ନୂଆଦିଲ୍ଲୀ, ୧୧/୬ : ଚେନ୍ନାଇ ସୁପରକିଙ୍ଗ୍‌ସ ଅଧିନାୟକ ତଥା ଯୁବ ଓପନର ଋତୁରାଜ ଗାଏକୱାଡ୍‌ କାଉଣ୍ଟି ଚାମ୍ପିଅନସିପ୍‌ ଖେଳିବାକୁ ଯାଉଛନ୍ତି । ଏନେଇ ସେ ୟର୍କସାୟର କ୍ଲବ୍‌ ସହ ଚୁକ୍ତି ସ୍ୱାକ୍ଷର କରିଛନ୍ତି । ସେ ଆଗାମୀ ଜୁଲାଇରେ କ୍ଲବ୍‌ ସହ ଯୋଗଦେଇ ୫ଟି କାଉଣ୍ଟି ଚାମ୍ପିଅନସିପ୍‌ ମ୍ୟାଚ୍‌ ସମେତ ମେଟ୍ରୋ ବ୍ୟାଙ୍କ୍‌ ଦିନିକିଆ କପ୍‌ ଖେଳିବେ । 

ମହାରାଷ୍ଟ୍ରର ପ୍ରଥମ ଖେଳାଳି ଭାବେ ଋତୁରାଜ କାଉଣ୍ଟି କ୍ରିକେଟ୍‌ ଖେଳିବାକୁ ଯାଉଛନ୍ତି । ୨୮ ବର୍ଷୀୟ ଋତୁରାଜ ୬ଟି ଦିନିକିଆ ଓ ୨୩ଟି ଟି-ଟ୍ୱେଣ୍ଟି ଖେଳିଛନ୍ତି । ସେ ଏବେ ଇଂଲଣ୍ଡ ଗସ୍ତରେ ଥିବା ଭାରତ ଏ’ ଦଳର ସଦସ୍ୟ ରହିଛନ୍ତି । ପ୍ରଥମ ଶ୍ରେଣୀ ଓ ଲିଷ୍ଟ ଏ’ କ୍ରିକେଟରେ ତାଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ରହିଛନ୍ତି । ସେ ୩୮ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳି ୪୧.୭୭ ଆଭରେଜରେ ୨,୬୩୨ ରନ୍‌ (୭ ଶତକ, ୧୪ ଅର୍ଦ୍ଧଶତକ) ଏବଂ ୮୬ଟି ଲିଷ୍ଟ ଏ’ ମ୍ୟାଚ୍‌ରୁ ୫୬.୧୫ ଆଭରେଜରେ ୪,୩୨୪ ରନ୍‌ (୧୬ ଶତକ, ୧୭ ଅର୍ଦ୍ଧଶତକ) ସଂଗ୍ରହ କରି ସାରିଛନ୍ତି । ଗତ ଆଇପିଏଲ୍‌ରେ ସେ ସୁପରକିଙ୍ଗ୍‌ସ ଦଳର ନେତୃତ୍ୱ ନେଇଥିଲେ । ମାତ୍ର କହୁଣୀରେ ଆଘାତ ପାଇଁ ସିଜନ ଅଧାରୁ ଓହରି ଯାଇଥିଲେ । ଗାଏକୱାଡ୍‌ କହିଛନ୍ତି, ୟର୍କସାୟର କ୍ଲବ୍‌ ସହ ଯୋଗଦେବାକୁ ଉତ୍ସୁକତାର ସହ ଅପେକ୍ଷା କରିଛି । କାଉଣ୍ଟି ଖେଳିବାର ସ୍ୱପ୍ନ ପୂରଣ ହୋଇଥିବାରୁ ବହୁତ ଖୁସି ଅଛି । ୟର୍କସାୟର ପକ୍ଷରୁ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଚେଷ୍ଟା କରିବି ।