ଭୁବନେଶ୍ୱର,୧୬/୧୧: କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଅନ୍ତର୍ଜାତୀୟ କ୍ରିକେଟ୍‌ ଛାଡ଼ିବା ଏକ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ହେଲାଣି । ଏବେବି  ତାଙ୍କ ଲୋକପ୍ରିୟତା ଅତୁଟ ରହିଛି । ଟି-ଟ୍ୱେଣ୍ଟି କ୍ରିକେଟର ଦ୍ରୁତ ଆଦର  ସତ୍ତେ୍ୱ ତାଙ୍କୁ ଅନୁକରଣ କରୁଛନ୍ତି ଯୁବ  ଖେଳାଳି । ସେଭଳି ଜଣେ ଯୁବ ବ୍ୟାଟର ହେଲେ ମହାରାଷ୍ଟ୍ରର ସଚିନ ଧାସ୍‌ ।  

ମାତ୍ର ୧୯ ବର୍ଷ ବୟସରେ ଧାସ୍‌  ରଣଜୀ ଟ୍ରଫି ପଦାର୍ପଣ କରିବାର ସୁଯୋଗ ପାଇଛନ୍ତି । ଓଡ଼ିଶା ବିପକ୍ଷରେ  ରଣଜୀ ଟ୍ରଫିର ପଞ୍ଚମ ରାଉଣ୍ଡ ମ୍ୟାଚ୍‌ ଖେଳିବା ପାଇଁ ବାରବାଟୀ  ଷ୍ଟାଡିୟମ ଆସିଥିଲେ । ଉଭୟ  ଇନିଂସରେ ଧାସ୍‌ ଓପନ (୨୦,  ୩୮) କରିଥିଲେ । ସେମିତି ବଡ଼ ଇନିଂସ ଖେଳିପାରି ନଥିଲେ ବି ତାଙ୍କ  ଖେଳ ସମସ୍ତଙ୍କୁ ଆକୃଷ୍ଟ କରିଥିଲା । 

ସଚିନ ତେନ୍ଦୁଲକରଙ୍କର  ବଡ଼ ପ୍ରଶଂସକ ହେଉଛନ୍ତି ଧାସ୍‌ ।  ତେନ୍ଦୁଲକରଙ୍କ ଜର୍ସି ନମ୍ବର ୧୦ ଥିଲା ।  ଧାସ୍‌ଙ୍କ ଜର୍ସି ନମ୍ବର ମଧ୍ୟ ୧୦ । ପିଲାଟି ଦିନରୁ ସଚିନଙ୍କ ଖେଳ ଦେଖି  ବଢ଼ିଥିଲେ । ତାଙ୍କ ଭଳି ଖେଳିବାକୁ ଲକ୍ଷ୍ୟ  ରଖିଥିବା ଧାସ୍‌ ଗଣମାଧ୍ୟମକୁ କହିଛନ୍ତି । 

ଚଳିତ ବର୍ଷ ୧୯ ବର୍ଷରୁ କମ୍‌  ବିଶ୍ୱକପ୍‌ ଦଳର ସଦସ୍ୟ ଥିଲେ  ଧାସ୍‌ । ମଧ୍ୟଭାଗରେ ସେ ବ୍ୟାଟିଂ  କରୁଥିଲେ । ୭ଟି ମ୍ୟାଚ୍‌ରୁ ସେ ୩୦୩  ରନ୍‌ କରିଥିଲେ । ଯେଉଁଥିରେ ଗୋଟିଏ  ଶତକ (୧୧୧) ସାମିଲ ରହିଥିଲା ।  ଯାହା ସେ ନେପାଳ ବିପକ୍ଷରେ  ହାସଲ କରିଥିଲେ । ସେମିତି ଦକ୍ଷିଣ  ଆଫ୍ରିକା ବିପକ୍ଷରେ (୯୬) ଅଳ୍ପକେ  ଶତକରୁ ବଞ୍ଚିତ ହୋଇଥିଲେ ।  

ଭାରତ ଫାଇନାଲ ଖେଳିଥିଲା । ମାତ୍ର  ଅଷ୍ଟ୍ରେଲିଆ ଠାରୁ ୭୯ ରନ୍‌ରେ ପରାସ୍ତ  ହୋଇ ଟ୍ରଫି ହାତଛଡ଼ା କରିଥିଲା । ଜୁନିୟର କ୍ରିକେଟରେ ଉନ୍ନତ  ପ୍ରଦର୍ଶନ କରିବା ପରେ ମହାରାଷ୍ଟ୍ର  ରଣଜୀ ଦଳରେ ୨୦୨୩-୨୪ ସିଜନରେ  ତାଙ୍କୁ ସୁଯୋଗ ମିଳିଥିଲା । ଚଳିତ  ବର୍ଷ ଫେବ୍ରୁଆରୀ ୧୬ ତାରିଖରେ  ସର୍ଭିସେସ୍‌ ବିପକ୍ଷରେ ପ୍ରଥମ ଶ୍ରେଣୀ  କ୍ରିକେଟ୍‌ ପଦାର୍ପଣ କରିଥିଲେ । 

ଏ ପର୍ଯ୍ୟନ୍ତ ଧାସ୍‌ ୬ଟି ମ୍ୟାଚ୍‌  ଖେଳି ୨୬୭ ରନ୍‌ କରିଛନ୍ତି ।  ଯେଉଁଥିରେ ଗୋଟିଏ ଅର୍ଦ୍ଧଶତକ  ସାମିଲ ରହିଛି । ଗତ ମୁମ୍ବାଇ ବିପକ୍ଷ  ମ୍ୟାଚ୍‌ରେ ସେ ସର୍ବାଧିକ ୯୮ ରନ୍‌  କରିଥିଲେ । ଧାସ୍‌ଙ୍କର ଏବେ ପ୍ରଥମ  ଶ୍ରେଣୀ କ୍ୟାରିୟର ଆରମ୍ଭ ହୋଇଛି ।  କଠିନ ପରିଶ୍ରମ ଏବଂ ଖେଳ  ଉପରେ ଦୃଢ଼ ଏକାଗ୍ରତା ରଖିଲେ  ସେ ନିଶ୍ଚିତ ବହୁ ଆଗକୁ ଯିବେ ।