ବେଙ୍ଗାଲୁରୁ: ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଚାଲିଥିବା ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟର ତୃତୀୟ ଦିନରେ ମ୍ୟାଚର ସ୍ଥିତି ରୋଚକପୂର୍ଣ୍ଣ ହୋଇଛି । ପ୍ରଥମ ଇନିଂସରେ ମାତ୍ର ୪୬ ରନରେ ଅଲଆଉଟ ହୋଇଯାଇଥିବା ଭାରତ ନିଜର ଦ୍ବିତୀୟ ଇନିଂସରେ ଲଢୁଆ ବ୍ୟାଟିଂର ପ୍ରଦର୍ଶନ କରିଛି । ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ୩ ଓ୍ବିକେଟ ହରାଇ ୨୩୧ ରନ କରିଛି । ତଥାପି ନ୍ୟୁଜିଲାଣ୍ଡ ଠାରୁ ପଛରେ ରହିଛି ଭାରତୀୟ ଦଳ । ଏବେବି ଭାରତ ୧୨୫ ରନରେ ପଛୁଆ ରହିଛି ।
ନ୍ୟୁଜିଲାଣ୍ଡ ନିଜର ପ୍ରଥମ ଇନିଂସରେ ୪୦୨ ରନ କରି ଅଲଆଉଟ ହୋଇଯାଇଥିଲା । ରଚିନ ରବୀନ୍ଦ୍ର ଲଢୁଆ ୧୩୪ ରନ କରିଥିବାବେଳେ ଡେଭନ କନଓ୍ବେ ୯୧ ରନ କରିଥିଲେ । ସେହିପରି ଶେଷ ବେଳକୁ ଟିମ ସାଉଥି ୬୫ ରନ କରିଥିଲେ । ୩୫୬ ରନରେ ପଛୁଆ ଥିବା ଭାରତ ନିଜର ଦ୍ବିତୀୟ ଇନିଂସରେ ଲଢୁଆ ବ୍ୟାଟିଂ କରିଥିଲା ।
ଦୁଇ ଓପନର ଯଶସ୍ବୀ ଜୟସ୍ବାଲ ଓ ରୋହିତ ଶର୍ମା ଯଥାକ୍ରମେ ୩୫ ଓ ୫୨ ରନ କରି ଆଉଟ ହେବା ପରେ ବିରାଟ କୋହଲି ଓ ସରଫରାଜ୍ ଖାନଙ୍କ ପାର୍ଟନରସିପ ଦଳର ସ୍ଥିତିକୁ ମଜଭୁତ କରିଥିଲା । ତୃତୀୟ ଦିନର ଶେଷ ବଲ୍ରେ ବିରାଟ କୋହଲି ୭୦ ରନ କରି ଆଉଟ ହୋଇଥିବା ବେଳେ ସରଫରାଜ୍ ୭୦ ରନ କରି ଅପରାଜିତ ଅଛନ୍ତି । ନ୍ୟୁଜିଲାଣ୍ଡ ପକ୍ଷରୁ ଏଜାଜ ପଟେଲ ୩ଟି ଓ୍ବିକେଟ ନେଇଥିବା ବେଳେ ଗ୍ଲେନ୍ ଫିଲିପ୍ସ ଗୋଟିଏ ଓ୍ବିକେଟ ଅକ୍ତିଆର କରିଛନ୍ତି ।