• ୟୁକ୍ରେନ୍ ଗୁଇନ୍ଦା ଏଜେନ୍ସି ଟାର୍ଗେଟରେ ପୁଟିନ୍‌ଙ୍କ ଓ୍ବାର ଟିମ୍
  • ବର୍ଷକରେ ୩ ସେନା ଅଧିକାରୀଙ୍କୁ ହତ୍ୟା
  • ପୁଟିନ୍‌ଙ୍କୁ ଦୁର୍ବଳ କରିବାକୁ ଚାହୁଁଛି ଏସବିୟୁ
  • ଟାର୍ଗେଟେଡ୍ ଅପରେସନରେ ଟପ୍ ଜେନେରାଲ ଏବଂ ଗୁପ୍ତଚର

ମସ୍କୋ,୨୩।୧୨:  ଦିନକୁ ଦିନ ତୀବ୍ର ରୂପ ନେଉଛି ରୁଷ-ୟୁକ୍ରେନ ଯୁଦ୍ଧ । ୪ ବର୍ଷ ଧରି ଚାଲିଥିବା ଯୁଦ୍ଧରେ ଦୂର ଦୂର ପର୍ଯ୍ୟନ୍ତ ଶାନ୍ତିର ଆଶା ନାହିଁ। ୟୁକ୍ରେନ୍ ଉପରେ ବି ରୁଷର ଜୋରଦାର ହମଲା ଜାରି ରହିଛି। ଏସବୁ ଭିତରେ ୟୁକ୍ରେନ୍ ଗୁଇନ୍ଦା ଏଜେନ୍ସି ଏସବିୟୁ (ସିକ୍ୟୁରିଟି ସର୍ଭିସ ଅଫ୍ ୟୁକ୍ରେନ୍) ଟାର୍ଗେଟରେ ରହିଛନ୍ତି ରୁଷ ରାଷ୍ଟ୍ରପତି ବ୍ଲାଡିମିର ପୁଟିନଙ୍କ ଓ୍ବାର ଟିମ୍। ଏସବିୟୁର ଟାର୍ଗେଟେଡ୍ ଅପରେସନରେ ରୁଷର ଟପ୍ ଜେନେରାଲ ଏବଂ ଗୁପ୍ତଚରଙ୍କୁ ହତ୍ୟା କରାଯାଉଛି। ଦିନକ ତଳେ ଲେଫ୍ଟନାଣ୍ଟ ଜେନେରାଲ ଫାନିଲ ସରାଭରୋଭଙ୍କ କାର ବୋମା ବିସ୍ଫୋରଣରେ ମୃତ୍ୟୁ ହୋଇଛି। ତାଙ୍କ କାର ତଳେ ବିସ୍ଫୋରକ ଡିଭାଇସ୍ ଲଗାଯାଇଥିଲା। ସବୁଠାରୁ ଖାସ୍ କଥା ହେଲା ସେ ଥିଲେ ପୁଟିନଙ୍କ ଖୁବ୍ ଘନିଷ୍ଠ । ଏଭଳି ଭାବରେ ବର୍ଷକ ଭିତରେ ୩ ସାମରିକ ଅଧିକାରୀ ହତ୍ୟା କରାଯାଇ ସାରିଛି। ୫୬ ବର୍ଷୀୟ ସରାଭରୋଭ ସଶସ୍ତ୍ର ବାହିନୀର ଅପରେସନାଲ ଟ୍ରେନିଂ ବିଭାଗର ମୁଖ୍ୟ ଥିଲେ। ଏହି ଆକ୍ରମଣକୁ ପୁଟିନଙ୍କ ପାଇଁ ବହୁତ ବଡ଼ ଝଟକା ବୋଲି କୁହାଯାଉଛି। ରୁଷରେ ଏବେ ଏହି ଥିଓରି ଚାଲିଛି।

