ଖାରକିଭ: ରୁଷ ମଙ୍ଗଳବାର ରାତିରେ ୟୁକ୍ରେନ ଉପରେ ଏକ ବଡ଼ ଧରଣର ଡ୍ରୋନ ଆକ୍ରମଣ ଆରମ୍ଭ କରିଛି। ଯେଉଁଥିରେ ୪୦୦ଟି ଲମ୍ବା ଦୂରଗାମୀ ଆଟାକ ଡ୍ରୋନ ଏବଂ ଗୋଟିଏ ବାଲିଷ୍ଟିକ ମିସାଇଲ ସାମିଲ ଥିଲା। ୟୁକ୍ରେନୀୟ ବାୟୁସେନା ଅନୁସାରେ, ଏହା ଗତ ସପ୍ତାହ ମଧ୍ୟରେ ରୁଷର ସବୁଠାରୁ ବଡ଼ ଆକ୍ରମଣ ଥିଲା। ଏହି ଆକ୍ରମଣ ଚାରୋଟି ପ୍ରମୁଖ ଅଞ୍ଚଳ କ୍ରିଭୀ ରିହ (ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ଜନ୍ମସ୍ଥାନ), ଖାରକିଭ, ଭିନିତସିଆ, ଏବଂ ଓଡେସାକୁ ଟାର୍ଗେଟ କରାଯାଇଥିଲା ବୋଲି ସୂଚନା ମିଳିଛି।
କ୍ରିଭୀ ରିହରେ ଋଷର ଜୋରଦାର ଆକ୍ରମଣ ପରେ ସହରର ସାମରିକ ପ୍ରଶାସନ ମୁଖ୍ୟ ଓଲେକ୍ସାଣ୍ଡର ଭିଲକୁଲ ଏହି ଆକ୍ରମଣକୁ "ଯୁଦ୍ଧ ଆରମ୍ଭ ହେବା ପରେ ସବୁଠାରୁ ବଡ଼ ଆକ୍ରମଣ" ବୋଲି ବର୍ଣ୍ଣନା କରିଛନ୍ତି। ସହର ଉପରେ ମୋଟ୍ ୨୮ଟି ଡ୍ରୋନ ଓ ଗୋଟିଏ ମିସାଇଲ ମାଡ ହୋଇଛି। ତେବେ ଏହି ଆକ୍ରମଣ ଯୋଗୁଁ ଅନେକ ସ୍ଥାନରେ ବିପୁଳ ପରିମାଣରେ କ୍ଷୟକ୍ଷତି ହେବା ସହ ଅଗ୍ନିକାଣ୍ଡ ଘଟିଛି। ଏହାସହ ସହରର କିଛି ଅଂଶରେ ବିଦ୍ୟୁତ ଓ ଜଳ ଯୋଗାଣରେ ମଧ୍ୟ ବାଧାପ୍ରାପ୍ତ ହୋଇଛି।
ସେହିଭଳି ଖାରକିଭର ମେୟର ଇହୋର ତେରେଖୋଭ କହିଛନ୍ତି ଯେ, ସହରରେ ମାତ୍ର ୧୪ ମିନିଟ ମଧ୍ୟରେ ୧୬ ଥର ଆକ୍ରମଣର ଶିକାର ହୋଇଥିଲା। ଆକ୍ରମଣ ଏତେ ତୀବ୍ର ଥିଲା ଯେ ବାୟୁସେନାର ରାଡାର ଏହାକୁ ସଠିକ ଭାବେ ଚିହ୍ନଟ କରିବାରେ ସକ୍ଷମ ହୋଇପାରି ନଥିଲା। ଯାହାଫଳରେ ଖାରକିଭରେ ବିପୁଳ ପରିମାଣରେ କ୍ଷୟକ୍ଷତି ଘଟିଛି।
ଭିନିତସିଆ ଓ କିଭ୍ ର ଦକ୍ଷିଣପଶ୍ଚିମାଞ୍ଚଳରେ ଆକ୍ରମଣ ଯୋଗୁଁ ଆଠ ଜଣ ଆହତ ହୋଇଥିବା ବେଳେ ଦୁଇଟି ଭିତ୍ତିଭୂମିରେ ନିଆଁ ଲାଗିଯାଇଥିଲା। ଓଡେସାରେ ମଧ୍ୟ ଆକ୍ରମଣର ପ୍ରଭାବ ଦେଖାଯାଇଥିଲା। ତେବେ ଅନେକ ଅଞ୍ଚଳରେ ରାତି ସାରା ଋଷ ନିଜ ଆକ୍ରମଣ ଜାରି ରଖିଥିଲା ବୋଲି ଜେଲେନସ୍କି ସୂଚନା ଦେଇଛନ୍ତି।
ୟୁକ୍ରେନୀୟ ବାୟୁସେନା ଦାବି କରିଛି ଯେ ସେମାନେ ୪୦୦ ଡ୍ରୋନ ମଧ୍ୟରୁ ୩୪୫ ଟିକୁ ଧ୍ୱଂସ କିମ୍ବା ନିଷ୍କ୍ରିୟ କରିଛନ୍ତି। ଯାହା ତାଙ୍କର ପ୍ରତିରକ୍ଷା କ୍ଷମତାକୁ ଦର୍ଶାଉଛି। ତଥାପି, କ୍ରିଭୀ ରିହରେ ହୋଇଥିବା କ୍ଷୟକ୍ଷତି ସହରବାସୀଙ୍କ ଜୀବନକୁ ଗୁରୁତର ଭାବେ ପ୍ରଭାବିତ କରିଛି। ଗତ ୨୪ ଘଣ୍ଟାରେ ୟୁକ୍ରେନରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୮ ଜଣ ଆହତ ହୋଇଛନ୍ତି।
ଆମେରିକା ପୁଣି ଥରେ ୟୁକ୍ରେନ ମୁହାଁ ହେଉଥିବାରୁ ଋଷ ନିଜ ଆଡୁ ଆକ୍ରମଣକୁ ବୃଦ୍ଧି କରିବାରେ ଲାଗି ରହିଛି। ଏହାସହ ଆମେରିକୀୟ ରାଷ୍ଟ୍ରପତି ମଧ୍ୟ ଋଷୀୟ ରାଷ୍ଟ୍ରପତି ପୁଟିନଙ୍କ ସହ ମୁହାଁମୁହିଁ ପରିସ୍ଥିତିରେ ରହିଛନ୍ତି। ଏନେଇ ଟ୍ରମ୍ପ ସୋମବାର ୟୁକ୍ରେନ ପାଇଁ ଆମେରିକା ତରଫରୁ ଅସ୍ତ୍ରଶସ୍ତ୍ର ଯୋଗାଣ ଜାରି ରଖିବା ଓ ମସ୍କୋ ଉପରେ ସେକେଣ୍ଡାରି ଟାରିଫ ଘୋଷଣା କରିବା ପାଇଁ ଘୋଷଣା କରିଛନ୍ତି।