ପୁରୀ ୩୦/୦୩:  ସୋମବାର ସାହିଯାତ ନୀତିରେ ରହିଛି ଦୁଃଖ । ପ୍ରଭୁ ଶ୍ରୀରାମଙ୍କ ବନବାସ ନୀତି । ପିତୃ ସତ୍ୟ ପାଳନ କରିବେ ପୁରୁଷୋତ୍ତମ ଶ୍ରୀରାମ । ବନବାସରୁ ନିବୃତ ରହିବାକୁ ଗ୍ରାମବାସୀ ନେହୁରା ହେବେ । ହେଲେ ବନବାସକୁ ଚାଲିଯିବେ ଶ୍ରୀରାମ, ଦେବୀ ସୀତା ଓ ଭ୍ରାତା ଲକ୍ଷ୍ମଣ । ଶ୍ରୀମନ୍ଦିରରେ ରାମଳୀଳା ଅବସରରେ ଚୈତ୍ରମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ଜଗନ୍ନାଥ ବଲ୍ଲଭ ମଠରେ ମାର୍କଣ୍ଡେଶ୍ୱର ସାହି ପକ୍ଷରୁ ଶ୍ରୀରାମଙ୍କ ବନବାସ ନୀତି ସମ୍ପନ୍ନ ହେବ ।

ମାର୍କଣ୍ଡେଶ୍ୱର ସାହି ଆଖଡ଼ା ଭଗବତୀ କୋଟ ନିକଟରୁ ଶ୍ରୀରାମ, ଶ୍ରୀଲକ୍ଷ୍ମଣ, ସୀତାଦେବୀ ଓ ଋଷି ବଶିଷ୍ଠ ଆଦି ପୌରାଣିକ ଚରିତ୍ର ବାହାରି ଶ୍ରୀମନ୍ଦିରରେ ଠାକୁରଙ୍କ ନୀତି କରିବା ସହ ନଗର ପରିକ୍ରମା କରିବେ । ବଡ଼ଦେଉଳ ନୀତି ଅନୁସାରେ ସନ୍ଧ୍ୟା ଧୂପ ପରେ ଠାକୁରଙ୍କ ଆଜ୍ଞମାଳ ପାଇ ଘଣ୍ଟଘଣ୍ଟାର ପଟୁଆରରେ ଶ୍ରୀରାମକୃଷ୍ଣ ଓ ସୀତାଦେବୀ ପାଲିଙ୍କିରେ ଯାଇ ଜଗନ୍ନାଥ ବଲ୍ଲଭରେ ବିଜେ ହେବେ । ସାଥିରେ ଥିବେ ମାର୍କଣ୍ଡେଶ୍ୱର ସାହିରୁ ବାହାରିଥିବା ପୌରାଣିକ ଚରିତ୍ରର ପଟୁଆର । ସେଠାରେ ମାର୍କଣ୍ଡେଶ୍ୱର ସାହିଆମାନେ ବନବାସ ଲୀଳା କରିବେ । ମଠରେ ଶୀତଳ ଭୋଗ ମଣୋହି ପରେ ଠାକୁରମାନେ ଶ୍ରୀମନ୍ଦିରକୁ ବାହୁଡ଼ିବେ ।

ଅଧିକ ପଢ଼ନ୍ତୁ :-  ଶ୍ରୀମନ୍ଦିର ନୀଳଚକ୍ର ଉପରେ ପୁଣି ବସିଲା ଚିଲ୍, ଜାଣନ୍ତୁ କ'ଣ ସଙ୍କେତ ଦେଲେ ମହାପ୍ରଭୁ

ବହୁ ବର୍ଷ ପୂର୍ବେ ମାର୍କଣ୍ଡେଶ୍ୱର ସାହିର ଯାତ ବନ୍ଧୁ ତଥା ବାଦୀ ସାହି ଗୌଡ଼ବାଡ଼ ସାହି ଭ୍ରମଣ କରୁଥିଲା । ଦୁଇ ଦିନ ହେଉଥିଲା ଯାତ । ଏବେ ଯାତ ମାର୍କଣ୍ଡେଶ୍ୱର ସାହି ସମେତ ଶ୍ରୀମନ୍ଦିର ଚତୁଃପାଶ୍ୱର୍ ଭ୍ରମଣ କରୁଥିବା ସୂଚନା ରହିଛି । ଏଥିସହ ସାହିର ୮ ମେଳ ପକ୍ଷରୁ ନାଗା ଓ ମେଢ଼ ଆଦି ଭୁଆଷିକ ବାହାରି ଶ୍ରୀମନ୍ଦିର ଚତୁଃପାଶ୍ୱର୍ ସମେତ ମାର୍କଣ୍ଡେଶ୍ୱର ସାହି ଭ୍ରମଣ କରିବ।