ନୂଆଦିଲ୍ଲୀ,୧୬।୧୨: ଯଦି ଆପଣ ଋଷ ଯାତ୍ରା କରିବାକୁ ଚିନ୍ତା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର। ରୁଷ ୨୦୨୫ ମସିହାରୁ ଭାରତୀୟମାନଙ୍କୁ ଭିସା ଫ୍ରି’ଏଣ୍ଟ୍ରି ସୁବିଧା ଦେଇପାରେ। ଭିସା ଫ୍ରି ଟୁରିଷ୍ଟ ଏକ୍ସଚେଞ୍ଜ କୁ କାର୍ଯ୍ୟକାରୀ କରିବା ପାଇଁ ରୁଷ ଏବଂ ଭାରତ ମଧ୍ୟରେ ଆଲୋଚନା ଚାଲିଛି। ଏଥି ସହିତ ଋଷର ଅର୍ଥନୈତିକ ବିକାଶ ମନ୍ତ୍ରଣାଳୟ କହିଛି, ଜୁନ୍ ୨୦୨୫ ରୁ ଭାରତୀୟ ପାସପୋର୍ଟଧାରୀମାନେ ଭିସା ମୁକ୍ତ ପର୍ଯ୍ୟଟନ କରିପାରିବେ। ଋଷ ସହ ଦୃଢ ସମ୍ପର୍କ ହେତୁ ଭାରତକୁ ଏକ ପ୍ରାଥମିକ ବଜାର ଭାବରେ ଦେଖାଯାଉଥିବାରୁ ଏହି ପଦକ୍ଷେପ ନିଆଯାଇଛି। ଏହା ପଛରେ ଋଷର ଉଦ୍ଦେଶ୍ୟ ହେଉଛି ଭିସା ମୁକ୍ତ ଯାତ୍ରା ଦୁଇ ଦେଶ ମଧ୍ୟରେ ପର୍ଯ୍ୟଟନକୁ ବୃଦ୍ଧି କରିବା ସହ ସମ୍ପର୍କକୁ ମଜବୁତ କରିବ।
ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ନୂତନ ଭିସା ନିୟମ ଲାଗୁ ହେବା ପରେ ଭାରତୀୟମାନେ ବିନା ଭିସାରେ ଋଷ ଯାଇପାରିବେ। ନିକଟରେ ଖବର ଆସିଥିଲା ଯେ ଋଷ ଏବଂ ଭାରତ ପରସ୍ପର ପାଇଁ ଭିସା ପ୍ରତିବନ୍ଧକ ହ୍ରାସ କରିବାକୁ ଦ୍ୱିପାକ୍ଷିକ ଚୁକ୍ତି ଉପରେ ଆଲୋଚନା କରିଛନ୍ତି। ଉଲ୍ଲେଖନୀୟ ଯେ, ଅଗଷ୍ଟ ୨୦୨୩ ରୁ ରୁଷିଆ ଯାତ୍ରା କରିବାକୁ ଭାରତୀୟମାନେ ଇ-ଭିସା ପାଇଁ ଯୋଗ୍ୟ ଅଟନ୍ତି। ତେବେ ଇ-ଭିସା ଜାରି କରିବାକୁ ପ୍ରାୟ ଚାରି ଦିନ ସମୟ ଲାଗିଥାଏ। ଇଣ୍ଡିଆନ୍ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, ଗତ ବର୍ଷ ଜାରି ହୋଇଥିବା ଇ-ଭିସା ସଂଖ୍ୟା ଦୃଷ୍ଟିରୁ ଭାରତ ମଧ୍ୟ ଶ୍ରେଷ୍ଠ ପାଞ୍ଚଟି ଦେଶ ମଧ୍ୟରେ ସ୍ଥାନ ପାଇଛି। ଭାରତୀୟ ଯାତ୍ରୀମାନଙ୍କୁ ରୁଷ ୯,୫୦୦ ଇ-ଭିସା ଦେଇଛି ।
ଋଷ ବର୍ତ୍ତମାନ ଭିସାମୁକ୍ତ ପର୍ଯ୍ୟଟନ ବିନିମୟ କାର୍ଯ୍ୟକ୍ରମ ମାଧ୍ୟମରେ ଚୀନ୍ ଏବଂ ଇରାନ ଯାତ୍ରୀଙ୍କୁ ଭିସାମୁକ୍ତ ପ୍ରବେଶ ଅନୁମତି ଦେଇଥାଏ। ବର୍ତ୍ତମାନ ଋଷ ମଧ୍ୟ ଭାରତ ସହିତ ଭିସା ମୁକ୍ତ ଯାତ୍ରା ଉପରେ ବିଚାର କରୁଛି। ଭାରତୀୟମାନେ ବ୍ୟବସାୟ କିମ୍ବା ଯାତ୍ରା ପାଇଁ ଋଷକୁ ଯାଆନ୍ତି । ୨୦୨୩ ରେ ରେକର୍ଡ ୬୦୦୦୦ ରୁ ଅଧିକ ଭାରତୀୟ ମସ୍କୋ ଯାତ୍ରା କରିଥିଲେ, ଯାହାକି ୨୦୨୨ ତୁଳନାରେ ୨୬% ଅଧିକ।