ସମ୍ଭଲ: ଉତ୍ତର ପ୍ରଦେଶର ସମ୍ଭଲ ଜିଲ୍ଲାରେ ୨୦୨୪ ମସିହା ନଭେମ୍ବର ୨୪ ତାରିଖରେ ଶାହୀ ଜାମା ମସଜିଦରେ ଆର୍କିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ (ASI) ଦ୍ୱାରା କୋର୍ଟ ନିର୍ଦ୍ଦେଶିତ ସର୍ଭେ ସମୟରେ ହିଂସାତ୍ମକ ଦଙ୍ଗା ହୋଇଥିଲା। ଏହି ଘଟଣାରେ ୫ ଜଣଙ୍କର ମୃତ୍ୟୁ ହେବା ସହ ଶତାଧିକ ଆହତ ହୋଇଥିଲେ। ତେବେ ଏହି ହିଂସାର ତଦନ୍ତ ପାଇଁ ଗଠିତ ହୋଇଥିବା ତିନି ସଦସ୍ୟ ବିଶିଷ୍ଟ ନ୍ୟାୟିକ ଆୟୋଗ, ଅବସରପ୍ରାପ୍ତ ବିଚାରପତି ଦେବେନ୍ଦ୍ର କୁମାର ଅରୋରାଙ୍କ ନେତୃତ୍ୱରେ, ୪୫୦ ପୃଷ୍ଠାର ରିପୋର୍ଟ ପ୍ରସ୍ତୁତ କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଦାନ କରିଛି।

ରିପୋର୍ଟରେ ମୁଖ୍ୟ ତଥ୍ୟ:

ଜନସଂଖ୍ୟା ପରିବର୍ତ୍ତନ: ସ୍ୱାଧୀନତା ସମୟରେ ସମ୍ବଲ ନଗର ପାଳିକା ଅଞ୍ଚଳରେ ହୋଇଥିବା ସର୍ଭେରୁ ଜନସଂଖ୍ୟାର ୫୫% ମୁସଲମାନ ଓ ୪୫% ହିନ୍ଦୁ ରହିଥିଲେ। ତେବେ ବର୍ତ୍ତମାନ ଉକ୍ତ ଅଞ୍ଚଳରେ ହିନ୍ଦୁ ଜନସଂଖ୍ୟା ୧୫-୨୦%କୁ ହ୍ରାସ ପାଇଛି, ମୁସଲମାନ ଜନସଂଖ୍ୟା ବୃଦ୍ଧି ଘଟି ୮୫% ହୋଇଛି। ଏହା ସାମ୍ପ୍ରଦାୟିକ ହିଂସା ଓ ରାଜନୈତିକ ପ୍ରଭାବ ଯୋଗୁଁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି।

ଦଙ୍ଗାର ଇତିହାସ: ସ୍ୱାଧୀନତା ପରେ ସମ୍ବଲରେ ୧୫ଟି ସାମ୍ପ୍ରଦାୟିକ ଦଙ୍ଗା ଘଟିଛି। ଯାହା ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନାରେ ଯୋଗଦାନ ରହିଛି।

ବେଆଇନ ଅସ୍ତ୍ର ଓ ଆତଙ୍କବାଦୀ ସଂଗଠନର ଲିଙ୍କ: ହିଂସା ସ୍ଥଳରୁ ବ୍ରିଟେନ, ଆମେରିକା ଓ ଜର୍ମାନୀରେ ନିର୍ମିତ ବେଆଇନ ଅସ୍ତ୍ର ମଧ୍ୟ ଉଦ୍ଧାର ହୋଇଛି। ଏଣୁ ଅଲ-କାଏଦା ଓ ହରକତ-ଉଲ-ମୁଜାହିଦ୍ଦୀନ ପରି ଆତଙ୍କବାଦୀ ସଂଗଠନଗୁଡିକର ନେଟୱାର୍କ ସମ୍ବଲରେ ସକ୍ରିୟ ଥିବା ରିପୋର୍ଟରେ ଦାବି କରାଯାଇଛି।