 କାର ବୋମା ବିସ୍ଫୋରଣ ପଛରେ ୟୁକ୍ରେନର ଇଣ୍ଟେଲିଜେନ୍ସ ସର୍ଭିସ ହାତ ରହିଥିଲା ଜଣାପଡିଛି। ୟୁକ୍ରେନ୍ ଏହା ଉପରେ କୌଣସି ପ୍ରତିକ୍ରିୟା ଦେଇ ନାହିଁ। ତେବେ ରୁଷ ଏଜେନ୍ସି ଏହି ଘଟଣାର ଯାଞ୍ଚ ଆରମ୍ଭ କରିଦେଇଛି। ତେବେ ଏହି ଘଟଣା ନୂଆ ନୁହେଁ। ରୁଷ-ୟୁକ୍ରେନ ବିବାଦ ଆରମ୍ଭ ହେବା ପରଠାରୁ, ୟୁକ୍ରେନୀୟ ଗୁଇନ୍ଦା ଏଜେନ୍ସି ରୁଷର ସେନା ଅଧିକାରୀ ଓ ଗୁପ୍ତଚରଙ୍କୁ ହତ୍ୟା କରିଛି। ଏମାନଙ୍କ ମଧ୍ୟରେ ଲେଫ୍ଟନାଣ୍ଟ ଜେନେରାଲ ୟାରୋସ୍ଲାଭ ମୋସକାଲିକ୍, ଲେଫ୍ଟନାଣ୍ଟ ଜେନେରାଲ ଇଗୋର କିରିଲୋଭ ଏବଂ ଭାଲେରି ନିକୋଲାୟେଭିଚ୍ ଟ୍ରାଙ୍କୋଭସ୍କି ଅନ୍ତର୍ଭୁକ୍ତ। ଏହା ବ୍ୟତୀତ, ୟୁକ୍ରେନୀୟ ଏଜେନ୍ସିଗୁଡ଼ିକ ରୁଷୀୟ ସାମରିକ ବ୍ଲଗର, ଯୁଦ୍ଧ ସମର୍ଥକ ନେତା ଏବଂ ୟୁକ୍ରେନରୁ ପଳାୟନ କରିଥିବା ନେତାଙ୍କୁ ହତ୍ୟା କରିଛନ୍ତି। ଏଭଳି କରି ପୁଟିନଙ୍କୁ ଦୁର୍ବଳ କରିବାକୁ ଚେଷ୍ଟା କରାଯାଉଛି।

ମୃତକଙ୍କ ଭିତରେ ଅଛନ୍ତି ଦାର୍ୟା ଆଲେକ୍ସଜାଣ୍ଡ୍ରୋଭନା ଡୁଗିନା। ସେ ଜଣେ ରୁଷ ସାମ୍ବାଦିକ,ରାଜନୈତିକ ବିଶ୍ଲେଷକ ଥିଲେ। ୨୦ ଅଗଷ୍ଟ୨୦୨୨ ରେ ମସ୍କୋ ନିକଟରେ କାର୍ ବୋମା ବିସ୍ଫୋରଣରେ ତାଙ୍କୁ ହତ୍ୟା କରାଯାଇଥିଲା। ତାଙ୍କ ପରେ ଭ୍ଳାଡଲେନ୍ ଟାଟାରସ୍କିଙ୍କୁ ଟାର୍ଗେଟେଡ କରାଯାଇଥିଲା। ତାଙ୍କୁ ୨ ଏପ୍ରିଲ ୨୦୨୩ ରେ ହତ୍ୟା କରାଯାଇଥିଲା। ସେ ୟୁକ୍ରେନ୍ରେ ଜନ୍ମିତ ରୁଷ ପ୍ରି- ଓ୍ବାର ମିଲିଟାରୀ ବ୍ଲଗର ଥିଲେ। ପିଟର୍ସବର୍ଗର ଏକ କେଫେରେ ଆୟୋଜିତ କାର୍ଯ୍ୟକ୍ରମରେ ଜଣେ ମହିଳା ତାଙ୍କୁ ଏକ ମୂର୍ତ୍ତି ଦେଇଥିଲେ। ଆଉ ଏହି ମୂର୍ତ୍ତି ଭିତରେ ଲୁଚି ରହିଥିଲା ବମ୍। ଯାହାର ବିସ୍ଫୋରଣରେ ତାଙ୍କର ମୃତ୍ୟୁ ହୋଇଥିଲା।

ଏଇଠି ସରିନଥିଲା ପୁଟିନଙ୍କୁ ଦୁର୍ବଳ କରିବାର ଯୋଜନା। ରୁଷ ନୌସେନାର କ୍ୟାପଟେନ୍ ରାଙ୍କ ଅଧିକାରୀ ଷ୍ଟାନିସ୍ଲାଭ ରାର୍ଜିଟସ୍କିଙ୍କୁ କରାଯାଇଥିଲା ହତ୍ୟା। ସେ ବ୍ଲାକ୍ ସି ପ୍ଲିଟ୍ର ଡିଜେଲ୍-ଇଲେକ୍ଟ୍ରିକ୍ ସବମରିନ୍ ବି-୨୬୫ 'କ୍ରାସ୍ନୋଡାର'ର ପୂର୍ବତନ କମାଣ୍ଡର ଥିଲେ। ୧୦ ଜୁଲାଇ ୨୦୨୩ ମର୍ଣ୍ଣିଂ ଜଗିଂ ବେଳୋ ଅଜଣା ଆକ୍ରମଣକାରୀ ଗୁଳି ମାରି ହତ୍ୟା କରିଥିଲେ। ତାଙ୍କ ପରେ ପାଳି ପଡିଥିଲା ୟୁକ୍ରେନର ବିବାଦୀୟ ନେତା କୁହାଯାଉଥିବା ଇଲିୟା କିଭାଙ୍କର। ସେ ୨୦୧୯ ରୁ ୨୦୨୨ ପର୍ଯ୍ୟନ୍ତ ୟୁକ୍ରେନ୍‌ର ସାଂସଦ ଥିଲେ। ତେବେ ସେ ରୁଷକୁ ସମର୍ଥନ କରୁଥିଲେ। ରୁଷ-ୟୁକ୍ରେନ୍ ଯୁଦ୍ଧ ପୂର୍ବରୁ ସେ ରୁଷ ପଳାଇ ଆସିଥିଲେ। ତାଙ୍କୁ ୬ ଡିସେମ୍ବର ୨୦୨୩ ରେ ମସ୍କୋରେ ଗୁଳି କରି ହତ୍ୟା କରାଯାଇଥିଲା।ଏହାପରେ ଆଣ୍ଡ୍ରେଇ କୋରୋଟକୀୟଙ୍କୁ ହତ୍ୟା କରାଯାଇଥିଲା। ସେ ରୁଷ-ନିୟନ୍ତ୍ରିତ ଜାପୋରିଝିଆ ନ୍ୟୁକ୍ଲିଅର ପ୍ଲାଣ୍ଟର ସୁରକ୍ଷା ମୁଖ୍ୟ ଥିଲେ। ୟୁକ୍ରେନ୍ ତାଙ୍କୁ ଯୁଦ୍ଧ ଅପରାଧୀ ଘୋଷିତ କରିଥିଲା। ୪ ଅକ୍ଟୋବର ୨୦୨୪ ରେ ଏନେରହୋଡାରରେ ତାଙ୍କର କାର ବୋମା ବିସ୍ଫୋରଣରେ ମୃତ୍ୟୁ ହୋଇଥିଲା।

