ପାଟଣାଗଡ,୧/୨(ଆପ୍ର): ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଲକ ବଥର୍ଲା ପଞ୍ଚାୟତ ବଞ୍ଜାରି ଗାଁରେ ଥିବା ଅଲେଖ ମହିମା ଆଶ୍ରମ ଠାରେ ରବିବାର ଗିରିରାଜ ଭୋଇଙ୍କ ନେତୃତ୍ବରେ ଜନମ ମାଏଟ ବଚାଓ ସଂଘର୍ଷ ସମିତି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବିସ୍ଥାପିତ ହେଉଥିବା ୨୦ ଖଣ୍ଡ ଗ୍ରାମର ଶତାଧିକ ଜନସାଧାରଣ ଯୋଗଦେଇଥିଲେ । ନିଲାମ ହୋଇଥିବ ସାଲେପାଲି ଗ୍ରାଫାଇଟ ମାଇନିଙ୍ଗ ବ୍ଳକ ଖଣି ଖନନକୁ ବୈଠକରେ ଜୋରଦାର ବିରୋଧ କରାଯାଇଥିଲା । ଏହି ଅଞ୍ଚଳରେ କୈାଣସି ପରିସ୍ଥିତିରେ ମଧ୍ୟ ଶରିରର ଶେଷ ରକ୍ତ ବିନ୍ଦୁ ଥିବା ପର୍ଯ୍ୟନ୍ତ ଲଢେ଼ଇ ଜାରି ରଖିବା ସହ ଏହି କମ୍ପାନୀକୁ ବିରୋଧ କରି ଖଣି ଖନନ କରି ଦେବୁନାହିଁ ବୋଲି ଆଜିର ବୈଠକରେ ଉପସ୍ଥିତ ଜନସାଧାରଣ ଶପଥ ନେଇଥିଲେ ।
ପ୍ରକାଶ ଯେ, ଏହି ବ୍ଳକ ଅନ୍ତର୍ଗତ ପ୍ରସ୍ତାବିତ ସାଲେପାଲି ଗ୍ରାଫାଇଟ ମାଇନିଙ୍ଗ ଖଣି ଖନନ ପାଇଁ କିଛି ମାସତଲେ ସୋସିଆଲ ମିଡିଆରେ ଏକ ଚିଠି ଭାଇରାଲ ହୋଇଥିଲା । ଏବେ କିନ୍ତୁ ତାମିଲନାଡୁ ରାଜ୍ୟର ଭିନାମିର ରିଶୋର୍ଷ ପ୍ରାଇଭେଟ ଲିମିଟେଡ ନାମକ କମ୍ପାନୀକୁ କେନ୍ଦ୍ର ସରକାର ନିଲାମ ଦେଇ ସାରିଛନ୍ତି । ଜନ ସାଧାରଣଙ୍କ ବିନା ସହମତି, ବିନା ଜନଶୁଣାଣୀ କିମ୍ବା ଗାଁ ଗାଁରେ ପଲ୍ଲୀ କିମ୍ବା ଗ୍ରାମସଭା ନକରି କେନ୍ଦ୍ର ସରକାର ଏହି କମ୍ପାନୀକୁ ନିଲାମକରି ଦେଇଦେବା କିପରି ସମ୍ଭବ ବୋଲି ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି । ଏଥିସହ ସରକାରଙ୍କ ଏକଛତ୍ରବାଦ ଶାସନ ଜନସାଧାରଣଙ୍କ ମନରେ ଭୟର ବାତାବରଣ ଆସଙ୍କା ଦେଖା ଦେଇଛି ବୋଲି ଶ୍ରୀ ଭୋଇ ତାଙ୍କ ବକ୍ତବ୍ୟରେ କହିଛନ୍ତି । ଏପରିକି ଅଞ୍ଚଲରେ ଖଣି ଖାଦାନ ହେଲେ ଜନ ସାଧାରଣଙ୍କୁ ଭିଟାମାଟି ଛାଡ଼ିବାକୁ ପଡିବ, ପୁର୍ବପୁରୁଷରୁ ରହି ଆସୁଥିବା ଗାଁ ଗାଁ ମଧ୍ୟରେ ଭାଇଚାରା, ସ୍ନେହ ଶ୍ରଦ୍ଧା କ୍ଷୁର୍ଣ୍ଣ ହେବ । ପରିବେଶ ଦୂଷିତ ହେବା ସହ ଜଳସ୍ତର ମଧ୍ୟ କମିଯିଵ । ଯାହା ଫଳରେ ଜନସାଧାରଣ ବିଭିନ୍ନ ରୋଗଯନ୍ତ୍ରଣା ଭୋଗିବେ ।
ଅପରପକ୍ଷେ ଜଙ୍ଗଲ ଧ୍ୱଂସ ହେଲେ ପରିବେଶ ଉପରେ ଏହାର ଘୋର ପ୍ରଭାବ ପଡିବ । ହିରାକୁଦ, ତିଖାଲି, ନିୟମଗିରି ଡେମ, ଗନ୍ଧମାର୍ଦନ ପର୍ବତ, କଲିଙ୍ଗନଗର ଓ ଯାଜପୁର ଘଟଣାର ପୁନରାବୃତ୍ତି କରିବାକୁ ଦିଆଯିବ ନାହିଁ ବୋଲି ଆଜିର ଖଣି ବିରୋଧୀ ସମାବେଶରେ ଉପସ୍ଥିତି ଜନସାଧାରଣ ଆଲୋଚନା କରିଥିଲେ । ପ୍ରତ୍ୟେକ ଗ୍ରାମରେ ସଚେତନ ସଭା କରିବା ସହ ଚଳିତ ମାସ ପ୍ରଥମ ସପ୍ତାହରେ ପାଟଣାଗଡରେ ଏକ ବିଶାଳ ଚେତାବନୀ ଶୋଭାଯାତ୍ରା କରି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟନ୍ତ୍ରୀଙ୍କୁ ଏକ ଦାବିପତ୍ର ଦିଆଯିବାର ସର୍ବସମ୍ମତିକ୍ରମେ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଏହି ବୈଠକରେ ଗିରିଜା ଭୋଇଙ୍କ ସମେତ ସନ୍ତୋଷ ପଧାନ, ସୁରେଶ ପୁଟେଲ, ରାଜେନ୍ଦ୍ର ବନଛୋର, ପ୍ରକାଶ ମାଝୀ ପ୍ରମୁଖ ଅଭିଭାଷଣ ଦେଇଥିବାବେଲେ ୨୦ ଖଣ୍ଡ ଗ୍ରାମର ଶତାଧିକ ଜନସାଧାରଣ ଉପସ୍ଥିତ ଥିଲେ ।