ନୂଆଦିଲ୍ଲୀ, ୧୭/୧୧ : ଫ୍ୟାକ୍ଟ୍ରିରେ ତିଆରି ହେବେ ନିରୋଗୀ ପିଲା। ବାପା-ମାଙ୍କ ଠାରୁ ଆଣିବେନି ଆନୁବଂଶିକ ରୋଗ। ଭବିଷ୍ୟତରେ ଜନ୍ମ ନେବେ ଜେନେ-ଏଡିଟେଡ୍ ଶିଶୁ। ସିଲିକନ୍ ଭ୍ୟାଲିରେ ଚାଲିଛି ଗୁପ୍ତ ପ୍ରୋଜେକ୍ଟ। ପାଣି ଭଳି ଟଙ୍କା ଖର୍ଚ୍ଚ କରୁଛନ୍ତି ଓପନ ଏଆଇ ସିଇଓ ସାମ୍ ଅଲ୍ଟମ୍ୟାନ୍ ଏବଂ ଓଲିବର ମୁଲହେରିନ। ଏହି ଷ୍ଟାର୍ଟଅପ୍ ପାଇଁ କୋଟି କୋଟି ଟଙ୍କା ନିବେଶ କରୁଛନ୍ତି ବହୁ ଅରବପତି। କଥାଟି ଅଦ୍ଭୁତ ଲାଗୁଥିଲେ ମଧ୍ୟ ସତ।
ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲର ରିପୋର୍ଟ ଅନୁସାରେ, ସାମ୍ ଅଲ୍ଟମ୍ୟାନ୍, ତାଙ୍କ ପତ୍ନୀ ଓଲୋବର ମୁଲହେରିନ ଏବଂ କଏନବେସ୍ ର ସିଇଓ ବ୍ରାୟନ ଆର୍ମଷ୍ଟ୍ରଙ୍ଗ ଏକ ବାୟୋଟେକ୍ ଷ୍ଟାର୍ଟଅପ୍ ପ୍ରିଭେଣ୍ଟିଭ୍ କୁ ଫଣ୍ଡିଂ କରୁଛନ୍ତି। ଏହି ଷ୍ଟାର୍ଟଅପର ମିଶନ ହେଉଛି ଏଭଳି ଟେକନିକ୍ ବିକାଶ କରିବା ଯାହା ସାହାଯ୍ୟରେ ବୈଜ୍ଞାନିକମାନେ ମନୁଷ୍ୟ ଏମ୍ବ୍ରିଓର ଜେନେଟିକ୍ ବ୍ଲୁପ୍ରିଣ୍ଟ ବଦଳାଇ ପାରିବେ। ଏହାର ଅର୍ଥ ଶିଶୁ ଜନ୍ମ ହେବା ପୂର୍ବରୁ ଆନୁବଂଶିକ ରୋଗରୁ ମୁକ୍ତ ହୋଇପାରିବ। ବୈଜ୍ଞାନିକଙ୍କ ଅନୁଯାୟୀ, ଏହି ପ୍ରଗତି ହଜାର ହଜାର ପରିବାର ପାଇଁ ଆଶାର କିରଣ ପାଲଟିବ। ତେବେ ବହୁ ଦେଶ ଏହାକୁ ବିରୋଧ କରୁଛନ୍ତି। ଏହା ଅନୈତିକ, ଅବୈଧ ଓ ବିପଦପୂର୍ଣ୍ଣ ବୋଲି କହୁଛନ୍ତି।
ଜେନେ-ଏଡିଟେଡ୍ ଶିଶୁ କଣ ?
ପ୍ରତି ଶିଶୁର ଶରୀରରେ ମାତା-ପିତାଙ୍କ ଡିଏନଏ ଥାଏ। ଜନ୍ମ ହେବା ସମୟରେ ତାଙ୍କ ଶରୀରରେ କିଛି ଆନୁବଂଶିକ ରୋଗ ବି ରହିଥାଏ। ଯାହାକି ପରବର୍ତ୍ତୀ ସମୟରେ ଭଲ କରିହୁଏ ନାହିଁ। ଜେନେ-ଏଡିଟିଂର ଲକ୍ଷ୍ୟ ଏମ୍ବ୍ରିଓର ଡିଏନଏରେ ଥିବା ଖରାପ ଅଂଶକୁ ଠିକ୍ କରିବା। ଏହାଦ୍ଵାରା ଶିଶୁଟି ଜେନେଟିକ୍ ରୋଗରୁ ମୁକ୍ତ ହୋଇପାରିବ। ଏଥିପାଇଁ CRISPR ଭଳି ଆଧୁନିକ ଟେକନିକ୍ ଉପଯୋଗ କରାଯାଉଛି। ଏହି ପ୍ରକ୍ରିୟା ଖୁବ୍ ଲାଭଦାୟକ ହେବ ବୋଲି ଅନୁମାନ କରାଯାଉଛି। ହେଲେ ଏହାର ବାସ୍ତବିକ ବ୍ୟବହାର ଜଟିଳ ରହିଛି। ଏଥିରେ ସାମାନ୍ୟ ତ୍ରୁଟି ହେଲେ ପରବର୍ତ୍ତୀ ପୀଢି ପାଇଁ ହାନିକାରକ ହେବାର ସମ୍ଭାବନା ରହିଛି।
ଏହି ଟେକନିକ୍ ସମାଜରେ ଅସମାନତା ଆଣିପାରେ ବୋଲି ବିଶେଷଜ୍ଞମାନେ ଆଲୋଚନା କରୁଛନ୍ତି। କାରଣ ଧନୀ ଲୋକମାନେ ଟଙ୍କା ଖର୍ଚ୍ଚ କରି ଜେନେ-ଏଡିଟେଡ୍ ଶିଶୁ କରିପାରିବେ। ଗରିବ ଲୋକଟିଏ ଏହି ଖର୍ଚ୍ଚ ଉଠାଇବା ପାଇଁ ଅକ୍ଷମ ହେବ। ଏହାଦ୍ଵାରା ଜୈବିକ ରୂପରେ ମଣିଷ ଦୁଇ ଭାଗରେ ବାଣ୍ଟି ହୋଇଯିବେ। ଏହାଦ୍ଵାରା ମାତା-ପିତାମାନେ ରଙ୍ଗ-ରୂପ, ଗେଡ଼ା, ଡେଙ୍ଗା ବୁଦ୍ଧିମତା ବି ବାଛିବାକୁ ଲାଗିବେ। ଯାହାକୁ ଡିଜାଇନର୍ ବେବି ବି କହିପାରିବା। ଥରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଗଲେ ଏହାକୁ ରୋକିବା ଅସମ୍ଭବ ହୋଇପଡ଼ିବ। ୨୦୧୮ରେ ଚୀନରେ ପ୍ରଥମ ଜେନେ-ଏଡିଟେଡ୍ ବେବି ସାରା ଦୁନିଆକୁ ଆଶ୍ଚର୍ଯ୍ୟ କରି ଦେଇଥିଲା। ଏହାପରେ ବୈଜ୍ଞାନିକ ସଙ୍ଗଠନ ଏହି ଟେକନିକ୍ ଉପରେ ପ୍ରତିବନ୍ଧକ ଲଗାଇଥିଲେ।