.ତୁର୍କୀ ଏବେଦ୍ୱିତୀୟ ସ୍ଥାନରେ

. ଡିସେମ୍ବରରେ ରୁଷତେଲ କ୍ରୟ ୨୯% ହ୍ରାସ

.ମଧ୍ୟପ୍ରାଚ୍ୟ ତେଲଉପରେ ଫୋକସ୍

ନୂଆଦିଲ୍ଲୀ,୧୪/୦୧: ରୁଷଠାରୁ ଅଶୋଧିତ ତେଲ କ୍ରୟରେ ଭାରତ ୩ୟ ସ୍ଥାନକୁ ଖସିଛି । ଡିସେମ୍ବର ମାସରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏବଂ ରାଷ୍ଟ୍ରାୟତ୍ତ ତେଲ କମ୍ପାନି ଗୁଡିକ ରୁଷ ତେଲ କିଣା କମାଇବାରୁ ଭାରତର ସ୍ଥିତିରେ ଏଭଳି ପରିବର୍ତ୍ତନ ହୋଇଛି । ୟୁରୋପିଆନ ଥିଙ୍କ ଟ୍ୟାଙ୍କ୍ ସେଣ୍ଟର ଫର୍ ରିସର୍ଚ୍ଚ ଅନ୍ ଏନର୍ଜି ଆଣ୍ଡ୍ କ୍ଲିନ ଏୟାର (ସିଆର୍ଇଏ) ରିପୋର୍ଟ ମୁତାବକ, ଭାରତ ଡିସେମ୍ବରରେ ରୁଷଠାରୁ ୨.୩ ବିଲିୟନ ୟୁରୋ ମୂଲ୍ୟର ହାଇଡ୍ରୋକାର୍ପନ ଆମଦାନି କରିଛି । ଯାହା ନଭେମ୍ବରରେ ୩.୩ ବିଲିୟନ ଡଲାର ୟୁରୋ (ପ୍ରାୟ ୩୪,୭୦୦ କୋଟି ଟଙ୍କା) ତୁଳନାରେ ନିମ୍ନରେ ରହିଛି । ଏବେ ତୁର୍କୀ ୨.୬ ବିଲିୟନ ୟୁରୋ ତେଲ କ୍ରୟ ସହ ଭାରତକୁ ପଛରେ ପକାଇ ଦ୍ୱିତୀୟ ସ୍ଥାନରେ ରହିଛି । ୬ ବିଲିୟନ ୟୁରୋ (୬୩,୧୦୦ କୋଟି) ସହ ପ୍ରଥମ ସ୍ଥାନରେ ଚୀନ ରହିଛି ।

ଡିସେମ୍ବରରେ ଭାରତର ରୁଷ ତେଲ କ୍ରୟ ପଛରେ ରହିଛି ରିଲାଏନ୍ସ ତେଲ ଆମଦାନି କମାଇବା । ରିଲାଏନ୍ସର ଜାମନଗର ରିଫାଇନାରି ରୁଷ ତେଲ ଆମଦାନିକୁ ୫୦% କମାଇ ଦେଇଛି । ରିପୋର୍ଟ ମୁତାବକ, ରିଲାଏନ୍ସର ସମ୍ପୂର୍ଣ୍ଣ ସପ୍ଲାଇ ରୋଜନେଫ୍ଟରୁ ଆସୁଥିଲା । ମାତ୍ର ଆମେରିକାର ପ୍ରତିବଦ୍ଧକ ଯୋଗୁ କମ୍ପାନି ତେଲ କିଣାକୁ କମ୍ କରିଛି । ରିଲାଏନ୍ସ ବାଦ୍ ସରକାରୀ କମ୍ପାନି ଗୁଡ଼ିକ ମଧ୍ୟ ରୁଷ ତେଲ କ୍ରୟ ୧୫% କମାଇଛନ୍ତି । ନଭେମ୍ବରରେ ଭାରତ ରୁଷ ଅଶୋଧିତ ତେଲ ଉପରେ ୨.୬ ବିଲିୟନ ୟୁରୋ ଖର୍ଚ୍ଚ କରିଥିବା ବେଳେ ଏହା ଡିସେମ୍ବରରେ ୨୯% ହ୍ରାସ ହୋଇ ୧.୮ ବିଲିୟନ ୟୁରୋ ରହିଛି । ଏବେ ଭାରତ ରୁଷକୁ ବାଦ ଦେଇ ଅନ୍ୟ ଦେଶ ଗୁଡ଼ିକ ଉପରେ ତେଲ କିଣା ଲାଗି ଫୋକସ କରିଛି । ରୁଷ-ୟୁକ୍ରେନ ଯୁଦ୍ଧ ବନ୍ଦ କରିବା ଲାଗି ଆମେରିକା ରୁଷର ସବୁଠାରୁ ବଡ ତେଲ କମ୍ପାନି ରୋଜନେଫ୍ଟ ଏବଂ ଲୁକୋଇଲ୍ ଉପରେ କଡା କଟକଣା ଲଗାଇଛି । ଏହି ପ୍ରତିବନ୍ଧକକୁ ନଜରରେ ରଖି ରିଲାଏନ୍ସ, ଏଚ୍‌ସିଏଲ୍, ଏଚ୍‌ସିଏଲ୍ ମିତ୍ତଲ ଏନର୍ଜି ଏବଂ ମାଙ୍ଗାଲୋର ରିଫାଇନାରି (ଏମ୍ଆର୍ପିଏଲ୍) ରୁଷ ତେଲ କିଣା ରୋକିଛନ୍ତି କିମ୍ବା ବୃହତ ମାତ୍ରାରେ କମାଇ ଦେଇଛନ୍ତି ।

