ଭୁବନେଶ୍ବର୧୧/ ୧୧: ସହଦେବ ନାୟକ ହତ୍ୟା ମାମଲା। ୧୦ ମାସ ପରେ ମାଷ୍ଟମାଇଣ୍ଡ ସୁଲେଇ ନାୟକକୁ ବାନ୍ଧିଲା ମଞ୍ଚେଶ୍ବର ଥାନା ପୁଲିସ। ପୂୂର୍ବରୁ ସୁଲେଇ ନାଁରେ ଗିରଫ ପରୱାନା ଜାରି କରିଥିଲା କମିସନରେଟ୍ ପୁଲିସ। ସୁଲେଇକୁ ଗିରଫ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି। ପୂର୍ବୁ ସହଦେବ ନାୟକ ୬ରୁ ଅଧିକ ଅଭିଯୁକ୍ତକୁ ଗିରଫ କରିଥିଲା ପୁଲିସ।
ସୂଚନାନୁଯାୟୀ, କେଦାରପଲ୍ଲୀ ବସ୍ତିର ସହଦେବ ନାୟକ ବିଏମ୍ସି ସଫେଇ କର୍ମଚାରୀ ସଂଘର ସଭାପତି ଥିଲେ। ସେ କିଛି ମାସ ଧରି ପଳାଶୁଣୀର ଏକ ଭଡ଼ାଘରେ ରହୁଥିଲେ । ଜାନୁଆରୀ ତାରିଖ ସକାଳ ୮ଟା ବେଳେ ଝିଅକୁ ସ୍କୁଲରେ ଛାଡି ଏକ ନାଲି ରଙ୍ଗ ସ୍କୁଟିରେ ଭଡ଼ାଘରକୁ ଫେରୁଥିଲେ। ସ୍କୁଲ ନିକଟରୁ ୪ ଅଭିଯୁକ୍ତ ୨ଟି ବାଇକ୍ରେ ତାଙ୍କୁ ପିଛା କରୁଥିଲେ । ସହଦେବ ବାଣୀବିହାର ଛକ ପାର ହେବା ପରେ ୪ଜଣ ତାଙ୍କୁ ଅଟକାଇବାକୁ ଚେଷ୍ଟା କଲେ । କିନ୍ତୁ ସହଦେବ ସ୍କୁଟିର ବେଗ ବଢ଼ାଇ ଦ୍ରୁତଗତିରେ ଆଗକୁ ମାଡି଼ ଚାଲିଲେ । ରସୁଲଗଡ଼ ରେଳ ଓଭରବ୍ରିଜ୍ ଉପରେ ଜଣେ ସ୍କୁଟିକୁ ଗୋଇଠା ମାରିବାରୁ ସହଦେବ ତଳେ ପଡି଼ଗଲେ । ୪ ଅଭିଯୁକ୍ତ ଗାଡ଼ିରୁ ଓହ୍ଲାଇ ତାଙ୍କୁ ଘେରିଯାଇଥିଲେ । ସହଦେବ ତାଙ୍କ ବାହୁରେ ୨ଜଣଙ୍କୁ କାବୁ କରିନେଲେ । ଉଭୟେ ମୁକୁଳିପାରିଲେନି । ଲିପିକା ବ୍ୟାଗ୍ରେ ଆଣିଥିବା ଖଣ୍ଡାକୁ ଲକ୍ଷ୍ମୀଧରକୁ ଧରାଇଥିଲେ । ଲକ୍ଷ୍ମୀଧର ଖଣ୍ଡାରେ ତାଙ୍କ ବେକକୁ ଏକ ଶକ୍ତ ଚୋଟ ମାରିଥିଲେ । ଖଣ୍ଡା ଚୋଟ ଖାଇବା ପରେ ସହଦେବ ଘାଇଲା ହୋଇ ତଳେ ପଡ଼ିଗଲେ । ୩ ଅଭିଯୁକ୍ତ ତାଙ୍କ ବେକକୁ ଲକ୍ଷ୍ୟ କରି ଚୋଟ ପରେ ଚୋଟ ମାରି ଚାଲିଲେ । ହତ୍ୟାରେ ବ୍ୟବହୃତ ଖଣ୍ଡାକୁ ଲିପିକା ଏକ ବ୍ୟାଗ୍ରେ ପୁରାଇ ଲକ୍ଷ୍ମୀଧରଙ୍କ ବାଇକ୍ (ଓଆର୍୧୯ଜେ ୭୦୨୮)ରେ ବସି ରସୁଲଗଡ଼ ଆଡ଼େ ଚମ୍ପଟ ମାରିଥିଲେ। ତେବେ ଜଣେ ବାଇକ୍ ଆରୋହୀ ତାଙ୍କ ମୋବାଇଲ୍ରେ ଏହାର ଭିଡିଓ ଉତ୍ତୋଳନ କରିଥିଲେ । ଯାହାକି ପୁଲିସ ପାଇଁ ଅଭିଯୁକ୍ତଙ୍କୁ ପାଇବାରେ ସହାୟକ ହୋଇଥିଲା।
ଏହା ପରେ ସ୍ପେଶାଲ ସ୍କ୍ୱାର୍ଡ ଚଢାଉ କରି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେମାନଙ୍କୁ ପଚରାଉଚରା ପରେ ଘଟଣାରେ ସମ୍ପୃକ୍ତ ଆଉ ୨ ଜଣଙ୍କୁ ପୋଲିସ ଗିରଫ କରିଥିଲା। ସମସ୍ତ ଅଭିଯୁକ୍ତଙ୍କୁ ନେଇ ହତ୍ୟା ଘଟଣାର ପୋଲିସ ସିନ୍ ରିକ୍ରିଏସନ କରିଥିଲା । ଏହାର କିଛି ଦିନ ମଧ୍ୟରେ ଫେବୃୟାରୀ ୧୬ ତାରିଖରେ ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମହିଳା ରମା ନାଏକ ମଞ୍ଚେଶ୍ୱରେ ଥାନାରେ ଆତ୍ମସମର୍ପଣ କରିଥିଲା । ଆଜି ମାଷ୍ଟରମାଇଣ୍ଡ ସୁଲେଇ ନାୟକକୁ ଗିରଫ କରିଛି ମଞ୍ଚେଶ୍ବର ପୁଲିସ।