ପାଟନା, ୧୫/୧୧: ବିହାର ବିଧାନସଭା ନିର୍ବାଚନ ଫଳାଫଳ ଜୋରଦାର ବୟାନବାଜି ପରିବର୍ତ୍ତେ ନିରବ ରହି ରଣନୀତି କରିବାର ଶକ୍ତିକୁ ଉଜାଗର କରିଛି । ଯେଉଁଠି ରାଜନୈତିକ ଦଳଗୁଡ଼ିକ ଜୋରସୋର ପ୍ରଚାରରେ ମାତିଥିଲେ ସେଠାରେ ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ (ଆର୍‌ଏସ୍ଏସ୍) ପରଦା ପଛରେ ରହି କାମ କରିଥିଲା ଏବଂ ତୃଣମୂଳସ୍ତରରେ ଏକ ଏପରି ନେଟୱର୍କ ବନାଇଥିଲା ଯାହା କି ବିଶେଷକରି ବିଜେପି ଏବଂ ଏନ୍‌ଡିଏ ପାଇଁ ଐତିହାସିକ ପ୍ରଦର୍ଶନର ଆଧାର ପ୍ରସ୍ତୁତ କରିଥିଲା ।

ସଂଘର ରଣନୀତି ଅତ୍ୟନ୍ତ ସୁଚିନ୍ତିତ ଥିଲା । ହଜାର ହଜାର ଡ୍ରଇଂରୁମ୍ ବୈଠକ, ଅନୌପଚାରିକ ଭାବେ ସ୍ଥାନୀୟ ତଥା ପଡ଼ୋଶୀଙ୍କ ସହ ଚର୍ଚ୍ଚା, କମ୍ୟୁନିଟି ବାର୍ତ୍ତାଳାପ, ଜରୁରି ସାର୍ବଜନିନ ପ୍ରସଙ୍ଗ ଉପରେ ମତ ସଂଗ୍ରହ ଆଦି ମାଧ୍ୟମରେ ଭୋଟରଙ୍କ ସହ ଯୋଡ଼ି ହେବାର ସୁଯୋଗ ସୃଷ୍ଟି ହୋଇଥିଲା । ଏଥିରେ ହିନ୍ଦୁତ୍ୱର ସୂକ୍ଷ୍ମ ଅବଧାରଣାକୁ ମଧ୍ୟ ବଜାୟ ରଖାଯାଇଥିଲା । ଏଥିରେ ପାରମ୍ପରିକ ନିର୍ବାଚନ ପ୍ରଚାର, ଅଭିଯାନରେ ରାଲି କିମ୍ବା ପ୍ରମୁଖ ବ୍ୟକ୍ତିଙ୍କୁ ସମର୍ଥନ କରାଯିବା ଆଦି କାର୍ଯ୍ୟକ ବାଦ୍ ଦିଆଯାଇଥିଲା ।

​​​​​​​

ରାଜନୈତକ ରଣନୀତିକାରରୁ ରାଜନେତା ପାଲଟିଥିବା ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ପାର୍ଟି ବିଜେପି ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବାରୁ ସେଠାରେ ଆର୍‌ଏସ୍‌ଏସ୍‌ ପ୍ରଭାବ ଗୁରୁତ୍ୱପୂର୍ଣ୍ଣ ହୋଇଥିଲା । ଯେ କୌଣସି ପରିବର୍ତ୍ତନର ମୁକାବିଲା ଲାଗି ଅତିକମ୍‌ରେ ୨୦,୦୦୦ ଆର୍‌ଏସ୍ଏସ୍ ସ୍ୱଂୟସେବକ ତୃଣମୂଳସ୍ତରକୁ ଓହ୍ଲାଇ କାମ କରିଥିଲେ । ସେମାନେ ଲୋକଙ୍କ ମଧ୍ୟରେ ରାଷ୍ଟ୍ରବାଦୀ ଚିନ୍ତାଧାରା ବଢ଼ାଇଥିଲେ ଏବଂ ସେଠାକାର ସରକାରଙ୍କ କାମକୁ ରାଷ୍ଟ୍ର ହିତ ଦୃଷ୍ଟିକୋଣ ସହ ବ୍ୟାପକ ଭାବେ ଯୋଡ଼ିଥିଲେ । ଫଳସ୍ୱରୂପ ବିଜେପି ବିହାରରେ ଏକୁଟିଆ ଶକ୍ତିଶାଳୀ ଦଳ ହୋଇ ଉଭା ହୋଇପାରିଛି ଏବଂ ୯୫% ଷ୍ଟ୍ରାଇକ୍ ରେଟ୍‌ରେ ବାଜିମାତ୍ କରିଛି । ଭୋଟର ପୁଣି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ଭରସା କରିଛନ୍ତି ।

