ନୂଆଦିଲ୍ଲୀ, ୧୪/୦୭ : ବିଶ୍ୱ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାକୁ ବାଇପାସ୍। କ୍ରିପ୍ଟୋରେ ଜୋରଦାର କାରବାର କରୁଛନ୍ତି ରୁଷ, ଇରାନ ଏବଂ ଉତ୍ତର କୋରିଆ। ଏହି ୩ ମହାଶକ୍ତି ଏବେ ବିଶ୍ୱ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାଠାରୁ ଭିନ୍ନ ଏକ ସମାନ୍ତରାଳ ପେମେଣ୍ଟ୍ ନେଟ୍ୱର୍କ ବନାଇଲେଣି । କ୍ରିପ୍ଟୋ ଜରିଆରେ ଏମାନେ ଏକ ପୃଥକ ପେମେଣ୍ଟ ସିଷ୍ଟମ ଛିଡ଼ା କରିଛନ୍ତି। ବିଶେଷକରି ଆମେରିକା ଭଳି ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଦ୍ୱାରା ଲଗାଯାଇଥିବା କଟକଣାରୁ ବଞ୍ଚି ଲୁଚି ଲୁଚି କ୍ରିପ୍ଟୋରେ ଜୋରଦାର କାରବାର ଚଳାଇଛନ୍ତି ।
କ୍ରିପ୍ଟୋ ଟ୍ରାଞ୍ଜାକ୍ସନ ଉପରେ ନଜର ରଖୁଥିବା ସଂସ୍ଥା ଚେନାଲିସିସ୍ ଅନୁସାରେ, ୨୦୨୫ରେ ଏହି ରାଷ୍ଟ୍ରଗୁଡ଼ିକ କ୍ରିପ୍ଟୋ ଜରିଆରେ ୯.୯୨ ଲକ୍ଷ କୋଟି ଟଙ୍କାର ଟ୍ରାଞ୍ଜାକ୍ସନ କରିଛନ୍ତି। ଏହା ୨୦୨୪ ତୁଳନାରେ ୮ ଗୁଣା ଅଧିକ। ଦେଶଗୁଡ଼ିକ ଏହି ରାଶିର ବ୍ୟବହାର କେବଳ ବାଣିଜ୍ୟ କିମ୍ବା ସଞ୍ଚୟ ପାଇଁ ନୁହେଁ ବରଂ ଡ୍ରୋନ୍, ଅସ୍ତ୍ରଶସ୍ତ୍ର, ସୈନ୍ୟ ପ୍ରଯୁକ୍ତି ଏବଂ ତେଲ ବାବଦରେ ପେମେଣ୍ଟ କରୁଛନ୍ତି । ରୁଷ ରୁବେଲ ସହ ଜଡ଼ିତ ଏ୭୫ ଟୋକନ ପ୍ରସ୍ତୁତ କରିଛି । ଏହା ମାଧ୍ୟମରେ ଜଣେ ରୁଷ୍ରେ ରୁବେଲରେ ପେମେଣ୍ଟ କରି ପରେ ଏହାକୁ ବିଦେଶରେ କ୍ରିପ୍ଟୋକୁ ବଦଳାଇପାରିବେ । ମେ’ ସୁଦ୍ଧା ଏଥିରେ ୧୧.୪ ଲକ୍ଷ କୋଟି ଟଙ୍କାର ଟ୍ରାଞ୍ଜାକ୍ସନ ହୋଇସାରିଛି । ନେଟ୍ୱର୍କରେ ୪୧ ହଜାରରୁ ଅଧିକ ଖାତାରେ ୨.୫ ଲକ୍ଷ କୋଟି ଟ୍ରାନ୍ସଫର ହୋଇଛି । ସେହିପରି ଇରାନ ଘରୋଇ କ୍ରିପ୍ଟୋ ଏକ୍ସଚେଞ୍ଜଗୁଡ଼ିକୁ ତେଲ ବିକ୍ରି ଏବଂ ବିଦେଶୀ ପେମେଣ୍ଟର ବୈକଳ୍ପିକ ପାଇପ୍ଲାଇନ୍ ବନାଇଦେଇଛି । ରିଭୋଲ୍ୟୁସ୍ନାରୀ ଗାର୍ଡ କ୍ରିପ୍ଟୋରେ ତେଲ ବାବଦ ଅର୍ଥରାଶି ନେଉଛନ୍ତି ଏବଂ ତାହାକୁ ଡିଜିଟାଲ ୱାଲେଟ୍ରେ ଅନ୍ୟ ଦେଶଗୁଡ଼ିକୁ ପଠାଉଛନ୍ତି । ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକର ପ୍ରତିବନ୍ଧକକୁ ଏଡ଼ାଇବା ପାଇଁ କ୍ରିପ୍ଟୋକୁ ପେମେଣ୍ଟର ଅସ୍ତ୍ର ବନାଇଛନ୍ତି ରୁଷ ଏବଂ ଇରାନ ଭଳି ରାଷ୍ଟ୍ର।