ହିଂସାର କାରଣ: ସର୍ଭେ ସମୟରେ ମସଜିଦର ଓଜୁ ଖାନା (ଜଳ ଟାଙ୍କି) ଖାଲି କରାଯିବା ପରେ ମସଜିଦ ଭଙ୍ଗା ହେଉଛି ବୋଲି ଗୁଜବ ପ୍ରସାରିତ ହୋଇଥିଲା, ଯାହା ହିଂସାକୁ ଉସକାଇଥିଲା। ବାହାରୁ ଆସିଥିବା ଦଙ୍ଗାକାରୀ ଓ ତୁର୍କ-ପଠାନ ସମ୍ପ୍ରଦାୟ ମଧ୍ୟରେ ପୁରୁଣା ଶତ୍ରୁତା ମଧ୍ୟ ହିଂସାକୁ ଆହୁରି ଅଧିକ ବଢ଼ାଇଦେଇଥିଲା।

କଣ ରହିଛି ରାଜନୈତିକ ପ୍ରତିକ୍ରିୟା:

ଏହି ରିପୋର୍ଟ ପ୍ରକାଶ ପାଇବା ପରେ ସମାଜବାଦୀ ପାର୍ଟି(SP)ର ନେତା ଅଖିଳେଶ ଯାଦବ ହିଂସାକୁ “ସରକାର ପ୍ରାୟୋଜିତ” ବୋଲି ଅଭିଯୋଗ କରିଛନ୍ତି। ଏହାସହ ଏସପିର ସ୍ଥାନୀୟ ସାଂସଦ ଜିଆ-ଉର-ରହମାନ ବାର୍କ ଓ ଅନ୍ୟମାନଙ୍କ ବିରୁଦ୍ଧରେ ଦାୟର ହୋଇଥିବା FIRକୁ ରାଜନୈତିକ ଷଡଯନ୍ତ୍ର ବୋଲି ଦାବି କରିଛନ୍ତି।

ଅନ୍ୟପଟେ ବିଜେପିର କେନ୍ଦ୍ରୀୟ ମନ୍ତ୍ରୀ ଗିରିରାଜ ସିଂହ ହିଂସାକୁ ବିରୋଧୀଙ୍କ “ପୂର୍ବପରିକଳ୍ପିତ ଷଡଯନ୍ତ୍ର” ବୋଲି ଅଭିଯୋଗ କହିବା ସହ ଏହି ଦଙ୍ଗାକୁ ଗୋଧରା ଘଟଣା ସହ ତୁଳନା କରିଛନ୍ତି। ତେବେ ଏହି ରିପୋର୍ଟ ସାମ୍ନାକୁ ଆସିବା ପରେ ଉଭୟ ବିଜେପି ଓ ଆରଏସଏସକୁ ଘେରିଛି କଂଗ୍ରେସ। ହିଂସା ପାଇଁ ଏହି ଦୁଇ ଦଳ ଦାୟୀ ବୋଲି ଦାବି କରିଛି କଂଗ୍ରେସ। ଏହାସହ ହିଂସା ଛାଡି ଶାନ୍ତି ଓ ନ୍ୟାୟିକ ପ୍ରକ୍ରିୟା ଅନୁସରଣ କରିବାକୁ କଂଗ୍ରେସ ସମ୍ଭଲର ଲୋକମାନଙ୍କୁ ଅନୁରୋଧ କରିଛି।

