ଭୁବନେଶ୍ୱର,୧୨/୦୩: ଅପ୍ରେଲ ମାସ ୫ ତାରିଖରେ  ଅନୁଷ୍ଠିତ ହେବ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା  ରଥଯାତ୍ରା । ‘୩ତାରିଖ ସନ୍ଧ୍ୟା ସୁଦ୍ଧା ନବ ନିର୍ମିତ ରଥ ହସ୍ତାନ୍ତର କରିବାକୁ ପଡିବ । ୪ ତାରିଖ ନେତ୍ର ଉତ୍ସବ ନୀତି  ସଅଳ କରାଯିବ । ତେଣୁ ନିର୍ଦ୍ଧାରିତ ସମୟ ଭିତରେ ହିଁ ରଥ ତିଆରି କାମ ସାରିବାକୁ ହେବ’ ବୋଲି ମଙ୍ଗଳବାର  ମନ୍ଦିର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ରୁକୁଣା ରଥ ଯାତ୍ରାର ପ୍ରଥମ ପ୍ରସ୍ତୁତି ବୈଠକରେ ମହାରଣା ସେବାୟତଙ୍କ ଉଦ୍ଦେଶ୍ୟରେ ମନ୍ଦିର କାର୍ଯ୍ୟ ନିର୍ବାହୀଅଧିକାରୀ ତଥା  ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ନାରାୟଣ ମହାନ୍ତି କହିଛନ୍ତି ।   

ବୈଠକରେ ନିଷ୍ପତ୍ତି ମୁତାବକ, ଫଗୁଣ ଶୁକ୍ଳ ତ୍ରୟୋଦଶୀ ତଥା ବୁଧବାର ଦିନ ୧୧ଟାରୁ ସାଢେ ୧୧ଟା ମଧ୍ୟରେ ମହାଖଳା  ଠାରେ ରଥ କାଠ ଅନୁକୂଳ ହେବ । ଏଥିରେ ସମସ୍ତ ପାଳିଆ  ମହାରଣା ସେବାୟତ ଉପସ୍ଥିତ ରହିବେ । ଏବେ ସୁଦ୍ଧା ୨ଟି  ପର୍ଯ୍ୟାୟରେ ରଥ କାଠ ପହଞ୍ଚି ସାରିଛି । ଏଥର ବି ରଥ  ନିର୍ମାଣରେ ପ୍ରାୟ ୭୦ ଜଣ କାରିଗର ନିୟୋଜିତ ହେବେ ବୋଲି  ସୋମନାଥ ମହାରଣା ସୂଚନା ଦେଇଛନ୍ତି । ସକାଳ ୮ଟାରୁ ରାତି  ୧୨ଟା ପର୍ଯ୍ୟନ୍ତ ମହାଖଳାରେ ରଥ ତିଆରି କାମ କରାଯିବ ।  ପ୍ରସ୍ତୁତି ବୈଠକରେ ମୁଖ୍ୟ ମହାରଣା ସେବାୟତ ବଟକୃଷ୍ଣ  ମହାରଣା, ସୁପରଭାଇଜର ରାଜ କିଶୋର ମହାପାତ୍ରଙ୍କ  ସମେତ ଅନ୍ୟାନ୍ୟ ରଥ କାରୀଗର ମଧ୍ୟ ଉପସ୍ଥିତ ଥିଲେ ।