ସମ୍ବଲପୁର,୧୯/୦୬: ମା’ ସମଲେଶ୍ୱରୀଙ୍କ ଭୋଗ ପାଇଁ ଶ୍ରଦ୍ଧାଳୁଙ୍କୁ  ସକାଳୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ  ପଡ଼ିବ ନାହିଁ । ଏଣିକି ଅନ୍‌ଲାଇନ୍‌ରେ ଏହି  ସୁବିଧା ଉପଲବ୍ଧ ହେବ । ଏଥିପାଇଁ ମନ୍ଦିର  ଟ୍ରଷ୍ଟ୍‌ ବୋର୍ଡ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।  ଏକ ଘରୋଇ ବ୍ୟାଙ୍କ ସହାୟତାରେ  ଅନ୍ନପ୍ରସାଦ ବୁକିଂ ପାଇଁ ଆପ୍‌ ପ୍ରସ୍ତୁତ  କରାଯାଇଛି । ଆସନ୍ତା ୧୦ରୁ ୧୫ ଦିନ  ମଧ୍ୟରେ ଏହା କାର୍ଯ୍ୟକାରୀ ହେବ ବୋଲି ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ୍‌ ବୋର୍ଡ ସଭାପତି  ସଞ୍ଜୟ ବାବୁ ସୂଚନା ଦେଇଛନ୍ତି । 

ଶ୍ରୀ ବାବୁ କହିଛନ୍ତି, ଦୈନିକ ମନ୍ଦିରରେ ଶହେ ଟଙ୍କାରେ  ଶ୍ରଦ୍ଧାଳୁଙ୍କୁ ଅନ୍ନପ୍ରସାଦ ମିଳିଥାଏ । ଏଥିଲାଗି ସକାଳେ ମନ୍ଦିର  ଆସି ଟଙ୍କା ପଇଠ କରିବାକୁ ପଡ଼େ । ଶ୍ରଦ୍ଧାଳୁଙ୍କ ଅନୁପାତରେ  ଅନ୍ନପ୍ରସାଦ ଭୋଗ ରୋଷେଇ ହୋଇଥାଏ । ହେଲେ ଅଗ୍ରୀମ  ଦେଇ ନ ଥିବା ଭକ୍ତ ଓ ପର୍ଯ୍ୟଟକ ଅଗ୍ରୀମ ଟଙ୍କା ପଇଠ  କରି ନ ଥିବାରୁ ଭୋଗରୁ ବଞ୍ଚିତ ହୋଇଥାନ୍ତି । ନିୟମିତ ଏଭଳି ଅଭିଯୋଗ ଆସିବା ପରେ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଆପ୍‌ ‘ଫେତ୍‌ ୩୬୦ ଡିଗ୍ରୀ’ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି  ହୋଇଛି । ଏଥିରେ ବୁକିଂ କଲେ ଭୋଗ ଗ୍ରହଣ ସମୟ  ଧାର୍ଯ୍ୟ ହୋଇଯିବ । ଶ୍ରଦ୍ଧାଳୁ ନିର୍ଦ୍ଧରିତ ସମୟରେ ଆସି ଭୋଗ  ନେଇପାରିବେ । ଆଗକୁ ଆଳତି ଦର୍ଶନ, ସ୍ୱତନ୍ତ୍ର ଦର୍ଶନ, ଭକ୍ତ  ନିବାସ ଓ କଲ୍ୟାଣ ମଣ୍ଡପ ବୁକିଂ ମଧ୍ୟ ଏହି ଆପ୍‌ରେ କରାଯିବ ।  

ଏହାଦ୍ୱାରା ବାହାରୁ ଆସୁଥିବା ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଉପକୃତ  ହେବେ । ପରବର୍ତ୍ତୀ ସମୟରେ ଆଉ ଗୋଟିଏ ବ୍ୟାଙ୍କ ସହ  ମଧ୍ୟ ବୁକିଂ ପାଇଁ ଚୁକ୍ତି ହେବା ଯୋଜନା ରହିଛି । ସମଲେଇ ପ୍ରକଳ୍ପରେ ସମଲେଶ୍ୱରୀ ମନ୍ଦିର  ଉନ୍ନତୀକରଣର ପ୍ରଥମ ପର୍ଯ୍ୟାୟ କାମ ଶେଷ ହୋଇଛି ।  ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ଭକ୍ତ ନିବାସ  ଓ କଲ୍ୟାଣ ମଣ୍ଡପ କାମ ଅଧାରେ ଅଟକିଥିଲା ।  ଏହାକୁ ଦ୍ୱିତୀୟ ପର୍ଯ୍ୟାୟରେ ନିର୍ମାଣ କରାଯିବ ।