ଭୁବନେଶ୍ୱର,୨୨/୦୩: ଅଶୋକାଷ୍ଟମୀକୁ ଆଉ ମାତ୍ର ୪ ଦିନ । ଏହି ପବିତ୍ର ଦିନରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ, ଦୋଳ ଗୋବିନ୍ଦ ଓ ଦେବୀ ରୁକ୍ମିଣୀ ରାମେଶ୍ୱର ଅଭିମୁଖେ ରୁକୁଣା ରଥରେ ଯାତ୍ରା କରିବେ । ଏଥର ରଥକୁ ନୂଆ ରୂପରେ ଦେଖିବାକୁ ମିଳିବ । କାରଣ ଚଳିତବର୍ଷ ପାଶ୍ୱର୍ ଦେବଦେବୀ, ଘୋଡ଼ା, ଶୁଆ, ଦଧିନଉତି ଆଦି ନୂଆ କରାଯାଇଛି । ଏମିତିରେ ରଥର ବାକି ସମସ୍ତ ଅଂଶ ପ୍ରତିବର୍ଷ ନୂଆ କରି ନିର୍ମାଣ କରାଯାଏ ।

ଶନିବାର ରାତି ସୁଧା ରଥର ୨ୟ ଓ ୩ୟ ଭୂଇଁ ଉଠି ସାରିଛି । ଆଜି ପୋଟଳ ବାଡ଼ିଆ ହୋଇ ୪ ଦୁଆର କାମ ହେବ । ଦର୍ଜି ସେବାୟତଙ୍କ କପଡ଼ା ଆବରଣ ସରି ବୁଧବାର ସନ୍ଧ୍ୟାରେ ମନ୍ଦିର ପ୍ରଶାସନକୁ ରଥ ହସ୍ତାନ୍ତର କରାଯିବ । ସେହି ରାତିରେ ରଥ ପ୍ରତିଷ୍ଠା ନୀତି ହେବ । ଦିନ ଯେତିକି ପାଖେଇ ଆସୁଛି ରୁକୁଣା ରଥ ଯାତ୍ରା ପାଇଁ ସମସ୍ତଙ୍କ ମନରେ ଉତ୍ସାହ ସେତିକି ବଢ଼ିବାରେ ଲାଗିଛି ।

ତିଆରି ହେଲା ନୂଆ ଦଧିନଉତି

ରଥ ପାଇଁ ମହାରଣା କାରିଗରମାନେ ଆଜି ନୂଆ ଦଧିନଉତି ନିର୍ମାଣ ସାରି ରଙ୍ଗ ପାଇଁ ହସ୍ତାନ୍ତର କରିଛନ୍ତି ବୋଲି ମୁଖ୍ୟ ମହାରଣା ସେବାୟତ ସୋମନାଥ ମହାରଣା ଓ ପାଳିଆ ସେବାୟତ ପୁଲିନ ବିହାରି ମହାରଣା କହିଛନ୍ତି । ପ୍ରାୟ ୬୦ କିଲୋ ଓଜନ ଏହି ଦଧିନଉତିର ଉଚ୍ଚତା ଅଢେଇ ଫୁଟ ଓ ଚଉଡା ୩ ଫୁଟ । ଏଥିରେ ଝୁଲ ଏବଂ ଘୁଙ୍ଗୁର ମଧ୍ୟ ଲାଗି ହେବ । ଉପରେ ଦାନ ଏବଂ ତପ ନାମକ ୨ଟି ଶୁକ ପକ୍ଷୀ ଲଗାଯିବ । ଶୀର୍ଷରେ ରଥ ଧ୍ୱଜା ଲାଗିବ ।