ସମ୍ବଲପୁର,୩୦/୦୧: ସମ୍ବଲପୁର ଧନୁପାଲି  ଛକ ନିକଟ ନେତାଜୀ ନଗର ‘ସମର୍ଥ’ ଅନୁଷ୍ଠାନରେ  ଅନ୍ତେବାସୀଙ୍କୁ ନିର୍ଯାତନା ଘଟଣାରେ ଯୋଡ଼ି ହେଲା  ଆଉ ଏକ ସାଂଘାତିକ ଅଭିଯୋଗ । ସମ୍ପାଦକ ହରିଶଚନ୍ଦ୍ର  ଦାସଙ୍କ ବିରୋଧରେ ଜଣେ ଅନ୍ତେବାସିନୀ ବଳାତ୍କାର  ଓ ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି । ଏନେଇ  ବୁଧବାର ଧନୁପାଲି ଥାନାରେ ଏତଲା ହୋଇଛି ।  ପୀଡ଼ିତାଙ୍କ ଡାକ୍ତରୀମାଇନା କରାଯାଇଛି । ସାଇଣ୍ଟିଫିକ୍‌  ଟିମ୍‌ ଘଟଣାସ୍ଥଳରେ ଛାନଭିନ୍‌ କରିଛି । 

ଅପରପକ୍ଷେ ଅନ୍ତେବାସୀ ନିର୍ଯାତନା ଘଟଣାରେ  ଗିରଫଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ହରିଶର ପୁଅ ଶୁଭ୍ରଜିତ ଦାସ ଓ କେୟାରଟେକର ଶୁଭମ ବେହେରାକୁ  ପୁଲିସ୍‌ ବାନ୍ଧିଛି । ଏହି ୨ ଜଣ ଅନ୍ତେବାସୀଙ୍କୁ ଅମାନୁଷିକ  ଭାବେ ମାଡ଼ ମାରୁଥିବା ଅଭିଯୋଗ ହୋଇଥିଲା ।  ଅନ୍ତେବାସୀଙ୍କ ବୟାନ ଆଧାରରେ ସମ୍ପୃକ୍ତ ଦୁଇ ଜଣଙ୍କୁ  ଗିରଫ କରାଯାଇଥିବା ପୁଲିସ୍‌ କହିଛି । ଗତ ମଙ୍ଗଳବାର  ସମ୍ପାଦକ ହରିଶ ଦାସ ଓ ସହାୟିକା ସ୍ୱାଗତିକା ପ୍ରଧାନକୁ  ଗିରଫ କରାଯାଇଥିଲା । ସେପଟେ ଗତ ବର୍ଷକ ମଧ୍ୟରେ  ପ୍ରାଣ ହରାଇଥିବା ୬ ଜଣଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ  କରିବାକୁ ଖୋଳତାଡ଼ ଆରମ୍ଭ ହୋଇଛି ।  

ବୁଧବାର ସକାଳେ ପୁଲିସ୍‌, ସାଇଣ୍ଟିଫିକ୍‌  ଟିମ୍‌ ଏବଂ ଜିଲ୍ଲା ପ୍ରାଶାସନର ତଦନ୍ତକାରୀ ଟିମ୍‌  ଘଟଣାସ୍ଥଳରେ ପହଞ୍ଚିଥିଲେ । କିଭଳି ଅତ୍ୟାଚାର ହେଉଥିଲା ତଦନ୍ତକାରୀଙ୍କୁ ସମସ୍ତ ଲୋମଟାଙ୍କୁରା  କାହାଣୀ ବଖାଣିଥିଲେ ଅନ୍ତେବାସୀ । ଖାଇବାକୁ ନ  ଦେଇ ବାଡ଼ି ଓ ଲାଠିରେ ନିର୍ଘାତ ପ୍ରହାର ହେଉଥିଲା ।  ସାମାନ୍ୟ ଅଭିଯୋଗ କଲେ ସମସ୍ତେ ମିଶି ଅକଥନୀୟ  ନିର୍ଯାତନା ଦେଉଥିଲେ ବୋଲି ଖୋଲାଖୋଲି କହିଥିଲେ ଅନ୍ତେବାସୀ । ଏ ନେଇ ତଦନ୍ତ କରୁଥିବା ସମ୍ବଲପୁର  ଉପଜିଲ୍ଲାପାଳ ପୁଷ୍ପାଞ୍ଜଳି ପଣ୍ଡା କହିଛନ୍ତି, ତଦନ୍ତ  ରିପୋର୍ଟ ଜିଲ୍ଲାପାଳଙ୍କୁ ଦିଆଯାଇଛି। ସଂସ୍ଥାକୁ ବ୍ଲାକଲିଷ୍ଟ୍‌  କରାଯିବା ପାଇଁ ସୁପାରିସ୍‌ ହୋଇଛି । ଜିଲ୍ଲା ସାମାଜିକ  ସୁରକ୍ଷା ଅଧିକାରୀ ଥବୀର ମହାନନ୍ଦ କହିଛନ୍ତି,  ଶନିବାର ସମସ୍ତ ଅନ୍ତେବାସୀଙ୍କୁ ବୈଜାମୁଣ୍ଡାକୁ ସ୍ଥାନାନ୍ତର  କରାଯିବ । ପିପୁଲ୍‌ସ ଫୋରମ୍‌ ନାମକ ଏନ୍‌ଜିଓକୁ ଏହି  ଦାୟିତ୍ୱ ଦିଆଯାଇଛି।