବୋ ନିଜର ଛୋଟ ହାତକୁ ନିରନ୍ତର ହଲାଇ ଚାଲିଥିଲା । ପୂରା ଦୌଡ଼ ପ୍ରତିଯୋଗିତା ଶେଷ ହେବାଯାଏ ଲାଇଟନିଙ୍ଗର ବେଗ କମିନଥିଲା । ଅଟୋମେଟିକ୍ ନାଭିଗେସନ୍ ସିଷ୍ଟମ ଯୋଗୁ ଲାଇଟନିଙ୍ଗ ଏହି ସଫଳତା ପାଇଥିବା ଆୟୋଜକମାନେ ଦର୍ଶାଇଛନ୍ତି । ସେମାନଙ୍କ ଅନୁସାରେ, ବର୍ଷକ ପୂର୍ବରୁ ଲାଇଟନିଙ୍ଗ ଏବଂ ଅନ୍ୟ ରୋବୋ ଦୌଡ଼ ପ୍ରତିଯୋଗିତାରେ ମଣିଷମାନଙ୍କଠାରୁ ପଛରେ ରହିଥିଲେ । କିନ୍ତୁ ଚଳିତବର୍ଷ ଲାଇଟନିଙ୍ଗ କମାଲ କରିଛି । ଗତବର୍ଷ ହାଫ୍ ମାରାଥନରେ ଚାମ୍ପିଅନ ହୋଇଥିବା ରୋବୋ ବି ଏଥର ଲାଇଟନିଙ୍ଗଠାରୁ ୨ ଘଣ୍ଟା ପଛରେ ରହିଛି । ଚଳିତବର୍ଷ ଏହି ପ୍ରତିଯୋଗିତାରେ ପ୍ରାୟ ୧୦୦ଟି ଟିମ୍ ଭାଗ ନେଇଥିଲେ ଯାହାକି ଗତବର୍ଷ ତୁଳନାରେ ୫ ଗୁଣା ଅଧିକ ।

ଚୀନ୍ ସରକାର ୨୦୧୫ରୁ ରୋବୋଟିକ୍ସକୁ ବହୁତ ଗୁରୁତ୍ୱ ଦେଇଆସୁଛନ୍ତି । ସରକାର ରୋବୋଟିକ୍ସକୁ ୧୦ ପ୍ରମୁଖ କ୍ଷେତ୍ର ମଧ୍ୟରେ ସାମିଲ କରି ଏଥି ସଂପର୍କିତ ଗବେଷଣାକୁ ପ୍ରୋତ୍ସାହିତ କରୁଛନ୍ତି । ସେ ଅନୁସାରେ, ଗତବର୍ଷ ବେଜିଂରେ ବିଶ୍ୱର ପ୍ରଥମ ହ୍ୟୁମାନଏଡ୍ ରୋବୋ ଗେମ୍ସ ଆୟୋଜିତ ହୋଇଥିଲା । ସେଥିରେ ରୋବୋଗୁଡ଼ିକ ଫୁଟବଲ, ବକ୍ସିଂ, ମାର୍ଶଲ ଆର୍ଟ ଭଳି ପ୍ରତିଯୋଗିତାରେ ଭାଗ ନେଇଥିଲେ । ସେହିପରି କିଛି ମାସ ପୂର୍ବରୁ ଚାଇନିଜ୍ ନୂଆବର୍ଷରେ କିଛି ରୋବୋ ମାର୍ଶଲ ଆର୍ଟ ପ୍ରଦର୍ଶନ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ । ଏବେ ହାଫ୍ ମାରାଥନ୍‌ରେ ରୋବୋର କମାଲ୍ ଏହି କ୍ଷେତ୍ରରେ ଚୀନ୍‌ର ପ୍ରଗତିକୁ ଦର୍ଶାଉଛି ।

ଆହୁରି ପଢ଼ନ୍ତୁ...ସାଉଦି ଆଗରେ ଆଣ୍ଠେଇଲା ପାକିସ୍ତାନ ! ସୁଦାନ ସହ ୪୨ ହଜାର କୋଟିର ମେଗା ପ୍ରତିରକ୍ଷା ଚୁକ୍ତି ବାତିଲ