ଢେଙ୍କାନାଳ, ୨୨/୧୨ : ସାତ ପାହାଡ଼ର ସୌନ୍ଦର୍ଯ୍ୟ ସପ୍ତଶଯ୍ୟାର ଉନ୍ନତିକରଣରେ ଖର୍ଚ୍ଚ ହୋଇଛି ୪ କୋଟି ୬୦ ଲକ୍ଷ ଟଙ୍କା । ମାତ୍ର କରାଯାଇଥିବା ଉନ୍ନତିକରଣ ଦେଖା ସୁନ୍ଦର ହୋଇଥିବା ସ୍ଥଳେ ପର୍ଯ୍ୟଟକଙ୍କ ସୁବିଧା ପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ । ପାହାଡ଼ ଉପରେ ଥିବା ରଘୁନାଥ ଜିଉଙ୍କ ମନ୍ଦିରକୁ ଯାଇଥିବା ରାସ୍ତା ବିପର୍ଯ୍ୟସ୍ତ ହୋଇପଡ଼ିଥିଲେ ବି ତାହାର ମରାମତି କରାଯାଉନାହିଁ । ଶୌଚାଳୟ, ଯାତ୍ରୀ ବିଶ୍ରାମଗାର ସବୁକିଛି ପରିତ୍ୟକ୍ତ ଅବସ୍ଥାରେ ପଡ଼ିଛି । ପର୍ଯ୍ୟଟକ ହୀନସ୍ତା ହେଉଥିଲେ ବି ପ୍ରଶାସନ ଗୁରୁତ୍ୱ ଦେଉନଥିବା ଅଭିଯୋଗ ହେଉଛି ।   

ଢେଙ୍କାନାଳ ଜିଲ୍ଲା ପର୍ଯ୍ୟଟନ ମାନଚିତ୍ରରେ ସପ୍ତଶଯ୍ୟା ପ୍ରମୁଖ ସ୍ଥାନ ଗ୍ରହଣ କରିଛି । ପର୍ଯ୍ୟଟନ ଋତୁରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଏଠାକୁ ଲୋକଙ୍କ ଆଗମନ ହୋଇଥାଏ । ଦୀର୍ଘ ବର୍ଷ ଧରି ଏହା ଅବହେଳିତ ହୋଇ ପଡ଼ିଥିଲା । ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୪ କୋଟି ୬୦ ଲକ୍ଷ ଟଙ୍କା ଉନ୍ନୟନ ପାଇଁ ମଞ୍ଜୁର କରିଥିଲେ । ଓଟିଡିସି ଏହାର କାମ କରିବ ବୋଲି ଦୀର୍ଘ ବର୍ଷ ଟଙ୍କା ପଡ଼ିରହିଥିଲେ ହେଁ, କାମ ହେଉନଥିଲା । ଶେଷରେ ପ୍ରଶାସନର ନିଦ ଭାଙ୍ଗିଥିଲା । ଦୁଇ ବର୍ଷ ହେଲା କାମ ହୋଇ ନିକଟରେ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବଣଭୋଜି ହେଉଥିବା ପାହାଡ଼ ପାଦଦେଶରେ ପଥର ବିଛାଯାଇ କିଛି ଉନ୍ନୟନ କାମ ହୋଇଛି । ପ୍ରବେଶ ତୋରଣ ଆଦି ନିର୍ମାଣ ହୋଇଛି । ତୋରଣ କାର୍ଯ୍ୟ ଏପର୍ଯ୍ୟନ୍ତ ଶେଷ ହୋଇପାରିନାହିଁ ।   