କଟକ,୧୨/୦୭: ଶ୍ରାବଣ ମାସ ଆରମ୍ଭ । ଏଇ ମାସରେ କାଉଡ଼ିଆ ଭକ୍ତମାନେ କାନ୍ଧରେ ପାଣି  ଭାର ନେଇ ଜଳଲାଗି କରିବାକୁ ଶୈବପୀଠକୁ ଯାଉଥିବା  ବେଳେ ଶୁକ୍ରବାର ଏକ ଭିନ୍ନ ଚିତ୍ର ସହରରେ ଦେଖିବାକୁ  ମିଳିଛି । ଭାରରେ ୭୦ ବର୍ଷୀୟ ଜେଜେମା’ ଭାବେନୀ ସ୍ୱାଇଁକୁ ନାତି ଅର୍ଜ୍ଜୁନ ସ୍ୱାଇଁ(୩୪) ଓ ନାତୁଣୀବୋହୂ  ମାମିନା ସ୍ୱାଇଁ(୨୮) କାନ୍ଧରେ ବୋହି ଗଡ଼ଗଡ଼ିଆ  ଘାଟରୁ ଶ୍ରୀଲୋକନାଥଙ୍କ ପୀଠକୁ ଯାତ୍ରା ଆରମ୍ଭ କରିଛନ୍ତି ।  ଏହାକୁ ଦେଖି ଲୋକେ ଦମ୍ପତିଙ୍କୁ ପ୍ରଶଂସା କରିଛନ୍ତି । 

ଅର୍ଜ୍ଜୁନଙ୍କ ଘର ପୁରୀ ଜିଲ୍ଲା ପିପିଲି ବ୍ଲକ୍‌ର ତେଇଶପୁର ଗ୍ରାମରେ । ଶୁକ୍ରବାର ସପରିବାର ଗଡ଼ଗଡ଼ିଆ ଘାଟରୁ ରୀତିନୀତି ଅନୁସାରେ ପାଣି ଉଠାଇ ଥିଲେ ।  ଦମ୍ପତିଙ୍କର ମାନସିକ ଥିଲା ପୁଅ ହେଲେ ଜେଜେମା’ଙ୍କୁ କାନ୍ଧରେ ବୋହି ଶ୍ରୀ ଲୋକନାଥଙ୍କ ପୀଠକୁ ଯିବୁ । ତାହା  ପୂର୍ଣ୍ଣ ହେବାରୁ ଅର୍ଜ୍ଜୁନ ଓ ପତ୍ନୀ ଭାର ସାହାଯ୍ୟରେ ଜେଜେ ମା’ଙ୍କୁ କାନ୍ଧେଇ କଟକ ଗଡ଼ଗଡ଼ିଆରୁ ପୁରୀ ଲୋକନାଥଙ୍କ ପୀଠକୁ ନେଇ ଯାଉଛନ୍ତି । 

ଏ ସଂପର୍କରେ  ଅର୍ଜ୍ଜୁନ କହନ୍ତି, ପ୍ରଥମେ ମୋର ଗୋଟେ ଝିଅ ହେଲା ।  ମୁଁ ପ୍ରଭୁ ଲୋକନାଥଙ୍କ ପାଖରେ ମାନସିକ କରିଥିଲି ।  ପ୍ରଭୁ ଆପଣଙ୍କ କୃପାରୁ ଯଦି ମୋ ଗୋଟେ ପୁଅ ହେବ ତେବେ ମୁଁ ଏବଂ ମୋ ପତ୍ନୀ ଭାରରେ ଚାଲିଚାଲି ମୋ ଜେଜେମା’ଙ୍କୁ ଗଡ଼ଗଡ଼ିଆରୁ ଲୋକନାଥ ଯାଏଁ ନେବୁ । ମାନସିକ ପୂରଣ ହେବା ପରେ ଜେଜେ ମା'ଙ୍କୁ  ନେଉଛୁ । ୧୫ ଦିନ ଭିତରେ ଜେଜେମା’ଙ୍କୁ ଲୋକନାଥଙ୍କ ପୀଠରେ ପହଞ୍ଚାଇବାର ଲକ୍ଷ୍ୟ ରଖିଛୁ । ମୋର ଏହି କାର୍ଯ୍ୟରେ ମୋ ବାପା-ମା’ଙ୍କର ଆଶୀର୍ବାଦ ରହିଛି । 

ସେହିପରି ମାମିନା କହିଛନ୍ତି ଯେ, ପୁଅଟିଏ ପାଇଁ ଆମେ ଦୁହେଁ ଠାକୁରଙ୍କୁ ଅନେକ ଗୁହାରି କରିଥିଲୁ । ମୋ ସ୍ୱାମୀ ମାନସିକ କରିଥିଲେ । ମାନସିକ କରିବାର ତିନି ବର୍ଷ ପରେ ଆମର  ଏକ ପୁତ୍ର ସନ୍ତାନ ହେଲା । ୮ ବର୍ଷ ପରେ  ଆମେ ସ୍ୱାମୀ-ସ୍ତ୍ରୀ ଜେଜେମା’ଙ୍କୁ ଭାରରେ ନେଉଛୁ। ଏଥିରେ ମୁଁ ବହୁତ୍‌ ଖୁସି ଅଛି ।  

ଜେଜେମା’ ଭାବେନୀ କହିଛନ୍ତି, କେଉଁ ଜନ୍ମରେ କେଉଁ ପୁଣ୍ୟ କରିଥିଲି ଯେ, ଏ ଜନ୍ମରେ ଶ୍ରବଣ କୁମାର ପରି ନାତି ଓ ନାତୁଣୀବୋହୂ ପାଇଛି । ମୋତେ କାନ୍ଧରେ ବୋହି ସେମାନେ ନିଜର  ମାନସିକ ପୂର୍ଣ୍ଣ କରୁଛନ୍ତି । ଭଗବାନଙ୍କ ପାଖରେ ଏତିକି  ପ୍ରାର୍ଥନା ଠାକୁର ସେମାନଙ୍କୁ ଘଣ୍ଟ ଘୋଡ଼େଇ ରଖିବା ସହିତ ସବୁ ଜନ୍ମରେ ମୋତେ ଏପରି ନାତି ଓ ନାତୁଣୀବୋହୂ ମିଳୁ ।