ତେବେ ପ୍ରତିବନ୍ଧକ ନ ଥିବା ରୁଷ କମ୍ପାନି ଗୁଡ଼ିକ ଠାରୁ ଏବେ ମଧ୍ୟ ଇଣ୍ଡିଆନ ତେଲ କିଣା ଜାରି ରଖିଛି । ୨୦୨୨ ଫେବ୍ରୁଆରିରେ ୟୁକ୍ରେନ ଯୁଦ୍ଧ ପରେ ପାଶ୍ଚାତ୍ୟ ଦେଶ ଗୁଡ଼ିକ ରୁଷ ତେଲ ଏବଂ ଗ୍ୟାସ କ୍ରୟ ବନ୍ଦ କରି ଦେଇଛନ୍ତି । ଏହି ସମୟରେ ଭାରତ ରୁଷ ତେଲର ସବୁଠାରୁ ବଡ ଗ୍ରାହକ ଭାବେ ଉଭା ହୋଇଥିଲା । ପୂର୍ବରୁ ଭାରତ ଏହାର ମୋଟ ଆବଶ୍ୟକତାର ମାତ୍ର ୧% ଅଂଶ ରୁଷ ଠାରୁ କିଣୁଥିବା ବେଳେ ଯୁଦ୍ଧ ପରେ ଏହା ୪୦% ଛୁଇଁଥିଲା । ୨୦୨୫ ଡିସେମ୍ବରରେ ଏହା ୨୫%କୁ ଖସିଥିଲା । ଯାହା ଗତ ମାସରେ ୩୫% ଥିଲା । ଏବେ ଭାରତ ମଧ୍ୟପ୍ରାଚ୍ୟ ଦେଶ ଗୁଡ଼ିକରୁ ତେଲ କିଣୁଛି ।

ରିପୋର୍ଟ ମୁତାବକ, ଭାରତ, ତୁର୍କୀ ଏବଂ ବ୍ରନେଇ ରିଫାଇନାରିରେ ରୁଷ ତେଲ ବିଶୋଧନ ହୋଇ ପେଟ୍ରୋଲ ଓ ଡିଜେଲ ଭାବେ ରୁଷ ଉପରେ ପ୍ରତିବନ୍ଧକ ଲଗାଇଥିବା ଦେଶ ଗୁଡ଼ିକୁ ରପ୍ତାନି ହେଉଛି । ଏହି ରିଫାଇନାରି ଗୁଡ଼ିକ ୟୁରୋପୀୟ ସଂଘ, ଆମେରିକା, ବ୍ରିଟେନ ଏବଂ ଅଷ୍ଟ୍ରେଲିଆକୁ ୯୪୩ ନିୟୁତ ମୂଲ୍ୟର ପେଟ୍ରୋଲିୟମ ସାମଗ୍ରୀ ରପ୍ତାନି କରିଥିଲେ । ଏହି ଦେଶ ଗୁଡ଼ିକୁ ରପ୍ତାନିରେ ୧୨୧% ବୃଦ୍ଧି ହୋଇଛି । ଯେଉଁଥିରେ ଜାମନଗର ରିଫାଇନାରିର ଏକ ପ୍ରମୁଖ ଅଂଶ ରହିଛି । ରୁଷ ତେଲ କିଣାରେ ଚୀନ ୧ ନମ୍ବର ସ୍ଥାନରେ ରହିଛି । ରୁଷର ମୋଟ ରପ୍ତାନିରେ ଚୀନର ଅଂଶ ୪୮% ।