ମସ୍କୋ: ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଚଳିତ ବର୍ଷ ଶେଷରେ ଭାରତ ଗସ୍ତରେ ଆସିବେ ବୋଲି ରୁଷର ଖବର ପ୍ରସାରଣକାରି ସଂସ୍ଥା ଇଣ୍ଟରଫ୍ୟାକ୍ସ ରିପୋର୍ଟ ପ୍ରକାଶ କରିଛି। ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଅଜିତ ଡୋଭାଲ ମସ୍କୋ ଗସ୍ତରେ ଥିବାବେଳେ ଏହି ସୂଚନା ଦେଇଛନ୍ତି। ଡୋଭାଲ ରୁଷର ସୁରକ୍ଷା ପରିଷଦ ସଚିବ ସେର୍ଗେଇ ଶୋଇଗୁଙ୍କ ସହ ଆଲୋଚନା ବେଳେ କହିଛନ୍ତି ଯେ, "ଆମେ ଏକ ସ୍ୱତନ୍ତ୍ର ଓ ଦୀର୍ଘକାଳୀନ ସମ୍ପର୍କ ସ୍ଥାପନ କରିଛୁ, ଯାହାକୁ ଆମେ ବହୁତ ଧ୍ୟାନ ଦେଉଛୁ। ଆମେ ରାଷ୍ଟ୍ରପତି ପୁଟିନଙ୍କ ଭାରତ ଗସ୍ତ ବିଷୟରେ ଜାଣି ବହୁତ ଉତ୍ସାହିତ ଓ ଖୁସି ଅଛୁ।"
ଏହି ଗସ୍ତ ଭାରତ ଓ ରୁଷ ମଧ୍ୟରେ ଦୀର୍ଘଦିନର ରଣନୈତିକ ସହଭାଗୀତାକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି। ଡୋଭାଲ ଭାରତ-ରୁଷ ଶିଖର ବୈଠକଗୁଡ଼ିକୁ "ଦ୍ୱିପାକ୍ଷିକ ସମ୍ପର୍କରେ ମାଇଲଖୁଣ୍ଟ" ବୋଲି ବର୍ଣ୍ଣନା କରିଛନ୍ତି। ଏହା ପୂର୍ବରୁ ରୁଷର ବୈଦେଶିକ ମନ୍ତ୍ରୀ ସେର୍ଗେଇ ଲାଭ୍ରୋଭ ମଧ୍ୟ ପୁଟିନଙ୍କ ଭାରତ ଗସ୍ତ ପାଇଁ ପ୍ରସ୍ତୁତି ଚାଲିଥିବା ନେଇ ସୂଚନା ପ୍ରଦାନ କରିଥିଲେ।
ଏହି ଗସ୍ତର ଘୋଷଣା ଏକ ଏପରି ସମୟରେ ହୋଇଛି ଯେତେବେଳେ ଭାରତ ଓ ଆମେରିକା ମଧ୍ୟରେ ରୁଷ ତେଲ କ୍ରୟ ନେଇ ବିବାଦ ଜାରି ରହିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟ ଆମଦାନୀ ଉପରେ ୨୫% ଅତିରିକ୍ତ ଶୁଳ୍କ ଲଗୁ କରିଛନ୍ତି। ଯାହା ଦ୍ୱାରା ଭାରତୀୟ ପଣ୍ୟ ଉପରେ ମୋଟ ଶୁଳ୍କ ୫୦% ହୋଇଛି। ଭାରତ ରୁଷରୁ ତେଲ କିଣି ରୁଷ-ୟୁକ୍ରେନ ଯୁଦ୍ଧକୁ ଅର୍ଥ ଯୋଗାଉଛି ବୋଲି ଟ୍ରମ୍ପ ଅଭିଯୋଗ କରିଛନ୍ତି ।
ପୁଟିନଙ୍କ ଏହି ଗସ୍ତ ଭାରତ-ରୁଷ ମଧ୍ୟରେ ପ୍ରତିରକ୍ଷା, ବାଣିଜ୍ୟ ଓ ଶକ୍ତି କ୍ଷେତ୍ରରେ ସହଯୋଗକୁ ଆହୁରି ଗଭୀର କରିବ। ଏହା ସହିତ, ଏହା ଭାରତର ରଣନୈତିକ ନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ହେବାକୁ ଯାଉଛି। ଯେତେବେଳେ ଭାରତ ଆମେରିକା ସହିତ ସମ୍ପର୍କ ବଜାୟ ରଖି ରୁଷ ସହିତ ମଧ୍ୟ ସୁସମ୍ପର୍କ ଜାରି ରଖିବାକୁ ଚେଷ୍ଟା ଜାରି ରଖିଛି।