ଭୁବନେଶ୍ବର,୧୨/୧୨ : ସୈନିକ ସ୍କୁଲ ଏବଂ ଓଏମ୍‌ସି ତରଫରୁ ଏହାର ୮ତମ ମିନି ମାରାଥନ ଚଳିତ ମାସ ୧୫ ତାରିଖ ସକାଳ ୬ଟାରେ ଅନୁଷ୍ଠିତ ହେବ । ଏ ନେଇ ସୂଚନା ଦେଇଛନ୍ତି ସୈନିକ ସ୍କୁଲ ଅଧ୍ୟକ୍ଷ । ଉକ୍ତ ପ୍ରତିଯୋଗିତାରେ ସ୍କୁଲର ୬୦୦ କ୍ୟାଡ଼େଟ୍‌, ଦୁଇଶହ ପୁରାତନ ଛାତ୍ର, ଚାରିଶହରୁ ଊର୍ଦ୍ଧ୍ବ ସହୋଦୟ ସ୍କୁଲ ଏବଂ ସରକାରୀ ବିଦ୍ୟାଳୟ ମାନଙ୍କରୁ ପ୍ରତିଯୋଗୀଙ୍କୁ ମିଶାଇ ସର୍ବ ମୋଟ ୧୨୦୦ପ୍ରତିଯୋଗୀ ଅଂଶଗ୍ରହଣ କରିବେ ।

ତେଣୁ ପ୍ରତିଯୋଗୀମାନଙ୍କୁ ସକାଳ ୫ଟା ୩୦ମିନିଟରେ ସୈନିକ ସ୍କୁଲ ପରିସର ମଧ୍ୟରେ ଥିବା ଗାନ୍ଧୀ ମିନି ଷ୍ଟାଡ଼ିୟମଠାରେ ପହଞ୍ଚିବା ପାଇଁ ଅନୁରୋଧ କରାଯାଇଛି । ଏଠାରୁ ବରିଷ୍ଠ ପ୍ରତିଯୋଗୀମାନେ ନିଜର ଦୌଡ଼ ଆରମ୍ଭ କରି ସୈନିକ ସ୍କୁଲ ମୁଖ୍ୟ ଗେଟ୍‌, ମଞ୍ଚେଶ୍ୱର ରାସ୍ତା, ରେଳ କଲୋନୀ ରାସ୍ତା, ଓମ୍‌ଫେଡ଼୍‌ ଛକ, ନାଲକୋ-କଳିଙ୍ଗ ହସ୍‌ପିଟାଲ, ଜୟଦେବ ବିହାର, ଆଚାର୍ଯ୍ୟବିହାର ଛକ, ଆପୋଲ ହସ୍‌ପିଟାଲ, ସୈନିକ ସ୍କୁଲ ଛକ ଦେଇ ୧୦ କି.ମି. ପଥ ଅତିକ୍ରମ କରି ଶେଷରେ ଆରମ୍ଭ ହୋଇଥିବା ଗାନ୍ଧୀ ଷ୍ଟାଡ଼ିୟମ ଠାରେ ଶେଷରେ ପହଞ୍ଚିବେ ।

ଦୌଡ଼ର ଜୁନିୟର ବିଭାଗରେ ସୈନିକ ସ୍କୁଲରୁ ବାହାରି ମଞ୍ଚେଶ୍ୱର ରାସ୍ତା, ଓମ୍‌ଫେଡ଼୍‌ ଛକ, ନାଲକୋ-କଳିଙ୍ଗ ହସ୍‌ପିଟାଲ ଛକ, ଗଜପତି ନଗର ରାସ୍ତା ଦେଇ ସୈନିକ ସ୍କୁଲ ଗାନ୍ଧୀ ଷ୍ଟାଡ଼ିୟମ ଠାରେ ପହଞ୍ôଚବେ । କମୋଡ଼ର ମହେଶ ରହଙ୍ଗଡାଲେ, ଭାରତୀୟ ନୌସେନା ସେବା, ଡେପୁଟି ଡାଇରେକଟର ଜେନେରାଲ, ଏନ୍‌ସିସି ଓଡ଼ିଶା, ସୈନିକ ସ୍କୁଲ ପ୍ରିନ୍ସିପାଲ କର୍ଣ୍ଣଲ ବାଲୁଭରତ, ସୈନିକ ସ୍କୁଲ ପୁରାତନ ଛାତ୍ର ସଂଘର ସଭାପତି ମଧୁସୂଦନ ପାଢ଼ୀ, ଦୌଡ଼ ପ୍ରତିଯୋଗୀତାର ସଂଯୋଜକ ଅମିତାଭ ସ୍ୱାଇଁ ପତକା ଦେଖାଇ ଦୌଡ଼ର ଶୁଭାରମ୍ଭ କରିବେ ।