ଏହାପରେ ରୁଷ ନୌସେନାର ଜଣେ ବରିଷ୍ଠ ଅଧିକାରୀଙ୍କୁ ହତ୍ୟା କରାଯାଇଥିଲା। ସେ ଥିଲେ ଭେଲେରି ନିକୋଲାୟେଭିଚ୍ ଟ୍ରାଙ୍କୋଭସ୍କି। ସେ ଫାଷ୍ଟ ରାଙ୍କ କ୍ୟାପ୍ଟେନ୍ ବା କର୍ଣ୍ଣେଲଙ୍କ ସମକକ୍ଷ ପଦବୀରେ ଥିଲେ। ରୁଷ ବ୍ଲାକ୍ ସି ଫ୍ଲିଟ୍‌ର ୪୧ ତମ ମିସାଇଲ ଶିଫ୍ ବ୍ରିଗେଡ୍ର ଚିଫ୍ ଅଫ୍ ଷ୍ଟାଫ୍ ତଥା ଡେପୁଟି କମାଣ୍ଡର ଥିଲେ। ୧୩ ନଭେମ୍ବର ୨୦୨୪ ରେ କ୍ରିମିୟାରେ ତାଙ୍କୁ କାର ବୋମା ବିସ୍ଫୋରଣରେ ହତ୍ୟା କରାଯାଇଥିଲା। ସେତିକିରେ ଥମି ନଥିଲା ପୁଟିନଙ୍କ ଓ୍ବାର ଟିମ୍ ଉପରେ ଆକ୍ରମଣ। ଏହାପରେ ଲେଫ୍ଟନାଣ୍ଟ ଜେନେରାଲ ଇଗୋର କିରିଲୋଭଙ୍କ ୭ ଡିସେମ୍ବର ୨୦୨୪ ରେ ମୃତ୍ୟୁ ହୋଇଥିଲା। ସେ ରୁଷର ନ୍ୟୁକ୍ଲିୟର, ବାୟୋଲୋଜିକାଲ ଓ କେମିକାଲ ପ୍ରୋଟେକ୍ସନ ଟ୍ରୁପ୍ର ମୁଖ୍ୟ ଥିଲେ। ତାଙ୍କ ସ୍କୁଟରରେ ବମ୍ ଲଗାଯାଇଥିଲା। ଏହି ବମକୁ ରିମୋଟରୁ ଡିଟୋନେଟ୍ କରାଯାଇଥିଲା। ଏତିକିରେ ସରିନଥିଲା ୟୁକ୍ରେନ୍ ଏଜେନ୍ସିର ଟାର୍ଗେଟ। ଲେଫ୍ଟନାଣ୍ଟ ଜେନେରାଲ ୟାରୋଲସ୍କାଭ ମୋସ୍କାଲିକଙ୍କୁ ହତ୍ୟା କରାଯାଇଥିଲା। ୨୫ ଏପ୍ରିଲ ୨୦୨୫ ରେ ତାଙ୍କର ମସ୍କୋ ନିକଟରେ କାର୍ ବମ୍ ବିସ୍ଫୋରଣରେ ମୃତ୍ୟୁ ହୋଇଥିଲା। ସେ ଜେନେରାଲ ଷ୍ଟାଫ୍ ଚିଫ୍ ଅପରେସନାଲ ଡାଇରେକ୍ଟରେଟର ଡେପୁଟି ହେଡ୍ ଥିଲେ।