ଦୀର୍ଘଦିନ ଧରି ଶାହୀ ଜାମା ମସଜିଦ ବିବାଦ ଲାଗି ରହିଛି। ଯେଉଁଥିରେ ଉକ୍ତ ମସଜିଦଟି ମୋଗଲ ସମ୍ରାଟ ବାବରଙ୍କ ଦ୍ୱାରା ଧ୍ୱଂସ କରାଯାଇଥିବା ହରିହର ମନ୍ଦିର ଉପରେ ନିର୍ମିତ ବୋଲି ସ୍ଥାନୀୟ ଲୋକଙ୍କ ଦ୍ୱାରା ଦାବି କରାଯାଇଛି। ତେବେ ଏହି ମାମଲା କୋର୍ଟକୁ ଆସିବା ପରେ କର୍ଟ ଏଏସଆଇକୁ ଏନେଇ ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଏସଆଇ ଦ୍ୱାରା ନଭେମ୍ବର ୧୯ ତାରିଖରେ ହୋଇଥିବା ପ୍ରଥମ ସର୍ଭେ ଶାନ୍ତିପୂର୍ଣ୍ଣ ଥିଲା। କିନ୍ତୁ ନଭେମ୍ବର ୨୪ ତାରିଖରେରେ ଦ୍ୱିତୀୟ ସର୍ଭେ ହେଉଥିବା ସମୟରେ ଓଜୁ ଖାନା ଖାଲି କରାଯିବା ପରେ ମସିଜିଦ ଭଙ୍ଗାଯାଉଥିବା ନେଇ ଗୁଜବ ପ୍ରଚାରିତ ହୋଇଥିଲା, ଯାହା ହିଂସାକୁ ଉସୁକାଇଥିଲା।

ତେବେ ଦଙ୍ଗା ଆରମ୍ଭ ହେବା ପରେ ମାମଲା ସୁପ୍ରୀମ କୋର୍ଟ ଯାଇଥିଲା। ଯେଉଁଠି ସୁପ୍ରିମ କୋର୍ଟ ୨୦୨୪ ମସିହା ନଭେମ୍ବର ମାସ ୨୯ ତାରିଖରେ ସମ୍ବଲ ଟ୍ରାୟଲ କୋର୍ଟକୁ ସର୍ଭେ ମାମଲା ବନ୍ଦ କରିବାକୁ ଓ ସର୍ଭେ ରିପୋର୍ଟ ସିଲ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ହିଂସା ପରେ ମୋଟ୍ ୧୨ଟି ମାମଲା ଦାୟର ହୋଇଥିଲା, ଏବଂ ୮୦ ଜଣଙ୍କୁ ଗିରଫ କରାଯାଇଛି। ଏହାସହ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ ଓ ବାହାରୁ ଆସୁଥିବା ଲୋକଙ୍କ ପ୍ରବେଶ ଉପରେ ନିଷେଧାଜ୍ଞା ଜାରି ହୋଇଥିଲା। ବାରମ୍ୱାର ଦଙ୍ଗା ହେବା ପରେ ସରକାର ଏହାର କାରଣ ଜାଣିବା ପାଇଁ ଏକ ନ୍ୟାୟିକ ତଦନ୍ତର ଆଦେଶ ଦେଇଥିଲେ।  ଅବସରପ୍ରାପ୍ତ ବିଚାରପତି ଦେବେନ୍ଦ୍ର କୁମାର ଅରୋରାଙ୍କ ନେତୃତ୍ୱରେ ଗଠିତ ଏକ ଆୟୋଗ ହିଂସାର କାରଣ, ପରିକଳ୍ପନା ଓ ପ୍ରଶାସନର ଭୂମିକା ତଦନ୍ତ କରି ରିପୋର୍ଟ ପ୍ରାକାଶ କରିଛନ୍ତି।

ସମ୍ବଲ ହିଂସା ଜନସଂଖ୍ୟା ପରିବର୍ତ୍ତନ, ସାମ୍ପ୍ରଦାୟିକ ଉତ୍ତେଜନା ଓ ଐତିହାସିକ ବିବାଦର ଜଟିଳତାକୁ ପ୍ରତିଫଳିତ କରୁଛି। ତେବେ ଏହା ଉପରେ ଜାରି ହୋଇଥିବା ନ୍ୟାୟିକ ରିପୋର୍ଟ ସ୍ଥାନୀୟ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ପାଇଁ କଠୋର ପଦକ୍ଷେପର ଆବଶ୍ୟକତା ଉପରେ ଜୋର ଦେଇଛି।