ଭୁବନେଶ୍ୱର,୨୧/୬ : ଲାଲ୍ ଟକ୍ଟକ୍ କୋଇଲାରେ ଲୁହା ତତାଯାଉଛି । ଶରୀରରୁ ଗମ୍ଗମ୍ ଝାଳ ବୋହୁଥିବାବେଳେ ତାକୁ ଗାମୁଛାରେ ପୋଛି ପାଟିରେ ପାନ ଖଣ୍ଡେ ଯାକି ଦେଇ ତତଲା ଲୁହାକୁ ଉଠାଇ ଆଣି ହାତୁଡ଼ିରେ ପିଟୁଛନ୍ତି । ଥକି ଯିବାର ନାଁ ନେଉନାହାନ୍ତି । ୟେ ହେଉଛନ୍ତି ସବିତ ମହାରଣା ଓରଫ ସବିତ ସାର । ବୟସ ୭୬ ହେଲାଣି କିନ୍ତୁ ଶରୀରରେ ଯୁବକଙ୍କ ଭଳି ବଳ । ନୟାଗଡ଼ ଜିଲ୍ଲା ବଡପୁଟ ଗାଁର ମୂଳବାସିନ୍ଦା ସବିତଙ୍କ ବାପା ନାରାୟଣ ମହାରଣା ପେସାରେ ଥିଲେ କମାର । ଆର୍ଥିକ ଅନଟନ ସତ୍ତ୍ଵେ ସେ ସବିତଙ୍କୁ ପାଠ ପଢାଇ ଯୋଗ୍ୟ କରିଥିଲେ । ଗାଁ ସ୍କୁଲରେ ମାଟ୍ରିକ ପଢି ସାରିବା ପରେ ସବିତ ଭବାନୀପାଟଣା ଯାଇ ସେଠାରେ କଳାରେ ଯୁକ୍ତ ଦୁଇ ପଢ଼ିଥିଲେ । ଏହାପରେ ସିଟି ପାସ୍ କରି ଶିକ୍ଷକତା କରିଥିଲେ । ଯାହା ଦରମା ମିଳେ ସେଥିରେ ସେ ନିଜେ ଚଳିବା ଓ ଗାଁରେ ପରିବାର ଚଳାଇବା କଷ୍ଟକର ହୁଏ । ତେଣୁ ୨୦ ବର୍ଷରୁ ଅଧିକ ସମୟ ଶିକ୍ଷକତା କରିବା ପରେ ହଠାତ୍ କୌଣସି ବ୍ୟକ୍ତିଗତ କାରଣ ପାଇଁ ସେ ଚାକିରି ଛାଡ଼ିଦେଇ ଗାଁକୁ ପଳାଇଆସିଲେ । ସ୍ଥିର କଲେ ଆଉ କୌଣସି ପେସା ଧରିବେନି । ନିଜ କୌଳିକ ବୃତ୍ତିକୁ ହିଁ ପେସା କରିବେ । ଏହାଦ୍ୱାରା ତାଙ୍କର ଜୀବିକା ନିର୍ବାହ ହେବା ସହ କୌଳିକ ବୃତ୍ତି ମଧ୍ୟ ବଞ୍ଚିରହିବ । ଏହାଭାବି ସ୍ତ୍ରୀ ଓ ଚାରିପୁଅଙ୍କୁ ନେଇ ଡୁମୁଡୁମା ଚାଲିଆସି କମାରଶାଳ କରିଥିଲେ ।
ବାସ୍ ସେବେଠୁ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି । ଇତିମଧ୍ୟରେ ୩୦ ବର୍ଷ ବିତିଗଲାଣି । ହେଲେ ଏବେ ବି ତାଙ୍କ ଆଖିକୁ ସ୍ପଷ୍ଟ ଦିଶୁଛି । ଦେହରେ କୌଣସି ରୋଗ ନାହିଁ । ଚାରିପୁଅଙ୍କ ମଧ୍ୟରୁ ତିନିଜଣ ବିବାହ କରି ଅଲଗା ରହୁଛନ୍ତି । ସ୍ତ୍ରୀ ପାଖରେ ଅଛନ୍ତି । ସାନ ପୁଅ କୁଳମଣି ପାଠ ପଢ଼ିବା ସହ ବାପାଙ୍କୁ ସହାୟତା କରୁଛି । ସବିତ ସକାଳୁ ସକାଳୁ ହାତୁଡ଼ି ଧରି କମାରଶାଳରେ ପହଞ୍ଚିଯାଆନ୍ତି । ଲୁହାକୁ ପିଟିପିଟି ଦା, କଟୁରୀ, ଚାପଡ଼, ପନିକି ଓ ଛୁରି ଆଦି କେତେ କ’ଣ ସାମଗ୍ରୀ ତିଆରି କରନ୍ତି । ଦିନକୁ ଏଥିରୁ ୫୦୦ରୁ ହଜାରେ ଟଙ୍କା ପର୍ଯ୍ୟନ୍ତ ରୋଜଗାର ହୁଏ । ଡୁମଡୁମା, ଆଇଗିଣିଆ, ଖଣ୍ଡଗିରି, କଳିଙ୍ଗନଗର, କୋଳଥିଆ, ଏମ୍ସ ଅଞ୍ଚଳ, ରଣସିଂହପୁର, ସିଜୁଆ ଓ ପାତ୍ରପଡ଼ାରୁ ଲୋକେ ଆସି ସବିତଙ୍କ ଠାରୁ ଏସବୁ ସାମଗ୍ରୀ କିଣିନିଅନ୍ତି । ଗରାଖ ତାଙ୍କଠାରୁ ଗଲାବେଳେ ଅନର୍ଗଳ ଇଂରାଜୀରେ ନିଜର ପରିଚୟ ଦେଇ ଗ୍ରାହକଙ୍କୁ ଆଉ ଥରେ ଆସିବାକୁ କହନ୍ତି ସବିତ ସାର ।
ସବିତ କହନ୍ତି, ସେ ସ୍ୱେଚ୍ଛାରେ ଶିକ୍ଷକ ଚାକିରି ଛାଡ଼ିଥିଲେ । ଯଦି ଚାକିରିରେ ଥାଆନ୍ତେ ତେବେ ଆଜି ପେନ୍ସନ୍ ପାଇ ଘରେ ବସିଥାନ୍ତେ । ହେଲେ କୌଳିକ ବୃତ୍ତି ବୁଡ଼ିଯାଇଥାନ୍ତା । ‘ବୃତ୍ତି ଏ ମୋର ପୋଷେ କୁଟୁମ୍ବ’କୁ ଆଧାର କରି ସେ ଏ ବୟସରେ ବି କମାରଶାଳ ବଞ୍ଚାଇ ରଖିଛନ୍ତି ବୋଲି ଗର୍ବର ସହ କହନ୍ତି । ତାଙ୍କ କହିବା କଥା, କୌଳିକ ବୃତ୍ତି ବୁଡ଼ିବା କଥା ନୁହେଁ । ସେଥିପାଇଁ ସେ ତାଙ୍କ କଲେଜ ପଢ଼ୁଆ ସାନପୁଅକୁ ଆଣି କାମ ଶିଖାଉଛନ୍ତି ।