ଖାର୍ତୁମ,୭।୨: ସୁଦାନରେ ଗତ ତିନି ବର୍ଷ ହେବ ଜାରି ଗୃହଯୁଦ୍ଧ କାରଣରୁ ଦେଶରେ ମାନବୀୟ ସଙ୍କଟ ଆହୁରି ବଢିବାରେ ଲାଗିଛି। ସେନା ଓ ରାପିଡ ସପୋର୍ଟ ଫୋର୍ସ ଭିତରେ ଜାରି ସଂଘର୍ଷ ଦେଶର ରାଜନୈତିକ ସ୍ଥିତିକୁ ସମ୍ପୂର୍ଣ୍ଣ ଭାବରେ ବଦଳାଇ ଦେଇଛି। ଏହା ଭିତରେ ସୁଡାନର ନର୍ଥ କୋର୍ଡୋଫାନ୍ ପ୍ରଦେଶ ରାହଦ ନିକଟରେ ଶନିବାର ହୋଇଛି ବଡ଼ ଧରଣର ଡ୍ରୋନ୍ ହମଲା। ଏହି ଆକ୍ରମଣରେ ୨୪ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ଭିତରେ ୮ ଜଣ ଶିଶୁ ରହିଛନ୍ତି। ଏହି ଆକ୍ରମଣ ଦେଶର କୁଖ୍ୟାତ ପାରା-ମିଲିଟାରୀ ଗ୍ରୁପ୍ର ରାପିଡ ସପୋର୍ଟ ଫୋର୍ସ(ଆରଏସ୍ଏଫ୍)କରିଛି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମୃତକଙ୍କ ମଧ୍ୟରେ ୮ ଶିଶୁ ଅଛନ୍ତି। ଏହି ଆକ୍ରମଣ ଦୁବେକିର ଅଞ୍ଚଳରୁ ପଳାୟନ କରୁଥିବା ବିସ୍ଥାପିତଙ୍କୁ ନେଇ ଯାଉଥିବା ଏକ ଗାଡ଼ିକୁ ଟାର୍ଗେଟ କରି କରାଯାଇଥିଲା। ଡାକ୍ତର ନେଟୱାର୍କ ପକ୍ଷରୁ ଅନ୍ତର୍ଜାତୀୟ ସମ୍ପ୍ରଦାୟ ଏବଂ ମାନବାଧିକାର ସଂଗଠନଗୁଡ଼ିକୁ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଏବଂ ଏହି ଅପରାଧ ପାଇଁ RSF ନେତୃତ୍ୱକୁ ସିଧାସଳଖ ଦାୟୀ କରିବାକୁ ନିବେଦନ କରିଛି।
ତେବେ ଏହି ଆକ୍ରମଣକୁ ନେଇ ଆରଏସ୍ଏଫ୍ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଟିପ୍ପଣୀ ଦିଆଯାଇ ନାହିଁ। ଏହି ସଂଗଠନ ଗତ ପ୍ରାୟ ୩ ବର୍ଷ ହେବ ସୁଦାନ ସେନା ବିରୋଧରେ ଦେଶ ଉପରେ କବଜା କରିବା ପାଇଁ ଯୁଦ୍ଧରେ ଲାଗି ରହିଛି। ୨୦୨୩ରେ ସୁଦାନର ସ୍ଥିତି ଖରାପ ହୋଇଥିଲା। ସେତେବେଳେ ସେନା ଓ ଆରଏସ୍ଏଫ୍ ଭିତରେ କ୍ଷମତାକୁ ନେଇ ସଂଘର୍ଷ ଆରମ୍ଭ ହୋଇଥିଲା। ତାପରେ ଏହା ଗୃହ ଯୁଦ୍ଧର ରୂପ ନେଇଥିଲା। ଜାତିସଂଘର ସୂଚନା ଅନୁସାରେ,ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ୪୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି। ୧.୪ କୋଟିରୁ ଅଧିକ ଲୋକ ନିଜ ଘରୁ ବିସ୍ଥାପିତ ହୋଇସାରିଛନ୍ତି।
ଆହୁରି ପଢନ୍ତୁ:୨୦୦ ବର୍ଷ ପୁରୁଣା ମନ୍ଦିର ଜଳି ହୋଇଗଲା ପାଉଁଶ, ମୂର୍ତ୍ତି ମଧ୍ୟ କ୍ଷତିଗ୍ରସ୍ତ