ନୂଆଦିଲ୍ଲୀ,୦୬/୦୧: ଶରୀରରେ ଆଘାତ ଲାଗିଲେ, ଆମେ ତୁରନ୍ତ ପ୍ରତିକ୍ରିୟା ଦେଉ । କାରଣ ଆମ ତ୍ୱଚାରେ ଥିବା ସେନ୍‌ସର ମେରୁଦଣ୍ଡକୁ ସଙ୍କେତ ଦିଅନ୍ତି, ଯାହା ମସ୍ତିଷ୍କ ପାଇଁ ଅପେକ୍ଷା ନ କରି ତୁରନ୍ତ ପ୍ରତିକ୍ରିୟା ଦିଏ । ଏବେ ବୈଜ୍ଞାନିକମାନେ ସମାନ ସାମର୍ଥ୍ୟ ରୋବୋଠାରେ ବିକଶିତ କରୁଛନ୍ତି । ରୋବୋକୁ ଉନ୍ନତ କୃତ୍ରିମ ତ୍ୱଚା ପ୍ରଦାନ କରୁଛନ୍ତି, ଯାହା ସ୍ପର୍ଶ ଓ ଯନ୍ତ୍ରଣାକୁ ଅନୁଭବ କରିପାରିବ ଏବଂ ସଙ୍ଗେସଙ୍ଗେ ପ୍ରତିକ୍ରିୟା ଦେବ ।

 ସିଟି ୟୁନିଭର୍ସିଟି ଅଫ୍‌ ହଂକଂର ଗବେଷକଙ୍କ ଅନୁସାରେ, ବର୍ତ୍ତମାନର ଅଧିକାଂଶ ରୋବୋଟିକ୍‌ ବୈଦ୍ୟୁତିକ ତ୍ୱଚା ସରଳ । ଏଗୁଡ଼ିକ ଚାପ ଅନୁଭବ କରିବା ଭଳି ମୌଳିକ କାମ ପ୍ରଦର୍ଶନ କରନ୍ତି । କିନ୍ତୁ ସେମାନଙ୍କର ନୂଆ ନ୍ୟୁରୋମର୍ଫିକ୍‌ ରୋମୋଟିକ୍‌ ଇ-ସ୍କିନ୍‌ ମାନବ ସ୍ନାୟବିକ ପ୍ରଣାଳୀ ଦ୍ୱାରା ପ୍ରେରିତ ଏକ ସଂରଚନା ଉପରେ ପର୍ଯ୍ୟବସିତ । ଏହା ତାକୁ ଅତି ହାଲୁକା ସ୍ପର୍ଶ, ଯନ୍ତ୍ରଣା ଚିହ୍ନଟ ଏବଂ କ୍ଷତକୁ ଅନୁଭବ କରିବାକୁ ଦେବ । ରୋବୋକୁ ତୁରନ୍ତ ପ୍ରତିକ୍ରିୟା ଦେବାରେ ଏବଂ ମଡ୍ୟୁଲାର ଉପାଦାନ ଜରିଆରେ ତୁରନ୍ତ ଉପଷମ ପାଇଁ ସକ୍ଷମ କରିବ । ସରଳ ଭାଷାରେ, ଏହି ନୂଆ ରୋବୋଟିକ୍‌ ତ୍ୱଚାର କାର୍ଯ୍ୟ ଆପାତତଃ ମଣିଷ ତ୍ୱଚା ଭଳି । ଏହା ଉଭୟ ହାଲୁକା ଓ ଅଧିକ ବଳପୂର୍ବକ ସ୍ପର୍ଶକୁ ଚିହ୍ନଟ କରିବ । ରୋବୋ ଏହାକୁ ଯନ୍ତ୍ରଣା ବୋଲି ବୁଝିବ । ଲୋକାଲ ରିଫ୍ଲେକ୍ସ ସିଷ୍ଟମ୍‌ ସାହାଯ୍ୟରେ ରୋବୋ ନିଜର ମୁଖ୍ୟ କମ୍ପ୍ୟୁଟର୍‌ରୁ ନିର୍ଦ୍ଦେଶ ବିନା ତୁରନ୍ତ ବିପଦରୁ ନିଜକୁ ବାହାର କରିପାରିବ ।