କେନ୍ଦ୍ରାପଡ଼ା/ଆଳି,୧୨/୦୧: ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ଇଣ୍ଡିଆ ୱାନ୍ ଏୟାର୍ର ୯-ସିଟର ବିମାନ ଦୁର୍ଘଟଣାରେ ଆଳି ଥାନା ମାଣିକପାଟଣାର ଭାଇ ଭଉଣୀ ସୁଶାନ୍ତ ବିଶ୍ୱାଳ ଓ ଅନିତା ସାହୁ ଗୁରୁତର ହୋଇଛନ୍ତି । ତେବେ ବିମାନ ଦୁର୍ଘଟଣା ପାଇଁ କର୍ତ୍ତୃପକ୍ଷ ଓ ପାଇଲଟ୍‌ଙ୍କ  ଅବହେଳାକୁ ଦାୟୀ କରିଛନ୍ତି ସୁଶାନ୍ତଙ୍କ ଭାଇ ରଞ୍ଜନ ବେହେରା । ବିମାନରେ ତ୍ରୁଟି ଥିବା କଥା ପାଇଲଟ୍ ଜାଣିଥିଲେ ଓ ଜନବସତି ପୂର୍ବରୁ ଅବତରଣ କରିଥିଲେ ବୋଲି ସେ ଅଭିଯୋଗ ଆଣିଛନ୍ତି ।

ତାଙ୍କ କହିବା କଥା, ସେଦିନ ଭୁବନେଶ୍ୱରରୁ ୧୦ଟା ୧୦ରେ ବିମାନ ଛାଡ଼ିବାର ଥିଲା । ମାଉସୀ ପୁଅ ଝିଅ ସୁଶାନ୍ତ ବିଶ୍ୱାଳ ଓ ଅନିତା ସାହୁଙ୍କୁ ବିମାନବନ୍ଦରରେ ସେ ଛାଡ଼ି ଆସିଥିଲେ । ଘରକୁ ଆସିଲା ପରେ ଜାଣିବାକୁ ପାଇଥିଲେ ଯେ, ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯେଉଁ ବିମାନ ୧୦ଟା ୧୦ରେ ଛାଡ଼ିବା କଥା ସେ ବିମାନ ୧୨ ଟା ୨୭ ମିନିଟ୍‌ରେ ବିମାନବନ୍ଦର ଛାଡ଼ିଥିଲା । ସେ ଦୁର୍ଘଟଣା ଘଟିବା ପୂର୍ବରୁ ସୁଶାନ୍ତଙ୍କ ସହ କଥା ହୋଇଥିଲେ । ବିମାନ ଉଡ଼ାଣ ଘଣ୍ଟାଏ ବିଳମ୍ବ ହେବ ବୋଲି ତାଙ୍କୁ ସେ କହିଥିଲେ । ହେଲେ ପ୍ରାୟ ଅଢ଼େଇ ଘଣ୍ଟା ପରେ ବିମାନ ଉଡ଼ାଣ କରିଥିଲା । ବିମାନ ବନ୍ଦର କର୍ତ୍ତୃପକ୍ଷ ଓ ପାଇଲଟ୍ ଜାଣିଥିଲେ ଯେ କିଛି ତ୍ରୁଟି ରହିଛି ଯାହା ଫଳରେ ବିମାନର ମରାମତି କରାଯାଇଥିଲା । ଯେଉଁଥିପାଇଁ ବିଳମ୍ବ ହୋଇଥିଲା । ଦୁର୍ଘଟଣାରେ ତାଙ୍କ ଭଉଣୀଙ୍କ ମୁଣ୍ଡ ଫାଟି ଯାଇଛି । ସ୍ମରଣ ଶକ୍ତି ନ ଥିଲା । ଆଜି ସ୍ମୃତିଶକ୍ତି ଫେରିଛି । ଭାଇ ଏ ଯାଏ କୋମାରେ ଥିବା ସେ କହିଛନ୍ତି । ଏହି ଘଟଣା ପାଇଁ ବିମାନ କର୍ତ୍ତୃପକ୍ଷ ଦାୟୀ । ବିମାନରେ ତ୍ରୁଟି ଥିବା ଜାଣିବା ପରେ ଜନବସତି ପୂର୍ବରୁ ପାଇଲଟ୍ ଅବତରଣ କରିଥିଲେ । ଯଦି ବିମାନରେ ତ୍ରୁଟି ଥିବା ଜାଣିଥିଲେ ତା’ ହେଲେ ବିମାନ ଉଡ଼ାଣ ବାତିଲ ନକରି ପାଇଲଟ୍ କାହିଁକି ରିସ ନେଇଥିଲେ ବୋଲି ରଂଜନ ପ୍ରଶ୍ନ କରିଛନ୍ତି । ନିୟମିତ ଇଞ୍ଜିନ୍ ଯାଞ୍ଚ କରାଯିବା ନିୟମ ପାଳନ କରାଯାଇନାହିଁ, ଏଥିରେ ଅବହେଳା କରାଯାଇଥିବା ରଞ୍ଜନ ଅଭିଯୋଗ ଆଣିଛନ୍ତି ।