ନୂଆଦିଲ୍ଲୀ,୦୭/୧୨: କଂଗ୍ରେସ ପାର୍ଟିର ବରିଷ୍ଠ ନେତା ସାମ୍ ପିଟ୍ରୋଡ଼ାଙ୍କ ସର୍ଭର ହ୍ୟାକ୍ । ତାଙ୍କର ଲ୍ୟାପଟପ୍ ଓ ଫୋନ ହ୍ୟାକ କରିଛନ୍ତି ହ୍ୟାକର । ଏନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ନିଜେ ସାମ୍ ପିଟ୍ରୋଡ଼ା ।ହ୍ୟାକର୍ କ୍ରିପ୍ଟୋକରେନ୍ସିରେ ଟଙ୍କା ମାଗିଥିବା ସେ କହିଛନ୍ତି ।
ସୂଚନା ମୁତାବକ, ଇଣ୍ଡିଆନ ଓବରସିଜ କଂଗ୍ରେସ ଅଧକ୍ଷ ସାମ୍ ପିଟ୍ରୋଡ଼ା ନ୍ୟୁଜ ଏଜେନ୍ସି ଏଏନଆଇକୁ ଇମେଲ କରି କହିଛନ୍ତି ଯେ, " ମୁଁ ଏକ ଗୁରୁତ୍ୱ ପୂର୍ଣ୍ଣ ପ୍ରସଙ୍ଗରେ ଆପଣଙ୍କୁ କହିବାକୁ ଚାହୁଁଛି। ମୋର ଲାପଟପ୍, ସ୍ମାର୍ଟଫୋନ୍ ଏବଂ ସର୍ଭର ହ୍ୟାକ୍ ହୋଇଛି । ମୁଁ ଗତ କିଛି ସପ୍ତାହ ଧରି ଏହି ସମସ୍ୟା ସହ ସଂଘର୍ଷ କରିଆସୁଛି । ହ୍ୟାକରମାନେ ମୋତେ ଧମକ ଦେଇଛନ୍ତି ଯେ ଯଦି ମୁଁ ସେମାନଙ୍କୁ କ୍ରିପ୍ଟୋକରେନ୍ସିରେ ଅଧିକ ଟଙ୍କା ନଦେବି, ତେବେ ସେମାନେ ମତେ ବଦନାମ କରିଦେବେ । ସେ ଆହୁରି କହିଛନ୍ତି ଯେ, ହ୍ୟାକର ଧମକ ଦେଇ କୋଟି କୋଟି ଟଙ୍କା ଦାବି କରୁଛନ୍ତି । ସେମାନେ କହିଛନ୍ତି ଯେ ଯଦି ମୁଁ ସେମାନଙ୍କୁ ଟଙ୍କା ନ ଦିଏ ତେବେ ସେମାନେ ମୋ ବିରୁଦ୍ଧରେ ମିଥ୍ୟା ଖବର ପ୍ରଚାର କରିବେ । ଆଉ ମତେ ବଦନାମ କରିବାକୁ ପଛାଇବେନି ।''
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ଆପଣଙ୍କୁ ମୋ ସହ ଜଡିତ କୌଣସି ଇମେଲ୍ କିମ୍ବା ବାର୍ତ୍ତା ଆସେ । ତେବେ ତାହା ଉପରେ କ୍ଲିକ୍ କର ନାହିଁ । ଏହା ହ୍ୟାକରମାନଙ୍କର ଏକ କୌଶଳ ହୋଇପାରେ । କୌଣସି ଲିଙ୍କରେ କ୍ଲିକ୍ କରି କିଛି ଡାଉନଲୋଡ୍ କରିବାକୁ ଚେଷ୍ଟା କରନ୍ତୁ ନାହିଁ ।ଏହି ଲିଙ୍କରେ ଏକ ଭାଇରସ୍ ରହିପାରେ। ଏହି କାରଣରୁ ଆପଣଙ୍କର ଡିଭାଇସ୍ ମଧ୍ୟ ହ୍ୟାକ୍ ହୋଇପାରେ । ପିଟ୍ରୋଡା କହିଛନ୍ତି ଯେ, ସେ ଏବେ ଆମେରିକାରୁ ବାହାରେ ଅଛନ୍ତି । କିନ୍ତୁ ସିକାଗୋ ଫେରିବା ପରେ ସେ ଏହା ବିରୋଧରେ ଆକ୍ସନ ନେବେ ।