ନୂଆଦିଲ୍ଲୀ,୦୫/୦୬: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍ସକି ଏକ ବଡ଼ ଦାବି କରିଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ପୋଷ୍ଟ କରିଛନ୍ତି ଯେ ବୁଧବାର ରାତିରେ ରୁଷ ଚେର୍ନିହିଭ ଅଞ୍ଚଳର ପ୍ରିଲୁକି ଉପରେ ଡ୍ରୋନ୍ ଆକ୍ରମଣ କରିଛି। ସେ କହିଛନ୍ତି ଯେ ଏହି ଆକ୍ରମଣରେ ଅନେକ ଲୋକ ପ୍ରାଣ ହରାଇଛନ୍ତି ଏବଂ ଅନେକ ଆହତ ହୋଇଛନ୍ତି। ଜେଲେନସ୍କି କହିଛନ୍ତି ଯେ ଏହି ଡ୍ରୋନ୍ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ପତ୍ନୀ, ଝିଅ ଏବଂ ଏକ ବର୍ଷର ନାତିର ମୃତ୍ୟୁ ହୋଇଛି। ଯୁଦ୍ଧ ଆରମ୍ଭ ହେବା ପରଠାରୁ ତମାମ ଆକ୍ରମଣରେ ୟୁକ୍ରେନରେ ୬୩୨ ଜଣ ଶିଶୁ ପ୍ରାଣ ହରାଇଛନ୍ତି।
ମୃତକଙ୍କ ପରିବାର ପ୍ରତି ସମବେଦନା ପ୍ରକାଶ କରି ଜେଲେନ୍ସକି କହିଛନ୍ତି ଯେ 'ରୁଷ ଆକ୍ରମଣ ଜାରି ରଖିଛି। ସେ କହିଛନ୍ତି, "ଯେତେବେଳେ ରୁଷକୁ ସାରା ବିଶ୍ୱରୁ ନିନ୍ଦା କିମ୍ବା ଚାପ ପଡ଼େ ନାହିଁ, ସେତେବେଳେ ସେ ପୁଣି ଥରେ ଆକ୍ରମଣ ଆରମ୍ଭ କରେ।" ଜେଲେନ୍ସକି କହିଛନ୍ତି ଯେ ରାତାରାତି ୟୁକ୍ରେନ ଉପରେ ୧୦୩ଟି ଡ୍ରୋନ୍ ଏବଂ ଗୋଟିଏ ବାଲିଷ୍ଟିକ୍ ମିଶାଇଲ ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣରେ ଡୋନେଟ୍ସ୍କ, ଖାରକିଭ୍, ଓଡେସା, ସୁମି, ଚେର୍ନିହିଭ୍, ଡ୍ନିପ୍ରୋ ଏବଂ ଖେରସନ୍ ଅଞ୍ଚଳକୁ ଟାର୍ଗେଟ କରାଯାଇଥିଲା। ସେ କହିଛନ୍ତି ଯେ ଏହା ଆତଙ୍କବାଦୀଙ୍କ ଦ୍ୱାରା ଆଉ ଏକ ବଡ଼ ଆକ୍ରମଣ। ରୁଷୀୟ ଆତଙ୍କବାଦୀମାନେ ପ୍ରତିଦିନ ରାତିରେ ଆମ ଲୋକଙ୍କୁ ହତ୍ୟା କରୁୁଛନ୍ତି, ଏହା ତାଙ୍କ ଉପରେ ପ୍ରତିବନ୍ଧକ ଏବଂ ଚାପ ସୃଷ୍ଟି କରିବାର ଆଉ ଏକ କାରଣ।
ଜେଲେନସ୍କି ଅପିଲ କରିଛନ୍ତି, "ଆମେ ଆମେରିକା, ୟୁରୋପ ଏବଂ ବିଶ୍ୱର ସମସ୍ତଙ୍କଠାରୁ କାର୍ଯ୍ୟାନୁଷ୍ଠାନ ଆଶା କରୁଛୁ, ଯାହା ପ୍ରକୃତରେ ଏହି ଭୟଙ୍କର ପରିସ୍ଥିତିକୁ ପରିବର୍ତ୍ତନ କରିବାରେ ସାହାଯ୍ୟ କରିପାରିବ। ଶକ୍ତି ଗୁରୁତ୍ୱପୂର୍ଣ୍ଣ ଏବଂ ଯୁଦ୍ଧ କେବଳ ଶକ୍ତି ମାଧ୍ୟମରେ ଶେଷ ହୋଇପାରିବ।" ସେ କହିଛନ୍ତି ଯେ ସମସ୍ତ ଉପଲବ୍ଧ ଉପାୟରେ ମସ୍କୋ ଉପରେ ଚାପ ପକାଇବା ଆବଶ୍ୟକ ଏବଂ ଏହି ଆକ୍ରମଣ ଜାରି ରଖିବାର କ୍ଷମତା ଧୀରେ ଧୀରେ ଛଡ଼ାଇ ନିଆଯିବା ଉଚିତ।