ମୁମ୍ବାଇ,୫।୧୧: ବଲିଉଡ ଅଭିନେତା ସଲମାନ ଖାନ୍ଙ୍କୁ ପୁଣି ଧମକ। କୁହାଯାଉଛି ଯେ, ଏଥର ଗ୍ୟାଙ୍ଗଷ୍ଟ ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ ପକ୍ଷରୁ ଧମକ ଦିଆଯାଇଛି। ତେବେ ପୋଲିସ ଏହାକୁ ନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ। ଗତ ସପ୍ତାହରେ ମଧ୍ୟ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ନେତା ଜିଶାନ ସିଦ୍ଧକି ଓ ସଲମାନଙ୍କୁ ଧମକ ମିଳିଥିଲା, ଯେଉଁଥିରେ ଅଭିନେତାଙ୍କଠାରୁ ୨ କୋଟି ଟଙ୍କା ଦାବି କରାଯାଇଥିଲା।
ରିପୋର୍ଟ ଅନୁସାରେ, ମୁମ୍ବାଇ ଟ୍ରାଫିକ୍ କନଟ୍ରୋଲ ରୁମ୍କୁ ଧମକପୂର୍ଣ୍ଣ ମେସେଜ୍ ଆସିଥିଲା। ଏଥିରେ କୁହାଯାଇଥିଲା ଏହା ଲରେନ୍ସର ଭାଇ ପକ୍ଷରୁ ପଠାଯାଇଥିବା ମେସେଜ୍ ଜରିଆରେ ୫ କୋଟି ଟଙ୍କା ମଗା ଯାଇଛି। ଲରେନ୍ସ ବର୍ତ୍ତମାନ ଗୁଜରାଟର ସାବରମତି ଜେଲ୍ରେ ଅଛି। ସେଭଳି ଏନ୍ଆଇଏ ତା’ର ଭାଇ ଅନମୋଲ ବିରୋଧରେ ପୁରସ୍କାର ଘୋଷଣା କରିଛି।
ଖବର ଅନୁସାରେ, ଟ୍ରାଫିକକୁ ମିଳିଥିବା ଧମକପୂର୍ଣ୍ଣ ମେସେଜ୍ ସଲମାନଙ୍କଠାରୁ ଟଙ୍କା ମଗାଯିବା ସହ ମନ୍ଦିର ଯାଇ କ୍ଷମା ମାଗିବା ପାଇଁ କୁହାଯାଇଛି। ଏପରିକି କୁହାଯାଉଛି ଯେ, ଲରେନ୍ସ ଗ୍ୟାଙ୍ଗ କୃଷ୍ଣସାର ମୃଗ ଶିକାର ମାମଲାରେ ଅଭିନେତାଙ୍କୁ ଟାର୍ଗେଟ କରିଛନ୍ତି।ମେସେଜ୍ରେ କୁହାଯାଇଛି, ଯଦି ସଲମାନ ଖାନ୍ ବଞ୍ଚିବାକୁ ଚାହାନ୍ତି, ତେବେ ତାଙ୍କୁ ଆମର (ବିଷ୍ଣୋଇ ସମ୍ପ୍ରଦାୟ)ର ମନ୍ଦିର ଯିବାକୁ ହେବ ଓ କ୍ଷମା ମାଗିବାକୁ ହେବ। ନଚେତ ତାଙ୍କୁ ୫ କୋଟି ଟଙ୍କା ଦେବାକୁ ହେବ। ଯଦି ଏଭଳି ନହୁଏ ତେବେ ଆମେ ତାଙ୍କୁ ଜୀବନରେ ମାରିଦେବୁ। ଆମର ଗ୍ୟାଙ୍ଗ ସକ୍ରିୟ ରହିଛି।’ ବର୍ତ୍ତମାନ ପୋଲିସ ମେସେଜ୍ର ଯାଞ୍ଚ କରୁଛି।