ନୂଆଦିଲ୍ଲୀ, ୧୭/୧୨ : ଦିଲ୍ଲୀ ଜିଲ୍ଲା କ୍ରିକେଟ ସଂଘ ଡିଡିସିଏର ନିର୍ବାଚନରେ ରୋହନ ଜେଟଲୀ ବଡ଼ ବିଜୟ ହାସଲ କରିଛନ୍ତି । ସେ ବାରମ୍ବାର ତୃତୀୟ ଥର ଲାଗି ଡିଡିସିଏର ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି । ସେ ନିର୍ବାଚନରେ ପୂର୍ବତନ କ୍ରିକେଟର କୀର୍ତ୍ତି ଆଜାଦଙ୍କୁ ହରାଇଛନ୍ତି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିବଙ୍ଗତ ଅରୁଣ ଜେଟଲୀଙ୍କ ପୁଅ ୩୫ବର୍ଷିୟ ରୋହନଙ୍କୁ ୧୫୭୭ଭୋଟ ମିଳିଛି । ସେହିଭଳି କୀର୍ତ୍ତି ଆଜାଦଙ୍କୁ ୭୭୭ଭୋଟ ମିଳିଛି। ନିର୍ବାଚନରେ ପ୍ରାୟ ୨୪୧୩ଭୋଟ ପଡ଼ିଥିଲା ଏବଂ ଜିତିବାକୁ ୧୨୦୭ଭୋଟ ଆବଶ୍ୟକ ଥିଲା ।
ରୋହନ ୨୦୨୦ରେ ନିର୍ବିରୋଧ ନିର୍ବାଚିତ ହୋଇଥିଲେ ଯେତେବେଳେ ରଜତ ଶର୍ମା ମଝିରେ ପଦ ଛାଡ଼ିଥିଲେ । ଗୋଟିଏ ବର୍ଷ ପରେ ସେ ଆଡ଼ଭୋକେଟ ବିକାଶ ସିଂହଙ୍କୁ ହରାଇଥିଲେ । ଦିବଙ୍ଗତ ଅରୁଣ ଜେଟଲୀ ୧୪ବର୍ଷ ପର୍ଯ୍ୟନ୍ତ ଡିଡିସିଏର ଅଧ୍ୟକ୍ଷ ଥିଲେ । ରୋହନଙ୍କୁ ବିସିସିଆଇର ପୂର୍ବତନ କାର୍ଯ୍ୟକାରୀ ସଭାପତି ସିକେ ଖାନ୍ନାଙ୍କ ସମର୍ଥନ ଥିଲା ଯାହାଙ୍କ ଦିଲ୍ଲୀ କ୍ରିକେଟରେ ବହୁ ଦବଦବା ଥିଲା । ସିକେ ଖନ୍ନାଙ୍କ ପୁଅ ଶିଖା କୁମାର ଉପାଧ୍ୟକ୍ଷ ପଦ ନିର୍ବାଚନରେ ରାକେଶ କୁମାର ବଂସଲ ଏବଂ ସୁଧୀର କୁମାର ଅଗ୍ରଓ୍ବାଲଙ୍କୁ ହରାଇଥିଲେ । ୩ଜଣଙ୍କୁ କ୍ରମଶଃ ୧୨୪୬, ୫୩୬ ଏବଂ ୪୯୮ ଭୋଟ ମିଳିଛି ।