ନୂଆଦିଲ୍ଳୀ,୨।୫: ନିକଟରେ ଗିରଫ ହୋଇଛି ଦାଉଦ୍ ଇବ୍ରାହିମର ଘନିଷ୍ଠ ସଲିମ ଡୋଲା। ଏହାପରେ ପ୍ରତ୍ୟର୍ପଣ କରି ତାକୁ ତୁର୍କୀଗୁ ଭାରତ ଅଣାଯାଇଛି। ମୁମ୍ବାଇ ଡୋଙ୍ଗରିରେ ରହୁଥିବା ସଲିମ୍ ଇଣ୍ଟରପୋଲ୍ର ରେଡ୍ କର୍ଣ୍ଣର ନୋଟିସ୍ରେ ଗିରଫ ହୋଇଥିଲା। ୫୯ ବର୍ଷୀୟ ସଲିମ୍ ଡୋଲା, ଭାରତରେ ବହୁ ନାର୍କେଟିକ୍ସ ମାମଲାରେ ଓ୍ବାଣ୍ଟେଡ୍ ଥିଲା। ସେ ବହୁତ ସମୟ ଧରି ଫେରାର ମଧ୍ୟ ରହିଥିଲା। ବହୁ ବର୍ଷ ହେବ ଭାରତୀୟ ସୁରକ୍ଷା ଏଜେନ୍ସି, ଡୋଲା ବିଷୟରେ ଜାଣିବାରେ ଲାଗିଛି। ଏହି ମିସନ୍ରେ ଥିବା ଅଧିକାରୀଙ୍କ କହିବା ଅନୁସାରେ, ସଲିମ୍ ଡୋଲାକୁ ଖୋଜିବା ଖୁବ୍ କଷ୍ଟକର ଥିଲା। ସଲିମ୍ ଭାରତୀୟ ସୁରକ୍ଷା ଏଜେନ୍ସି ଭୟରେ ଇସ୍ତାନବୁଲ୍ ପଳାଇ ଯାଇଥିଲା। ଏହାପରେ ସେ ଅଣ୍ଡରଗ୍ରାଉଣ୍ଡ ହୋଇଯାଇଥିଲା। ଏହାପରେ ପ୍ରାୟ ଦେଢ ବର୍ଷ ପର୍ଯ୍ୟନ୍ତ ସେ ନିଜ ରୁମ୍ ବାହାରକୁ ବି ଆସିନଥିଲା। ଏହି ସମୟ ଭିତରେ ତା’ର ଗୋଟିଏ ଭୁଲ ହୋଇଥିଲା। ହୁଏତ ତାକୁ ଅନୁମାନ ନଥିଲା ତା’ର ଏହି ଭୁଲ ଯୋଗୁଁ ତାକୁ ଗିରଫ କରାଯାଇପାରେ।
ଡୋଲା ଏକ କୋରିଅର ଅର୍ଡର କରିଥିଲା, କିନ୍ତୁ ନିଜର ଠିକଣା ସେହିଠାର ଦେଇଥିଲା, ଯେଉଁଠି ସେ ଲୁଚି ରହିଥିଲା। ଏହି ଲେଣଦେଣ ଜରିଆରେ ଭାରତୀୟ ଏଜେନ୍ସିର ସାହାଯ୍ୟ କରିଥିଲା ଇଣ୍ଟରପୋଲ୍। ଏହାପରେ ଭାରତୀୟ ଅଧିକାରୀ ଇସ୍ତାନବୁଲ୍ ପୋଲିସକୁ ସୂଚନା ଦେଇଥିଲା, ସେମାନେ ସେଠାରେ ଚଢାଉ କରିଥିଲେ। ତାକୁ ଗିରଫ କରି ମଙ୍ଗଳବାର ତୁର୍କୀରୁ ଦିଲ୍ଳୀ ଅଣା ଯାଇଥିଲା। ସଲିମ ଡୋଲା ରୁମ୍ର ତଲାସୀ ବେଳେ ଦୁଇ ଭାରତୀୟ ପାସପୋର୍ଟ ଏକ ବୁଲଗେରିଆ ପାସପୋର୍ଟ ଜବତ କରାଯାଇଥିଲା। ସେ ବୁଲଗେରିଆ ପାସପୋର୍ଟ ଅନୁସାରେ, ‘ହମଜା’ ନାମକୁ ତୁର୍କୀରେ ବ୍ୟବହାର କରୁଥିଲା। ଏହା ଜାଣିବାକୁ ଚେଷ୍ଟା ଚାଲିଛି ତା’ର ବୁଲଗେରିଆରେ ବୈଧ ପାସପୋର୍ଟ ଥିଲା ନା ନକଲି ?
ଉଲ୍ଲେଖନୀୟ ଯେ, ଗୁରୁବାର ମୁମ୍ବାଇର ଏକ ସ୍ଥାନୀୟ କୋର୍ଟ ଡୋଲାକୁ ୮ ମଇ ପର୍ଯ୍ୟନ୍ତ ନାର୍କୋଟିକ୍ସ କନଟ୍ରୋଲ ବ୍ୟୁରୋର କଷ୍ଟଡିରେ ପଠାଇତିଲା। ତଦନ୍ତକାରୀ ଏଜେନ୍ସି ମୁମ୍ବାଇ କୋର୍ଟଙ୍କୁ କହିଛନ୍ତି, ଡୋଲାର ନାଁ ଅନ୍ତର୍ଜାତୀୟ ଡ୍ରଗ୍ସ ତସ୍କର ରୂପରେ ସାମନାକୁ ଆସିଛି, ଯିଏକି ଦାଉଦ୍ ଇବ୍ରାହିମ୍ର ସମ୍ପର୍କରେ ଥିଲା। ତାକୁ ଜୁନ୍ ୨୦୨୩ ରେ ଦକ୍ଷିଣ ମୁମ୍ବାଇରୁ ଜବତ କରାଯାଇଥିବା ମେଫ୍ରୋଡ୍ରନ୍ସର ମେନ୍ ସପ୍ଲାଇ କରୁଥିବା ବ୍ୟକ୍ତି ଭାବରେ ଚିହ୍ନଟ କରାଯାଇଥିଲା।