ଅନ୍ୟପକ୍ଷରେ, ଉତ୍ତର କୋରିଆ କ୍ରିପ୍ଟୋ ଚୋରିକୁ ଆୟ ଏବଂ ଅସ୍ତ୍ରଶସ୍ତ୍ର କାର୍ଯ୍ୟକ୍ରମର ମାଧ୍ୟମ ବନାଇଛି । ୨୦୨୫ରେ ଉତ୍ତର କୋରିଆର ହ୍ୟାକର୍ମାନେ ୨୦ ହଜାର କୋଟି ଚୋରାଇଥିଲେ । ୨୦୧୬ରୁ ୨୬୩ଟି ଘଟଣାରେ ଉତ୍ତର କୋରିଆ ୬.୭୫ ବିଲିୟନ ଡଲାରର କ୍ରିପ୍ଟୋ ଚୋରାଇସାରିଛି । ଏହାକୁ ସୈନ୍ୟ ଉପକରଣ ଏବଂ ମିସାଇଲ କ୍ରୟରେ ବ୍ୟବହାର କରାଯାଉଛି । ଇରାନର ସବୁଠୁ ବଡ଼ କ୍ରିପ୍ଟୋ ଏକ୍ସଚେଞ୍ଜ ହେଉଛି ନୋବାଇଟେକ୍ସ । ଦେଶର ପ୍ରାୟ ୭୦% ଡିଜିଟାଲ ମୁଦ୍ରା ଟ୍ରାଞ୍ଜାକ୍ସନକୁ ଏହା ପରିଚାଳନା କରିଥାଏ ଏବଂ ଏହାର ୧.୧ କୋଟି ୟୁଜର ଅଛନ୍ତି । ଆମେରିକାର ଅଭିଯୋଗ ହେଉଛି, ନୋବାଇଟେକ୍ସ ଜରିଆରେ ପ୍ରତିବନ୍ଧିତ ତେଲର ରାଶି ଏବଂ ରିଭୋଲ୍ୟୁସନାରୀ ଗାର୍ଡ ସହ ଜଡ଼ିତ ପେମେଣ୍ଟ ପଠାଯାଉଛି । ଆମେରିକା ପକ୍ଷରୁ ନୋବାଇଟେକ୍ସ ଏବଂ ଏହାର ସହ-ପ୍ରତିଷ୍ଠାତା ଅଲ୍ଲୀ ଏବଂ ମହମ୍ମଦ ଖରଜୀଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଉଭୟ ଭାଇଙ୍କର ଇରାନ ସୁପ୍ରିମ୍ ଲିଡରଙ୍କ ସହ ପାରିବାରିକ ସମ୍ପର୍କ ରହିଛି ।
ସେହିଭଳି ଚୀନ୍ ସହ ଜଡ଼ିତ ମନି-ଲଣ୍ଡରିଂ ନେଟ୍ୱର୍କ ଏବେ ‘ଲଣ୍ଡରିଂ-ଏଜ୍-ଏ-ସର୍ଭିସ’ ମଡେଲ ଉପରେ କାର୍ଯ୍ୟ କରୁଛି । ଚେନାଲିସିସ୍ ମୁତାବକ, ଚୀନି ନେଟ୍ୱର୍କ ୪,୨୦୦ କୋଟି ଟଙ୍କାର କଳାଟଙ୍କାକୁ ଦୈନିକ ଧଳା କରୁଛି । ୨୦୨୫ରେ ଏହା ୧.୫୪ ଲକ୍ଷ କୋଟି ଟଙ୍କାକୁ ଧଳା କରିଥିଲା । ଏହି ନେଟ୍ୱର୍କ ପ୍ରତିବନ୍ଧିତ ଦେଶଗୁଡ଼ିକର ପେମେଣ୍ଟ ଏବଂ ଆତଙ୍କବାଦ ଫଣ୍ଡିଂ ରାଶିକୁ ଏକସଙ୍ଗେ ପ୍ରୋସେସ୍ କରିଥାଏ । ନକଲି ପରିଚୟପତ୍ର, ଏଆଇ ଦ୍ୱାରା ପ୍ରସ୍ତୁତ ଦସ୍ତାବିଜ ଏବଂ ଡିପ୍ଫେକ୍ ଇଣ୍ଟର୍ଭ୍ୟୁ ଜରିଆରେ ଚୀନ୍, ଉତ୍ତର କୋରିଆ ଏବଂ ଇରାନ ଭଳି ଦେଶଗୁଡ଼ିକର ଅପରେଟିଭ୍ସମାନେ ୪୦ ଦେଶର କ୍ରିପ୍ଟୋ ଏବଂ ଟେକ୍ନୋଲୋଜି କମ୍ପାନିଗୁଡ଼ିକରେ ରିମୋଟ୍ ନିଯୁକ୍ତି ହାସଲ କରିଛନ୍ତି । ଏହି ନେଟ୍ୱର୍କ ଦୁଇ ବର୍ଷରେ ୨୬,୭୦୦ କୋଟି ଟଙ୍କା ଏକତ୍ର କରିଛନ୍ତି।
ଆହୁରି ପଢନ୍ତୁ- Iran vs US War: ଇରାନ ହମ୍ଲାରେ ଭାରତୀୟ ନାବିକଙ୍କ ମୃତ୍ୟୁ, ୮ ଆହତ; ହୋର୍ମୁଜରେ ୟୁଏଇ ଜାହାଜକୁ ଦାଗିଲା କ୍ରୁଜ୍ ମିସାଇଲ୍
From Struggle to Success: Actor Rajesh Sharma's Life Story | ରାଜେଶ ଶର୍ମାଙ୍କ ସଫଳତା ପଛର ସଂଘର୍ଷ କାହାଣୀ