ଆର୍‌ଏସ୍ଏସ୍‌ର ଏହି ଅଭିଯାନ ମଡେଲ କେବଳ ବିହାର ପର୍ଯ୍ୟନ୍ତ ସୀମିତ ନ ଥିଲା । ଦିଲ୍ଲୀରେ ପ୍ରାୟ ୩ ଦଶନ୍ଧି ପରେ ସରକାରକୁ ଫେରିଥିବା ବିଜେପି ପାଇଁ ଆର୍ଏସ୍ଏସ୍ ପ୍ରାୟ ୫୦ ହଜାର ଡ୍ରଇଂରୁମ୍ ବୈଠକ କରିଥିଲା । ଏଥିରେ ସିଏଏ ବିରୋଧୀ ପ୍ରସଙ୍ଗ, ଦିଲ୍ଲୀ ଦଙ୍ଗା, ବାୟୁ ପ୍ରଦୂଷଣ, ଯମୁନା ନଦୀ ସଫେଇ ଆଦି ଉପରେ ଫୋକସ୍ କରାଯାଇଥିଲା । ଛୋଟ ଛୋଟ ଗୋଷ୍ଠୀ ତଥା ସମୂହ ସହ ଆଲୋଚନା ବିଜେପିକୁ ଦିଲ୍ଲୀ ବିଜୟ ପାଇଁ ବେଶ୍ ସହାୟକ ହୋଇଥିଲା । ଉଚ୍ଚସ୍ତରୀୟ ସମର୍ଥନ ଉପରେ ନିର୍ଭର କରିବା ବଦଳରେ ଆର୍‌ଏସ୍ଏସ୍ ନିଜ ସମୁଦାୟରେ ସମ୍ମାନିତ ବ୍ୟକ୍ତିଙ୍କୁ ସମ୍ବଳ କରିଥିଲା ଏବଂ ଅନୌପଚାରିକ ତଥା ବିଶ୍ୱସନୀୟ ଆଲୋଚନା ମାଧ୍ୟମରେ ଜନମତକୁ ଆକାର ଦେଇଥିଲା । ଲଗାତର ତୃଣମୂଳସ୍ତରରେ ହେଉଥିବା କାର୍ଯ୍ୟ କ୍ଷଣସ୍ଥାୟୀ ରାଜନୈତିକ ନାଟକବାଜିଠାରୁ ଅଧିକ ପ୍ରଭାବଶାଳୀ ବୋଲି ଆର୍‌ଏସ୍‌ଏସ୍ ବୁଝିଥିଲା ।

୨୦୨୭ରେ ଉତ୍ତରପ୍ରଦେଶ ଭଳି ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ଏଥିପାଇଁ ଏବେଠାରୁ ଆର୍‌ଏସ୍‌ଏସ୍ ଏହାର ପ୍ରସ୍ତୁତି ତୀବ୍ରଗତିରେ ଚଲାଇଛି । ନଭେମ୍ବର ୨୦ରୁ ଆରମ୍ଭ ହେବାକୁ ଯାଉଥିବା ‘ଗୃହ ସମ୍ପର୍କ ଅଭିଯାନ’ରେ ୨୦ ଲକ୍ଷରୁ ଅଧିକ ସ୍ୱଂୟସେବକ ୧ କୋଟିରୁ ଅଧିକ ଘରେ ପହଞ୍ଚିବେ । ଏହି ସ୍ୱଂୟସେବକଙ୍କ ମାଧ୍ୟମରେ ଆର୍‌ଏସ୍‌ଏସ୍ ବିଚାରଧାରାକୁ ପ୍ରୋତ୍ସାହିତ କରୁଥିବା ସାହିତ୍ୟ ଏବଂ ସନ୍ଦେଶ ବିସ୍ତାର କରାଯିବ । ଦୈନନ୍ଦିନ ସାମାଜିକ ଏବଂ ରାଜନୈତିକ ଚେତନାରେ ଆର୍‌ଏସ୍‌ଏସ୍ ଏହାର ଚିନ୍ତାଧାରାକୁ ପ୍ରବେଶ କରାଇ ନିଜର ଦୀର୍ଘକାଳୀନ ରଣନୀତିକୁ ଆହୁରି ମଜଭୁତ କରିବାକୁ ଲକ୍ଷ୍ୟ ରଖିଛି । ବିହାରରୁ ଦିଲ୍ଲୀ, ମହାରାଷ୍ଟ୍ର, ହରିୟାଣାରେ ଆର୍‌ଏସ୍‌ଏସ୍  ନୀରବ ପ୍ରଦର୍ଶନ ବେଶ୍ ପ୍ରଭାବଶାଳୀ ହୋଇଛି । ରାଜନୈତିକ ବିଜୟ କେବଳ ଜୋରଦାର ରାଲି ଏବଂ ଗଣମାଧ୍ୟମରେ ପ୍ରସାରଣ ଦ୍ୱାରା ନୁହେଁ ବରଂ ଶୃଙ୍ଖଳିତ ଏବଂ ତୃଣମୂଳସ୍ତରରେ ନିରନ୍ତର କାର୍ଯ୍ୟ ଦ୍ୱାରା ସମ୍ଭବ ହୋଇଥାଏ ବୋଲି ଆର୍‌ଏସ୍ଏସ୍ ପ୍ରମାଣିତ କରିଛି।