ନୂଆଦିଲ୍ଲୀ,୨୭।୧୨: ରୁଷ ଓ ୟୁକ୍ରେନ୍‌ର ଯୁଦ୍ଧ ନିର୍ଣ୍ଣାୟକ ମୋଡରେ ରହିଛି। ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଓ ତାଙ୍କର ୟୁକ୍ରେନ ସମକକ୍ଷଙ୍କ ଭିତରେ ଅସ୍ତ୍ରବିରତି ବିଷୟରେ ଖୁବ୍ ଶୀଘ୍ର ଫ୍ଲୋରିଡାରେ ଚର୍ଚ୍ଚା ହେବାକୁ ଯାଉଛି । ଏହା ପୂର୍ବରୁ ରୁଷ ମିସାଇଲ ଓ ଡ୍ରୋନ୍ କିଭ୍ ଏବଂ ଏହାର ଆଖପାଖ ଅଞ୍ଚଳରେ ଜୋରଦାର ଆକ୍ରମଣ ଜାରି ରଖିଛି। ରାତିସାରା ହୋଇଥିବା ଏହି ଆକ୍ରମଣ କାରଣରୁ କିଭ୍ ୟୁକ୍ରେନ୍ ଏୟାର ଡିଫେନ୍ସ ସିଷ୍ଟମ ଆକ୍ଟିଭ ହୋଇଯାଇଛି।

କିଭ୍ ଓ ଏହାର ଆଖପାଖ ଅଞ୍ଚଳରେ ହୋଇଥିବା ବିସ୍ଫୋରଣ ପରେ ୟୁକ୍ରେନ ସେନା ମଧ୍ୟ ବୟାନ ଜାରି କରିଛି। ସେନା ଟେଲିଗ୍ରାମ୍ ଆପ୍‌ରେ କହିଛି ରୁଷ ପକ୍ଷରୁ ମିସାଇଲ ମାଡ଼ କରାଯାଇଛି। ବାୟୁସେନା ଅନୁସାରେ, ରୁଷ ଡ୍ରୋନ୍ ରାଜଧାନୀ ସହ ପୂର୍ବୋତ୍ତର ଓ ଦକ୍ଷିଣ କ୍ଷେତ୍ରକୁ ଟାର୍ଗେଟ କରୁଛନ୍ତି। ଏହି କାରଣରୁ କିଭ୍‌ରେ ବିମାନ ଆକ୍ରମଣର ଆଲର୍ଟ ଜାରି କରାଯାଇଛି। ଅନ୍ୟପକ୍ଷେ ରୁଷ ପକ୍ଷରୁ ଏପର୍ଯ୍ୟନ୍ତ ଏହି ଆକ୍ରମଣକୁ ନେଇ କୌଣସି ସୂଚନା ସାମନାକୁ ଆସି ନାହିଁ।

ଏହି ଆକ୍ରମଣ ପୂର୍ବରୁ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି ରବିବାର ଟ୍ରମ୍ପଙ୍କ ସହ ହେବାକୁ ଥିବା ନିଜର ସାକ୍ଷାତ ବିଷୟରେ ସୂଚନା ଦେଇଥିଲେ। ସେ କହିଛନ୍ତି ଏହି ସାକ୍ଷାତର ମୁଖ୍ୟ ପ୍ରସଙ୍ଗ ଏହା ଯେ, ଲଢେଇ ବନ୍ଦ କରିବା ପରେ କେଉଁ ପକ୍ଷର ନିୟନ୍ତ୍ରଣରେ କେଉଁ ଅଞ୍ଚଳ ରହିବ। ଟ୍ରମ୍ପ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ଖୁବ୍ ଆଶା ପ୍ରକାଶ କରିଛନ୍ତି। ଉଲ୍ଲେଖନୀୟ ଯେ, ୨୦୨୨ ରେ ରୁଷର ଆକ୍ରମଣ ସହ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ଏବେ ବି ୟୁରୋପକୁ ପ୍ରଭାବିତ କରିଛି। ଏହାକୁ ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ୟୁରୋପର ସବୁଠାରୁ ବଡ଼ ସଙ୍କଟ ବୋଲି କୁହାଯାଉଛି।

ଆହୁରି ପଢନ୍ତୁ :ୟୁନୁସଙ୍କୁ ଉସ୍ମାନ ହାଦିଙ୍କ ଭାଇ ଦେଲେ ଖୋଲା ଚେତାବନୀ, ‘ନ୍ୟାୟ ନମିଳିଲେ ବାସଭବନ ଘେରାଉ କରିବୁ’