ନୂଆଦିଲ୍ଲୀ: ସିରିଆରେ ଘୋର ରାଜନୈତିକ ସଙ୍କଟ ଦେଖାଦେଇଛି । ରାଷ୍ଟ୍ରପତି ବସର ଅଲ୍‌ ଅସଦଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଚର୍ଚ୍ଚା ମଧ୍ୟରେ ଋଷିଆ ଏକ ବଡ଼ ଦାବି କରିଛି । ରାଷ୍ଟ୍ରପତି ଖୋଦ ଦେଶ ଛାଡ଼ି ଚାଲିଯିବାକୁ ନିଷ୍ପତ୍ତି ନେଇଥିବା ବେଳେ ଶାନ୍ତିପୂର୍ଣ୍ଣ ଉପାୟରେ କ୍ଷମତା ହସ୍ତାନ୍ତର କରିବାକୁ କହିଛନ୍ତି ବୋଲି ଋଷ ପକ୍ଷରୁ ଦାବି ହୋଇଛି । ସିରିଆ ରାଷ୍ଟ୍ରପତି ବସର ଅଲ ଅସଦ ଗାଦିଚ୍ୟୁତ ହେବା ପରେ ଦୀର୍ଘ ୨୫ ବର୍ଷ ଶାସନର ଅବସାନ ଘଟିଛି । ଏପରିକ ଅସଦଙ୍କ ପରିବାରରେ ଥିବା ସିରିଆରେ ଦୀର୍ଘ ୫୦ ବର୍ଷର ଶାସନକୁ ଧୂଳିସାତ କରିଛନ୍ତି ବିଦ୍ରୋହୀ । 

ସେପଟେ ଅସଦ ବିଦ୍ରୋହୀ ଗୋଷ୍ଠୀଙ୍କ ସହ ଆଲୋଚନା କରିବା ପରେ ରାଷ୍ଟ୍ରପତି ଗାଦି ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ ବୋଲି ଋଷ ଦାବି କରିଛି । ଏପରିକି ସେ ଗଲା ବେଳେ ଶାନ୍ତିପୂର୍ଣ୍ଣ ଉପାୟରେ ଶାସନ ହସ୍ତାନ୍ତର ଉପରେ ଜୋର ଦେଇଥିବା ଜଣାପଡ଼ିଛି । ହେଲେ ଏହି ଆଲୋଚନାରେ ଋଷ ଅଂଶଗ୍ରହଣ କରିନାହିଁ ବୋଲି ଋଷହର ବୈଦେଶିକ ମନ୍ତ୍ରାଳୟ କହିଛି । ସେପଟେ ସିରିଆରେ ଥିବା ଋଷ ସୈନିକଙ୍କୁ ଆଲର୍ଟ କରି ଦେଇଛି ମସ୍କୋ । ଋଷର ବୈଦେଶିକ ମନ୍ତ୍ରାଳୟ ଅନୁସାରେ, ସିରିଆରେ ଥିବା ସୈନିକଙ୍କୁ ହାଇ ଆଲର୍ଟରେ ରଖାଯାଇଛି । ରବିବାର ଅପରାହ୍ଣ ସୁଦ୍ଧା ଋଷ ସୈନ୍ୟ ଠିକଣା ପ୍ରତି ସେଭଳି କିଛି ଆହ୍ବାନପୂର୍ଣ୍ଣ ସ୍ଥିତି ଉପୁଜି ନାହିଁ । ସେପ୍ଟେମ୍ବର ୨୦୧୫ ପର୍ଯ୍ୟନ୍ତ ଋଷ ସେନା ଅସଦଙ୍କ ସରକାରଙ୍କୁ ବିଦ୍ରୋହୀ ଗୋଷ୍ଠୀଙ୍କ ସହ ମୁକାବିଲା କରିବାକୁ ସହାୟତା କରିଆସିଛି । କିନ୍ତୁ ଦେଶରେ ଏବେ ସ୍ଥିତି ବିଲକୁଲ ବଦଳିଯାଇଛି ।  

ଏହା ପୂର୍ବରୁ ଆଜି ଖବର ମିଳିଥିଲା ଯେ, ଦେଶ ଛାଡି ପଳାଉଥିବା ସିରିଆ ରାଷ୍ଟ୍ରପତି ବସର ଅଲ-ଅସଦଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିଦ୍ରୋହୀଙ୍କ ଆକ୍ରମଣ ପରେ ସିରିଆ ରାଷ୍ଟ୍ରପତି ବସର ଅଲ-ଅସଦ ଏବଂ ତାଙ୍କ ପରିବାର ରାଜଧାନୀ ଡାମାସକସ ଛାଡ଼ି ପଳାୟନ କରିଛନ୍ତି। ସେମାନେ ବିମାନରେ ଚଢ଼ୁଥିଲେ, କିନ୍ତୁ ବିଦ୍ରୋହୀମାନେ ସେମାନଙ୍କ ବିମାନକୁ ଗୁଳି କରି ଖସାଇ ଦେଇଥିବା କୁହାଯାଉଛି । ମିଳିଥିବା ସୂଚନା ଅନୁଯାୟୀ, ତାଙ୍କ ବିମାନ ଆକାଶରେ ୫୦୦ ମିଟର ଉଚ୍ଚରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯାହାର ଭଗ୍ନାବଶେଷ ମଧ୍ୟ ଉଦ୍ଧାର କରାଯାଇଛି। 

ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ରାଡାରରୁ ନିଖୋଜ ହୋଇଯାଇଥିଲା। କୁହାଯାଉଛି ଯେ ସେ ତାଙ୍କ ପରିବାର ସହ ଦେଶ ଛାଡୁଥିବା ବେଳେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଗତ ୧୨ ବର୍ଷ ହେବ ସିରିଆରେ ଗୃହଯୁଦ୍ଧ ଜାରି ରହିଛି। ଏବେ ସିରିଆ ବିଦ୍ରୋହୀଙ୍କ ଆକ୍ରମଣ ତୀବ୍ର ହେବାରେ ଲାଗିଛି। ଆଲେପ୍ପୋ ଓ ହୋମ୍ସ ଭଳି ପ୍ରମୁଖ ସହରକୁ ଦଖଲ କରିବା ପରେ ବିଦ୍ରୋହୀମାନେ ରାଜଧାନୀ ଡାମାସକସ ଅଭିମୁଖେ ଯାତ୍ରା କରିଥିଲେ। ବିଦ୍ରୋହୀମାନେ ପୂର୍ବଦିନ ଡାମସକସରେ ଆକ୍ରମଣ କରି ରାଷ୍ଟ୍ରପତିଙ୍କୁ ରାଜଧାନୀ ଛାଡ଼ିବାକୁ ବାଧ୍ୟ କରିଥିଲେ। ସେମାନେ ରାଜଧାନୀକୁ କବ୍‌ଜା କରିଥିବା ଦାବି କରିଛନ୍ତି।