ଭୁବନେଶ୍ୱର,୨୧/୧୨: ରାଜଧାନୀ ସହିଦନଗର ଗଣଦୁଷ୍କର୍ମ ହେଲା ରେଡ୍ ଫ୍ଲାଗ୍ । ଗଣ ଦୁଷ୍କର୍ମ ମାମଲାକୁ ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ କରାଯାଇଛି । କ୍ରାଇମବ୍ରାଞ୍ଚ ଡିଜିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ମାମଲାର ହେବ ତଦନ୍ତ । ଏହି କେସରେ କମିଶନରେଟ୍ ପୁଲିସକୁ ସହଯୋଗ କରିବ କ୍ରାଇମବ୍ରାଞ୍ଚ । ଚାକିରି ଦେବାକୁ କହି ଜଣେ ଆଶାୟୀ ନାବାଳିକାକୁ ଭଡ଼ା ଘରକୁ ଡାକିଥିଲେ ଦୁଇ ଅଭିଯୁକ୍ତ । ସେଠାରେ ଉଭୟ ଗଣଦୁଷ୍କର୍ମ କରିବା ପରେ ନାବାଳିକାଙ୍କୁ ଅର୍ଚାର୍ଯ୍ୟ ବିହାର ଛକରେ ଛାଡ଼ି ଦେଇଥିଲେ । ଏହି ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ ପୁଲିସ କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଅକ୍ଷୟ ଦାସ, ସାହିଲ୍ ଖାନ୍ । ପୂର୍ବରୁ ଧଉଳି ଗଣଦୁଷ୍କର୍ମ ମାମଲାକୁ ରେଡ୍ ଫ୍ଲାଗ୍ ଘୋଷଣା କରିଥିଲେ ସରକାର ।
ପୁଲିସ ସୂଚନା ଅନୁଯାୟୀ, ଗିରଫ ଅଭିଯୁକ୍ତ ଅକ୍ଷୟ ଗତ କିଛି ଦିନ ତଳେ ସୋସିଆଲ ମିଡ଼ିଆରେ ଏକ ବିଜ୍ଞାପନ ଦେଇଥିଲେ । ସେଥିରେ ସେ ଉଲ୍ଲେଖ କରିଥିଲେ, ଡାଟା ଏଣ୍ଟ୍ରି ଅପରେଟର ପାଇଁ ପିଲା ଆବଶ୍ୟକ । ଦରମା ୧୦ରୁ ୧୨ ହଜାର ମିଳିବ । ଏହା ଦେଖି ନାବାଳିକା ଜଣଙ୍କ ତାଙ୍କୁ ଫୋନ୍ କରିଥିଲେ । ଅଭିଯୁକ୍ତ ଅକ୍ଷୟ ତାଙ୍କୁ ଏକ ଠିକଣା ଦେଇଥିଲେ । ଗତ ୧୮ ତାରିଖ ଦିନ ପ୍ରାୟ ୨ଟା ବେଳେ ନାବାଳିକା ସେଠାରେ ପହଞ୍ଚି ଯାଇଥିଲେ । ନାବାଳିକା ଦେଖିଥିଲେ ରୁମ୍ରେ ୩ଜଣ ଯୁବକ ଅଛନ୍ତି । ନାବାଳିକା ଜଣଙ୍କ ରୁମ୍କୁ ଯିବା ମାତ୍ରେ ଜଣେ ଯୁବକ ବାହାକୁ ପଳାଇ ଆସି ରୁମ୍ ବାହାର ପଟୁ ବନ୍ଦ କରି ଦେଇଥିଲେ । ଅକ୍ଷୟ ଓ ସାହିଲ୍ ନାବାଳିକାକୁ ଦୁଷ୍କର୍ମ କରିଥିଲେ । ଖାଲି ସେତିକି ନୁହେଁ ଏହି ଅମାନବୀୟ କାଣ୍ଡର ଭିଡିଓ କରିଥିଲେ । ସ୍ଥିତି ଏମିତି ହୋଇଥିଲା ଯେ ନାବାଳିକା ଜଣଙ୍କ ଚେତା ହରାଇଥିଲେ । ଚେତା ଫେରିବା ପରେ ଅକ୍ଷୟ ଓ ସାହିଲ୍ ନାବାଳିକାଙ୍କୁ ନେଇ ବିଳମ୍ବିତ ରାତିରେ ଆଚାର୍ଯ୍ୟବିହାର ଛକରେ ଛାଡ଼ି ଦେଇଥିଲେ । ନାବାଳିକା ଜଣକ ଘରକୁ ଯାଇ ଘଟଣା ବିଷୟରେ ପରିବାର ଲୋକଙ୍କୁ ଜଣାଇଥିଲେ । ୧୯ ତାରିଖ ଦିନ ପରିବାର ଲୋକ ସହିଦ ନଗର ଥାନାରେ ଅଭିଯୋଗ କରିଥିଲେ । ପୁଲିସ୍ ମାମଲା(୬୧୦/୨୫) ରଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ୧୯ ତାରିଖ ଦିନ ପୁଲିସ୍ ନାବାଳିକାର ଡାକ୍ତରୀ ପରୀକ୍ଷା କରିବା ସହ ବୟାନ ରେକର୍ଡ କରିଥିଲା । ତା’ପରେ ଦୁଇ ଅଭିଯୁକ୍ତଙ୍କୁ ଗରଫ କରି କୋର୍ଟ ଚାଲାଣ କରିଥିଲା । ଏବେ ପୁଲିସ୍ ସାକ୍ଷ୍ୟ ପ୍ରମାଣ ଯୋଗାଡ଼ କରିବାରେ ଲାଗିଛି । ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳ ଯାଞ୍ଚ କରିଛି । ଗିରଫ ଅଭିଯୁକ୍ତଙ୍କ ବିରୋଧରେ ବିଏନ୍ଏସ୍ ଦଫା ୭୦(ଗଣ ଦୁଷ୍କର୍ମ) ଓ ୬ ପୋକ୍ସୋ ଆକ୍ଟ ଲାଗିଛି । ତେବେ ଏହି ଜଘନ୍ୟ ଘଟଣାକୁ ସରକାର ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ କରିଛନ୍ତି