ଦୌଡ଼ ପ୍ରତିଯୋଗୀତା ବିଭିନ୍ନ ବିଭାଗରେ ଅନୁଷ୍ଠିତ ହେବ ଯଥା ଷଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ, ନବମରୁ ଦ୍ୱାଦଶ, ବାଳିକା ବିଭାଗ, ପୁରାତନ ଛାତ୍ର ବିଭାଗରେ ଉଦ୍ଦିଷ୍ଟ ରହିବ । ପ୍ରତିଯୋଗୀତାର ଶେଷରେ ମୁଖ୍ୟ ଅତିଥି କମୋଡ଼ର ରହଙ୍ଗଡାଲେ ବିଜୟୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିବେ । ଏତଦ୍‌ ବ୍ୟତୀତ ସୈନିକସ୍କୁଲ ଭୁବନେଶ୍ୱରର ୫୩ତମ ବାର୍ଷିକ ବନ୍ଧୁ ମିଳନ ଡିସେମ୍ବର ୨୨ ତାରିଖରେ ସ୍କୁଲ ପ୍ରାଙ୍ଗଣରେ ଅନୁଷ୍ଠିତ ହେବ । ଏଥିରେ ଭାରତୀୟ ପ୍ରତିରକ୍ଷା ବାହିନୀ, ଭାରତୀୟ ପ୍ରଶାସନିକ ସେବା, ଡାକ୍ତର, ବହୁ ରାଷ୍ଟ୍ରୀୟ ପବ୍ଲିକ୍‌ ସେକ୍ଟର କମ୍ପାନୀ, ଭାରତ ଏବଂ ବିଦେଶର ବିଭିନ୍ନ ସଂସ୍ଥାରେ କାର୍ଯ୍ୟରତ ପୁରାତନ ଛାତ୍ର ସପରିବାରେ ବହୁ ସଂଖ୍ୟାରେ ଯୋଗଦାନ କରିବେ ।

ଉକ୍ତ ଉତ୍ସବରେ ସ୍କୁଲର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ବିଭିନ୍ନ କାର୍ଯ୍ୟସୂଚୀ ଗ୍ରହଣ ପାଇଁ ପୁରାତନ ଛାତ୍ରମାନେ ଆଲୋଚନା କରିବେ । ଏହି ବର୍ଷ ୧୯୯୯ରେ ସ୍କୁଲରୁ ଉତ୍ତୀର୍ଣ୍ଣ ହୋଇଥିବା ବ୍ୟାଚ୍‌ର ପୁରାତନ ଛାତ୍ର ନିଜର ରୌପ୍ୟ ଜୟନ୍ତୀ ପାଳନ କରିବେ । ଏହାଛଡ଼ା ୧୯୭୪ ବ୍ୟାଚର ପୁରାତନ ଛାତ୍ର ମଧ୍ୟ ନିଜ ବ୍ୟାଚର ସ୍ୱର୍ଣ୍ଣ ଜୟନ୍ତୀ ପାଳନ କରିବେ । ଇତ୍ୟବସରେ ଏକ ନିଃଶୁକ୍ଳ ସ୍ୱାସ୍ଥ୍ୟ ପରୀକ୍ଷଣ, ରକ୍ତଦାନ ଶିବିର, ବ୍ୟବସାୟିକ ଓ ସ୍ୱାସ୍ଥ୍ୟ ଜନିତ ଷ୍ଟଲ, ବର୍ତ୍ତମାନର କ୍ୟାଡ଼େଟ୍‌ ଓ ପୁରାତନଙ୍କ ମଧ୍ୟରେ ବାସ୍କେଟବଲ ପ୍ରତିଯୋଗୀତା ଏବଂ ମ୍ୟୁଜିକାଲ ନାଇଟ୍‌ର ମଧ୍ୟ ଆୟୋଜନ କରାଯାଇଛି । ଏଣୁ ପୁରାତନ ଛାତ୍ର ସଂଘର ସଭାପତି ଓ ସେକ୍ରେଟାରୀ ପୁରାତନ ଛାତ୍ରମାନଙ୍କୁ ବହୁ ସଂଖ୍ୟାରେ ସପରିବାରେ ଯୋଗଦାନ କରି ବନ୍ଧୁମିଳନ ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିବାକୁ ଅନୁରୋଧ କରିଛନ୍ତି ।