ଏସବୁ ମଧ୍ୟରେ ପର୍ଯ୍ୟଟକଙ୍କ ସୁବିଧା ପ୍ରତି ଦୃଷ୍ଟି ଦିଆଯାଇନାହିଁ । ପାହାଡ଼ ଉପରେ ରଘୁନାଥ ଜିଉଙ୍କ ମନ୍ଦିର ରହିଛି । ପର୍ଯ୍ୟଟକ ଚାଲିଚାଲି ଏବଂ ଗାଡ଼ିରେ ମନ୍ଦିର ପର୍ଯ୍ୟନ୍ତ ଯାଇଥାନ୍ତି । କିଛି ବର୍ଷ ପୂର୍ବରୁ ଏକ କିମିରୁ ଊର୍ଦ୍ଧ୍ୱ କଂକ୍ରିଟ୍‌ ରାସ୍ତା ଉପର ପର୍ଯ୍ୟନ୍ତ କରାଯାଇଥିଲା । ଯାହା ମରାମତି ଅଭାବରୁ ଉଠି ଯାଇ ଏବେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି । ଗାଡ଼ି ଉପରକୁ ଉଠିବା ବେଳେ କିମ୍ବା ଗଡ଼ିବା ବେଳେ ଚକା ଖାଲରେ ପଡ଼ି ଭାରସାମ୍ୟ ହରାଉଥିବା ଦେଖାଯାଉଛି । ମଟରସାଇକେଲ ପାଇଁ ଅଧିକ ବିପଦ ରହିଛି । କୌଣସି ସମୟରେ ଦୁର୍ଘଟଣା ଆଶଙ୍କା ରହିଛି । 

ସେହିଭଳି ରଘୁନାଥ ମନ୍ଦିର ନିକଟରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ତିଆରି ହୋଇଥିବା ଶୌଚାଳୟରେ ପାଣି ରହୁନଥିବା ବେଳେ ଅପରିସ୍କାର ହୋଇ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଛି । ଯାତ୍ରୀ ବିଶ୍ରାମଗାରର ସୁବିଧା ନାହିଁ । ପାହାଡ଼ ଉପରକୁ ଯାଉଥିବା ଲୋକ ଥକିବା ପରେ ମୌଳିକ ସୁବିଧା ନପାଇ ହନ୍ତସନ୍ତ ହେଉଛନ୍ତି । ବିଶେଷ କରି ମହିଳାମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ନେଟୱାର୍କ, ପାଣି, ଲାଇଟ୍‌ ଭଳି ଅନେକ ସମସ୍ୟାରେ ସପ୍ତଶଯ୍ୟା ସନ୍ତୁଳି ହେଉଥିବା ବେଳେ କେବଳ ସୌନ୍ଦର୍ଯ୍ୟକରଣରେ ସାଢ଼େ ୪ କୋଟି ଖର୍ଚ୍ଚ ହୋଇଛି ।   ଏ ନେଇ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଜଗଦୀଶ ରାୟ କହିଛନ୍ତି, ବନ ବିଭାଗର କଟକଣା ରହିଥିବାରୁ ରାସ୍ତା କରିବା ଅସମ୍ଭବ । ସେତେବେଳେ ଯେଉଁ ବିଭାଗ ରାସ୍ତା କରିଥିବ ସେହି ବିଭାଗ ହିଁ ତାହାର ମରାମତି କରିବ । ଶୌଚାଳୟ, ଯାତ୍ରୀ ବିଶ୍ରାମଗାର ଆଦି ମନ୍ଦିର ପରିସରରେ ରହୁଥିବାରୁ ତାହାର ପରିଚାଳନା ଓ ରକ୍ଷଣାବେକ୍ଷଣ ଦେବୋତ୍ତର ବିଭାଗର ଦାୟିତ୍ୱ ବୋଲି ଶ୍ରୀ ରାୟ କହିଛନ୍ତି । ଦେବୋତ୍ତର ବିଭାଗ କେବଳ ଭୋଗ ନିଲାମ ଆଦି ଦେଇ ଯାତ୍ରୀଙ୍କ ସୁବିଧାକୁ ଆଖି ବୁଜି ଦେଉଥିବା ଅଭିଯୋଗ ହୋଇଆସୁଛି । ବିଭାଗ ମଧ୍ୟରେ ସମନ୍ୱୟ ଅଭାବରୁ ସପ୍ତଶଯ୍ୟାର ପ୍ରକୃତ ସମସ୍ୟା ଦୂର ହୋଇପାରୁନାହିଁ । ଜିଲ୍ଲାପାଳ ଏଦିଗରେ ଦୃଷ୍ଟି ଦେବାକୁ ଦାବି ହୋଇଛି ।