ନୂଆଦିଲ୍ଲୀ,୮।୧: ରୁଷ ପତାକା ଥିବା ତେଲ ଟ୍ୟାଙ୍କରକୁ ଆମେରିକା ସେନା ଜବତ କରିବା ପରେ ଏବେ ମସ୍କୋରେ ପ୍ରବଳ ଉତ୍ତେଜନା। ରାଷ୍ଟ୍ରପତି ବ୍ଲାଡିମିର ପୁଟିନଙ୍କ ଘନିଷ୍ଠ ଭାବରେ ପରିଚିତ ରୁଷ ଷ୍ଟେଟ୍ ଡ୍ୟୁମାର ଡିଫେନ୍ସ କମିଟି ଫାଷ୍ଟ ଡେପୁଟି ଚେୟାରମ୍ୟାନ୍ ଓ ସାଂସଦ ଏଲେକ୍ସି ଜୁରାଭଲେଭ ଏହାକୁ ‘ସାମୁଦ୍ରିକ ଡକାୟତି’ ଓ ‘ରୁଷ କ୍ଷେତ୍ର ଉପରେ ଆକ୍ରମଣ’ ବୋଲି କହିଛନ୍ତି। ସେ ଏନେଇ କଡା ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି। ସେ ଟରପିଡୋରୁ ଆମେରିକା ଜାହାଜ ଉପରେ ଆକ୍ରମଣ କରିବା କିମ୍ବା କିଛି ଜାହାଜ ବୁଡାଇବାର ପରାମର୍ଶ ଦେଇଛନ୍ତି। ଏପରିକି ରୁଷ ସାମରିକ ନୀତିର କଥା କହି ଆଟମ୍ ବମ୍ ପକାଇବା କଥା କହିଥିଲେ। ରୁଷ ସାଂସଦ କହିଛନ୍ତି, ଏହା ବାସ୍ତବରେ ରୁଷ କ୍ଷେତ୍ର ଉପରେ ଆକ୍ରମଣ ଭଳି ସମାନ, କାରଣ ଟ୍ୟାଙ୍କର ଉପରେ ଆମର ଜାତୀୟ ପତାକା ଲଗାହୋଇଥିଲା। ଆଲେକ୍ସି ଜୁରାଭଲେଭ କହିଛନ୍ତି, ଏଥିରେ କୌଣସି ସନ୍ଦେହ ନାହିଁ, ଆମକୁ ମଜବୁତ ଓ ତ୍ବରିତ ଜବାବ ଦେବା ଦରକାର, ଆମର ସେନା ନୀତି ଏଭଳି ଆକ୍ରମଣର ଜବାବ୍ରେ ପରମାଣୁ ହତିଆର ଉପଯୋଗକୁ ମଧ୍ୟ ଅନୁମତି ଦେଇଥାଏ।
ଟେଲିଗ୍ରାମ୍ ଉପରେ ନିଜର ବୟାନରେ ଜୁରାଭଲେଭ୍ କହିଛନ୍ତି, ମସ୍କୋକୁ ସେନା ଜବାବ୍ ଦେବା ଦରକାର। ଏହି ସମୟରେ ସେ ରୁଷରୁ ଟର୍ପିଡୋ ଦ୍ବାରା ଆକ୍ରମଣ କରି ଅପରେସନ୍ରେ ସାମିଲ କିଛି ଆମେରିକା ତଟରକ୍ଷକ ଜାହାଜକୁ ବୁଡାଇ ଦେବାର ଓକିଲାତି କରିଥିଲେ। ତାଙ୍କର ତର୍କ ଥିଲା ଏହା ଆମେରିକାକୁ ରୋକିବାର ଏକମାତ୍ର ବାଟ, ଯାହା ଉପରେ ସେ ଭେନେଜୁଏଲାରେ ନିକଟରେ ହୋଇଥିବା ଅଭିଯାନ ପରେ ମନମାନି କରିବାର ଅଭିଯୋଗ କରିଛନ୍ତି। ସେ ରୁଷର ସାମରିକ ନୀତି କଥା କହି ଦାବି କରିଛନ୍ତି ଯେ,ଏଥିରେ ରାଷ୍ଟ୍ରୀୟ ହିତ ଉପରେ ଆକ୍ରମଣର ଜବାବ୍ରେ ପରମାଣୁ ହତିଆରର ଉପଯୋଗର ବ୍ୟବସ୍ଥା ରହିଛି।
ବୁଧବାର ଆମେରିକା ସେନା ଉତ୍ତର ଆଟଲାଣ୍ଟିକ୍ ମହାସାଗରରେ ରୁଷ ପତାକା ଥିବା ତେଲ ଟ୍ୟାଙ୍କରକୁ ଜବତ କରିଥିଲା। ଏହାର ପିଛା ଆମେରିକା ତଟରକ୍ଷୀ ଜାହାଜ ସପ୍ତାହେ ଧରି କରିଥିଲା। ଏହି ଟ୍ୟାଙ୍କର ଭେନେଜୁଏଲାର କଟକଣା ତୈଳ ବ୍ୟାପାର ସହ ଜଡିତ ଥିଲା ଓ ଆମେରିକା ନାକାବନ୍ଦୀର ଦୁଇ ସପ୍ତାହରୁ ଅଧିକ ସମୟ ପର୍ଯ୍ୟନ୍ତ ରକ୍ଷା କରୁଥିଲା। ଏହି ଘଟଣା ପରେ ମସ୍କୋ କଡା ନିନ୍ଦା କରିଛି ଓ କହିଛି କୌଣସି ଦେଶକୁ ଖୋଲା ସମୁଦ୍ରରେ ଅନ୍ୟ ଦେଶର ପତାକା ଥିବା ଆଇନଗତ ଜାହାଜ ଉପରେ ବଳ ପ୍ରୟୋଗ କରିବାର ଅଧିକାର ନାହିଁ। ରୁଷ ପରିବହନ ମନ୍ତ୍ରଣାଳୟ ବୟାନ ଜାରି କରି କହିଛି ଟ୍ୟାଙ୍କର ବେଲା-୧କୁ ୨୪ ଡିସେମ୍ବର ୨୦୨୫ ରେ ରୁଷ ପତାକା ଅନୁସାରେ, ଅସ୍ଥାୟୀ ଅନୁମତି ମିଳିଥିଲା। ବୟାନରେ କହିଛନ୍ତି, ଆମେରିକା ନୌସେନା ନିଜର କ୍ଷେତ୍ରୀୟ ଜଳରୁ ବାହାରି ଜାହାଜ ଉପରେ କବଜା କରି ନେଇଥିଲା, ଏହାପରେ ଜାହାଜ ସହ ସମ୍ପର୍କ ତୁଟି ଯାଇଥିଲା। ମନ୍ତ୍ରଣାଳୟ କହିଛି ୧୯୮୨ ର ଜାତିସଂଘ ସମୁଦ୍ର ଆଇନ ସମ୍ମିଳନୀ ଅନୁସାରେ, ଖୋଲା ସମୁଦ୍ରରେ ନୌବାହନର ସ୍ବତନ୍ତ୍ରତା ଲାଗୁ ହୋଇଥାଏ। କୌଣସି ରାଜ୍ୟକୁ ଅନ୍ୟ ରାଜ୍ୟ ପଞ୍ଜିକୃତ ଜାହାଜ ଉପରେ ବଳ ପ୍ରୟୋଗର ଅଧିକାର ନଥାଏ।