ନୂଆଦିଲ୍ଲୀ: ମାଲେଗାଓଁ ବିସ୍ପୋରଣ ମାମଲାରେ ଗତକାଲି (ଗୁରୁବାର) ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଥିବା ପୂର୍ବତନ ବିଜେପି ସାଂସଦ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ଆଜି (ଶୁକ୍ରବାର) ହଠାତ୍ ଅସୁସ୍ଥ ହୋଇପଡ଼ିଛନ୍ତି । ତାଙ୍କୁ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପ୍ରଜ୍ଞା ଠାକୁର ମାଲେଗାଓଁ ବିସ୍ଫୋରଣ ମାମଲାର ତଦନ୍ତ କରୁଥିବା ମହାରାଷ୍ଟ୍ର ATS ଅଧିକାରୀ ମାନଙ୍କ ଉପରେ ତାଙ୍କୁ ନିର୍ଯାତନା ଦେବାର ଅଭିଯୋଗ କରିଆସୁଛନ୍ତି। ୬ ନଭେମ୍ବର ୨୦୨୪ରେ ସେ ଏକ୍ସରେ ତାଙ୍କ ଅସୁସ୍ଥ ସ୍ୱାସ୍ଥ୍ୟର ଏକ ଫଟୋ ସେୟାର କରିଥିଲେ। ସେତେବେଳେ ସେ ମାଲେଗାଓଁ ବିସ୍ଫୋରଣ ମାମଲାରେ କୋର୍ଟରେ ହାଜର ହେବା ବିଷୟରେ କହିଥିଲେ ଯେ, ଯଦି ସେ ବଞ୍ଚି ରହନ୍ତି, ତେବେ ସେ ନିଶ୍ଚିତ ଭାବରେ କୋର୍ଟକୁ ଯିବେ।

ଭୋପାଳର ପୂର୍ବତନ ସାଂସଦ ପ୍ରଜ୍ଞା ଠାକୁର କହିଥିଲେ ଯେ,"କଂଗ୍ରେସର ନିର୍ଯାତନା କେବଳ ATS ହେପାଜତରେ ନୁହେଁ ବରଂ ମୋ ସାରା ଜୀବନ ପାଇଁ ମରଣାନ୍ତକ ଯନ୍ତ୍ରଣାର କାରଣ ପାଲଟିଗଲା । ମସ୍ତିଷ୍କରେ ପିଡା, ଦୃଷ୍ଟିଶକ୍ତି ଦୁର୍ବଳ, ଶ୍ରବଣଶକ୍ତି ଦୁର୍ବଳ,ବାକ୍ ଅସନ୍ତୁଳନ, ଷ୍ଟେରଏଡ୍ ଏବଂ ନ୍ୟୁରୋ ଔଷଧ ଯୋଗୁଁ ସମଗ୍ର ଶରୀର ଯନ୍ତ୍ରଣାରେ ପରିପୂର୍ଣ୍ଣ । ହସ୍ପିଟାଲରେ ଏବେ ଏହାର ଚିକିତ୍ସା ଚାଲିଛି।''

ଗୁରୁବାର ଦିନ, ଯେତେବେଳେ NIA ସ୍ୱତନ୍ତ୍ର କୋର୍ଟର ରାୟ ଆସିଲା, ପ୍ରଜ୍ଞା ଠାକୁର ପଚରାଉଚରା ଦିନ ଗୁଡ଼ିକୁ ମନେ ପକାଇ କହିଲେ ଯେ ମୋତେ ୧୩ ଦିନ ପାଇଁ ନିର୍ଯାତନା ଦିଆଯାଇଥିଲା, ମୋର ଜୀବନକୁ ନଷ୍ଟ କରିଦିଆଯାଇଛି। 

ସୂଚନାଥାଉକି, ୨୯ ସେପ୍ଟେମ୍ବର ୨୦୦୮ରେ ମହାରାଷ୍ଟ୍ରର ମାଲେଗାଓଁ ସହରର ଏକ ମସଜିଦ ନିକଟରେ ଏକ ବିସ୍ଫୋରଣ ହୋଇଥିଲା। ଦାବି କରାଯାଇଥିଲା ଯେ ଏକ ମୋଟର ସାଇକେଲରେ ବିସ୍ଫୋରକ ରଖାଯାଇଥିଲା । ବିସ୍ଫୋରଣରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୧୦୧ ଜଣ ଆହତ ହୋଇଥିଲେ। ଏହି ମାମଲାରେ ପ୍ରଜ୍ଞା ଠାକୁରଙ୍କ ସମେତ ସାତ ଜଣଙ୍କୁ ଅଭିଯୁକ୍ତ କରାଯାଇଥିଲା। ଗୁରୁବାର NIA ସ୍ୱତନ୍ତ୍ର କୋର୍ଟ ସମସ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ।