ମୁମ୍ବାଇ ୨୯/୧୨: ବଲିଉଡ୍‌ ଅଭିନେତା ସଲମାନ୍‌ ଖାନ୍‌ଙ୍କର ବହୁପ୍ରତୀକ୍ଷିତ ଫିଲ୍ମ ‘ସିକନ୍ଦର’ର ଟିଜର ଜାରି ହୋଇଛି । ସେଥିରେ ଆକ୍ସନ୍‌ ଅବତାରରେ ନଜର ଆସିଛନ୍ତି ସେ । ୧ ମିନିଟ୍‌ ୪୧ ସେକେଣ୍ଡ ଅବଧିର ଏହି ଭିଡିଓରେ ଭାଇଜାନ୍‌ ବନ୍ଧୁକ ଭର୍ତ୍ତି ଏକ କୋଠରୀରେ ବୁଲୁଥିବା ଦେଖିବାକୁ ମିଳୁଛି । ସେଠାରେ ୪ ଜଣ ଗୁଣ୍ଡା ମଧ୍ୟ ଉପସ୍ଥିତ ଅଛନ୍ତି । ସେମାନେ ମାସ୍କ ପିନ୍ଧିଥିବାବେଳେ ହାତରେ ବନ୍ଧୁକ ଧରି ଠିଆ ହୋଇଛନ୍ତି । ଭିଡିଓରେ ସଲମାନ୍‌ଙ୍କର ଏକ ଡାଇଲଗ୍‌ ମଧ୍ୟ ଶୁଣିବାକୁ ମିଳୁଛି । ସେ କହୁଛନ୍ତି, ଶୁଣିବାକୁ ମିଳୁଛି ବହୁତ ଲୋକ ମୋ’ ପଛରେ ପଡି଼ଛନ୍ତି । କେବଳ ମୁଁ ପଛକୁ ବୁଲିବାକୁ ବାକି ଅଛି । ଏହା କହିବା ପରେ ସେ ଜଣେ ଗୁଣ୍ଡାଙ୍କୁ ମାଡ଼ ମାରୁଥିବା ଦେଖିବାକୁ ମିଳୁଛି । 

ବ୍ୟାକ୍‌ଗ୍ରାଉଣ୍ଡରେ ‘ହର ଦିଲ୍‌ କା ୱୋ ଏକ ଦିଲାୱର, ଜାନେ ଜିଗର ୱୋ ହୈ ସିକନ୍ଦର, ଅଲଗ ଅନ୍ଦାଜ ମେଁ ଫିରତା ହେ ବଞ୍ଜର ବଞ୍ଜର, ୱୋ ହୈ ଡନ୍‌ ସିକନ୍ଦର’ ଗୀତ ବାଜୁଛି । ଟିଜର ରିଲିଜ୍‌ ହେବାର ଘଣ୍ଟାଏ ମଧ୍ୟରେ ୟୁଟ୍ୟୁବ୍‌ରେ ତାକୁ ୧୪ ଲକ୍ଷ ୨୦ ହଜାରରୁ ଅଧିକ ୟୁଜର ଦେଖିଛନ୍ତି । ସେହିପରି ୨ ଲକ୍ଷ ୬୦ ହଜାର ଲାଇକ୍‌ ମିଳିଛି । ଏଆର ମୁରୁଗାଦାସଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସଲମାନ୍‌ଙ୍କ ସହିତ ରଶ୍ମିକା ମନ୍ଦାନାଙ୍କୁ ଦେଖିବାକୁ ମିଳିବ । ସଲମାନ୍‌ଙ୍କ ସହ ରଶ୍ମିକାଙ୍କର ଏହା ପ୍ରଥମ ଫିଲ୍ମ । ବାହୁବଳୀ ଫେମ୍‌ ଅଭିନେତା ସତ୍ୟରାଜ ଏଥିରେ ଖଳନାୟକ ଭୂମିକାରେ ଅଛନ୍ତି । ସେହିପରି ସୁନୀଲ ସେଟ୍ଟୀ, କାଜଲ ଅଗ୍ରୱାଲ, ଶରମନ ଯୋଶୀ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି । ‘ସିକନ୍ଦର’ ଆସନ୍ତାବର୍ଷ ଇଦ୍‌ରେ ରିଲିଜ୍‌ ହେବାର ଅଛି ।